୨୦୨୭ ସୁଦ୍ଧା ପ୍ରତି ଘରକୁ ପାନୀୟ ଜଳ: ମନ୍ତ୍ରୀ

୨୦୨୭ ସୁଦ୍ଧା ପ୍ରତି ଘରକୁ ପାନୀୟ ଜଳ: ମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରର ଲୋକସେବା ଭବନର କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଜି ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ଏକ ଉଚ୍ଚ଼ସ୍ତରୀୟ  ସମୀକ୍ଷା ବୈଠକ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ରାଜ୍ୟ ସରକାରଙ୍କ ଦ୍ୱାରା ସମର୍ଥିତ ଅତିରିକ୍ତ ୨୦୦ ଦିନର ନିଯୁକ୍ତିର ପ୍ରଭାବଶାଳୀ ବ୍ୟବସ୍ଥା ମାଧ୍ୟମରେ ଦାଦନପ୍ରବଣ ଅଞ୍ଚଳରେ ଦାଦନ ସମସ୍ୟାକୁ ରୋକିବା ଉପରେ ବିଶେଷ ଧ୍ୟାନ ଦେଇ ମନରେଗା କାର୍ଯ୍ୟାନ୍ୱୟନର ସମୀକ୍ଷା କରିଥିଲେ । ସେ ସମୟସୀମା ମଧ୍ୟରେ ମଜୁରୀ ପ୍ରଦାନ, ଗୁଣାତ୍ମକ ଗ୍ରାମୀଣ ଭିତ୍ତିଭୂମି ସୃଷ୍ଟି ଏବଂ ସ୍ଥାୟୀ ଜୀବିକା ବୃଦ୍ଧି ନିମନ୍ତେ ପ୍ରଥମ ୧୦୦ ଦିନ ପାଇଁ ୯୮ ଟଙ୍କା ଓ ପରବର୍ତ୍ତୀ ୨୦୦ ଦିନ ପାଇଁ ୩୭୧ ଟଙ୍କା ଅତିରିକ୍ତ ରାଜ୍ୟ ସହାୟତା ଜାରି ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ ।


     ଶ୍ରମ କାର୍ଡ ପଞ୍ଜୀକରଣ ଏବଂ ଲାଭ ବଣ୍ଟନ ସମୀକ୍ଷା କରି ମନ୍ତ୍ରୀ ସମସ୍ତ ଯୋଗ୍ୟ ଶ୍ରମିକଙ୍କୁ ଶ୍ରମ କାର୍ଡ ପ୍ରଦାନ କରିବା ସହ ସେମାନଙ୍କୁ ସମୟସୀମା ମଧ୍ୟରେ ସ୍ୱଚ୍ଛ ଭାବରେ ସମସ୍ତ ଗ୍ରହଣୀୟ ସୁବିଧା ପ୍ରଦାନକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ବୈଠକରେ ୨୦୭ ମେଗା ପାନୀୟ ଜଳ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଜାରି ରହିଥିବା ପଦକ୍ଷେପ ସମେତ ରାଜ୍ୟବ୍ୟାପୀ ପାନୀୟ ଜଳ ଯୋଗାଣ ଭିତ୍ତିଭୂମିର ଅଗ୍ରଗତି ବାବଦରେ ମଧ୍ୟ ସମୀକ୍ଷା କରାଯାଇଥିଲା । ମାର୍ଚ୍ଚ ୨୦୨୭ ସୁଦ୍ଧା ସମସ୍ତ ଗ୍ରାମୀଣ ପରିବାରକୁ ସ୍ୱଚ୍ଛ ନିରାପଦ ପାନୀୟ ଜଳ ସୁନିଶ୍ଚିତ କରିବା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ ପେସାର କାର୍ଯ୍ୟାନ୍ୱୟନ ସ୍ଥିତି ସମୀକ୍ଷା କରାଯାଇଥିଲା । ବିଭିନ୍ନ ବିଭାଗରୁ ମତାମତ ଗ୍ରହଣ କରାଯାଇଛି ଏବଂ ଡ୍ରାଫଫ ନିୟମାବଳୀକୁ ଆଗାମୀ ବୈଠକରେ ଜନଜାତୀୟ ପରାମର୍ଶଦାତା କମିଟି ସମ୍ମୁଖରେ ଅବଲୋକନ ପାଇଁ ରଖାଯିବ ବୋଲି ସୂଚନା ଦିଆଯାଇଥିଲା । ବିକାଶିତ ଗାଁ ବିକାଶ ଓଡିଶା ଅଧୀନରେ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି  ମନ୍ତ୍ରୀ ବ୍ୟାପକ ଗ୍ରାମୀଣ ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଥିବା ପ୍ରକଳ୍ପଗୁଡିକର ସମୟସୀମା ସମାପ୍ତ କରିବା ପାଇଁ ରିଅଲ- ଟାଇମ ତଦାରଖ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ୧.୬୮ ଲକ୍ଷ ଘର ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ କହିଥିଲେ ।