୧୧ରେ ଉପାଧ୍ୟକ୍ଷ ଉପନିର୍ବାଚନ
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକର ଉପାଧ୍ୟକ୍ଷ ଅଶୋକ କୁମାର ଓଝା ଗତ ଫେବୃୟାରୀ ୭ ତାରିଖରେ ତାଙ୍କର ବ୍ୟକ୍ତିଗତ ଅସୁବିଧା ଓ ସ୍ୱାସ୍ଥ୍ୟଗତ କାରଣରୁ ଉପାଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଥିଲେ । ଗତ ଦୁଇ ମାସ ହେବ ଏହି ଉପାଧ୍ୟକ୍ଷ ପଦବୀଟି ଖାଲି ରହିଥିବାରୁ ତାଙ୍କ କାର୍ଯ୍ୟାଳୟରେ ତାଲା ମଧ୍ୟ ପଡ଼ିଥିଲା । ଏହି ପଦବୀକୁ ପୂରଣ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଆସନ୍ତା ଏପ୍ରିଲ ୧୧ ତାରିଖରେ ଏହି ଉପାଧ୍ୟକ୍ଷ ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି ବ୍ଲକ ପଞ୍ଚାୟତ ଉନ୍ନୟନ ଅଧିକାରୀ ମନୋଜ କୁମାର ପଢିହାରୀ ସୂଚନା ଦେଇଛନ୍ତି । ଏହି ବିଜ୍ଞପ୍ତି ଅନୁସାରେ ଉପାଧ୍ୟକ୍ଷ ପ୍ରାର୍ଥୀ ଆସନ୍ତା ୧୧ ତାରିଖ ଦିନ ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ମନୋନୟନ ପତ୍ର ନେଇ ଦାଖଲ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ମଧ୍ୟାହ୍ନ ୧୨ଟା ମଧ୍ୟରେ ତାଙ୍କର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବା ପାଇଁ ସମୟ ଧାର୍ଯ୍ୟ ହୋଇଛି । ଏହି ଦିନ ୧୨.୩୦ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ ହେବାର ବ୍ୟବସ୍ଥା ରହିଛି । ଭୋଟ ସରିଲା ପରେ ସଙ୍ଗେ ସଙ୍ଗେ ଭୋଟ ଗଣତି କରାଯାଇ ବିଜୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ବିଜ୍ଞପ୍ତିରୁ ଜଣାଯାଇଛି । ଏହି ବ୍ଲକରେ ୪୧ଗୋଟି ପଞ୍ଚାୟତ ରହିଥିବା ବେଳେ ଉପାଧ୍ୟକ୍ଷ ନିର୍ବାଚନରେ କେବଳ ୪୧ଜଣ ସମିତିସଭ୍ୟ ସଭ୍ୟାମାନେ ନିର୍ବାଚନରେ ଭୋଟ ଦେଇପାରିବେ ବୋଲି ଜିପିଓ ପ୍ରକାଶ କରିଛନ୍ତି ।