୧୧ରୁ ଅମଲା ସଂଘର କାର୍ଯ୍ୟ ବନ୍ଦ ଆନେ୍ଦାଳନ
ନବରଙ୍ଗପୁର : ଓଡିଶା ରାଜସ୍ୱ ଅମଲା ସଂଘର ଗୁରୁତପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତି ଅନୁସାରେ ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କର ୯ଦଫା ଦାବି ପୂରଣ କରିବାରେ ଆହେତୁକ ବିଳମ୍ବ ହେତୁ ଆଗାମୀ ଅଷ୍ଟମ ୧୧ରୁ ଅମଲା ସଂଘର କାର୍ଯ୍ୟ ବନ୍ଦ ଆନେ୍ଦାଳନ ପାଇଁ ନିଷ୍ପତ୍ତି ନିଆଯାଇଛି । ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତି ଅନୁସାରେ ରାଜ୍ୟର ସମସ୍ତ ୨୧ଗୋଟି ସାଂସଦ ଏବଂ ୧୪୭ ଗୋଟି ବିଧାୟକମାନଙ୍କୁ ଦାବି ଗୁଡିକ ବିଷୟରେ ଅବଗତ କରାଇବା ଏବଂ ସରକାରଙ୍କ ପାଖରେ ଏହି ଦାବିଗୁଡିକୁ ପହଞ୍ଚାଇବା ସକାଶେ ନିଷ୍ପତ୍ତି ନିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଓଡିଶା ରାଜସ୍ୱ ଅମଲା ସଂଘ ନବରଙ୍ଗପୁର ଜିଲ୍ଲା ଶାଖା ସଭାପତି ଆଶୁତୋଷ ମହାନ୍ତିଙ୍କ ନେତୃତ୍ୱରେ ଦଶଦଫା ଦାବି ସମ୍ବଳିତ ଦାବିପତ୍ର ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଗୌରୀ ଶଙ୍କର ମାଝୀଙ୍କୁ ରାଜ୍ୟ ସରକାରଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଥିଲା । ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କର ଦୀର୍ଘଦିନର ଦାବିପୂରଣ କରିବା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରୁଥିବା ଯୋଗୁଁ ଜିଲ୍ଲାସ୍ତରରେ ଅମଲାମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କ ମୂଳ ଦରମା ଓଆର୍ଏସପି-୨୦୧୭ ନିୟମ ଅନୁଯାୟୀ ଲେବେଲ-୯କୁ ବୃଦ୍ଧି କରାଯାଉ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା ୮୮୯୮ତାରିଖ–୧୫-୦୩-୨୦୨୪ ଅନୁଯାୟୀ ସମସ୍ତ ଜିଲ୍ଲାପାଳମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯାଉ, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯାଉ, ୨୦୨୦ ମସିହାରେ ଲାଗୁ କରାଯାଇଥିବା ପୁନଃଥଇଥାନ ଯୋଜନାର ନିୟମାବଳୀକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇ ୧୯୯୦ ମସିିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାୟୀ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ କରାଯାଉ ଆଦି ଅନ୍ତର୍ଭୁକ୍ତ ରହିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆଗାମୀ ୧୦ ଅଗଷ୍ଟ ୨୦୨୫ ତାରିଖ ମଧ୍ୟରେ ଉପୋରକ୍ତ ଦାବି ଗୁଡିକ ପୂରଣ ନ କରନ୍ତି ତାହେଲେ, ରାଜ୍ୟ ସଂଘ ର କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ହୋଇଥିବା ନିଷ୍ପତ୍ତି ଅନୁସାରେ ଅଗଷ୍ଟ ୧୧ ତାରିଖ ଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନେ୍ଦାଳନ କରାଯିବ ବୋଲି ଜିଲ୍ଲା ସଭାପତି ଆଶୁତୋଷ ମହାନ୍ତି, ସମ୍ପାଦକ ମୈଥିଲୀ ପଟ୍ଟନାୟକ ପ୍ରକାଶ କରିଥିଲେ । ଏହି ଅବସରରେ ରାଜ୍ୟ ସଭାପତି ତ୍ରିପତି ବାଲାଜି ସାହୁ, ଖଣ୍ଡୀୟ ଉପସଭାପତି କୈଲାଶ ଚନ୍ଦ୍ର ଦାଶ, ନିତେଶ ରଥ, ବୈକୁଣ୍ଠନାଥ ନାୟକ, ପଦଲାମ ଭତ୍ରା, ସୌରଭ ଦାସ, ଧନୁର୍ଜୟ ମାଝୀ ସାଗର ଚୌଧୁରୀ, ସତ୍ୟ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।