୨୭ରୁ ବୟନ ଶିଳ୍ପ ସମ୍ମିଳନୀ ‘ଟେକ୍ସନୋଭା ଓଡିଶା’
ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ଶିଳ୍ପ ଓ ବାଣିଜ୍ୟ ସଂଗଠନ ‘ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ’ (ୟୁସିସିଆଇଏଲ୍) ସହଯୋଗରେ ଭୁବନେଶ୍ୱର ଭିତ୍ତିକ ଗଣମାଧ୍ୟମ ଅନୁଷ୍ଠାନ ତଥା ଅଗ୍ରଣୀ ପ୍ରକାଶନୀ ସଂସ୍ଥା ‘ମାରୁତି ମିଡିଆ’ ପକ୍ଷରୁ ଚଳିତ ମାସ ୨୭ ଓ ୨୮ ତାରିଖ ଦୁଇଦିନ ଧରି ଭୁବନେଶ୍ୱରରେ ବୟନ ଶିଳ୍ପ ସହିତ ସଂପୃକ୍ତ ବ୍ୟକ୍ତିବିଶେଷ, ଅନୁଷ୍ଠାନ ଏବଂ ବୟନ ଶିଳ୍ପଉଦ୍ୟୋଗୀମାନଙ୍କୁ ନେଇ ଜାତୀୟସ୍ତରୀୟ ସମ୍ମିଳନୀ ‘ଟେକ୍ସନୋଭା ଓଡିଶା’ ଅନୁଷ୍ଠିତ ହେବାକୁ ଯାଉଛି । ଆଜି ଆଇଆରସି ଭିଲେଜସ୍ଥିତ ୟୁସିସିଆଇଏଲ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ୟୁସିସିଆଇଏଲ୍ ସଭାପତି ତଥା ବିଶିଷ୍ଟ ଶିଳ୍ପପତି ଡକ୍ଟର ପ୍ରବୋଧ କୁମାର ମହାନ୍ତି ଏବଂ ଆୟୋଜକ ମାରୁତି ମିଡିଆର ନିର୍ଦ୍ଦେଶକ ତଥା ଟେକ୍ସନୋଭା ଓଡିଶାର ଆବାହକ ମନୋଜ ପୃଷ୍ଟି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି ଯେ, ଭୁବନେଶ୍ୱରର ୟୁନିଟ୍-୪ ସ୍ଥିତ ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ) ପରିସରରେ ଏହି ଦୁଇଦିନିଆ ସମ୍ମିଳନୀ ଅନୁଷ୍ଠିତ ହେବ ।
ପ୍ରଥମ ଦିନର ପୂର୍ବାହ୍ନରେ ସମ୍ମିଳନୀ ଉଦଘାଟିତ ହେବାପରେ ପ୍ରଥମ ଅଧିବେଶନରେ ହସ୍ତତନ୍ତ ଓ ହସ୍ତତନ୍ତ ପର୍ଯ୍ୟଟନ, ଅପରାହ୍ଣରେ ଦ୍ୱିତୀୟ ଅଧିବେଶନରେ ଟେକ୍ନୋ ଟେକ୍ସଟାଇଲ ଉପରେ ଆଲୋଚନା କରାଯିବ । ସେହିଭଳି ଦ୍ୱିତୀୟ ଦିନର ପ୍ରଥମ ଅଧିବେଶନରେ କଞ୍ଚାମାଲ୍ ଓ ସୂତାକଳ, ଏବଂ ଅପରାହ୍ଣ ତଥା ଶେଷ ଅଧିବେଶନରେ ବୟନ ଉଦ୍ୟେ।।ଗ ବସ୍ତ୍ର (ଆପାରେଲ୍) ସମ୍ପର୍କରେ ଆଲୋଚନା କରାଯିବ । ଏହି ଆଲୋଚନାରେ ଉପସ୍ଥାପିତ ହୋଇଥିବା ବୈଷୟିକ ନିବନ୍ଧ ଏବଂ ଆଲୋଚନାର ନିର୍ଯ୍ୟାସକୁ ନେଇ ପ୍ରସ୍ତୁତ ହୋଇଥିବା ସୁପାରିସକୁ ପରବର୍ତ୍ତୀ ସମୟରେ ଏକ ପୁସ୍ତକ ଆକାରରେ ପ୍ରକାଶ କରାଯାଇ ରାଜ୍ୟ ସରକାର ଏବଂ ବୟନ ଶିଳ୍ପ ସହିତ ସଂପୃକ୍ତ ଅନୁଷ୍ଠାନମାନଙ୍କୁ ପ୍ରଦାନ କରାଯିବ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ୟୁସିସିଆଇଏଲ୍ ଉପସଭାପତି ମୁରଲୀ ଜାମୁଲା, କୋଷାଧ୍ୟକ୍ଷ ନାରାୟଣ କୁମାର, ଅତିରିକ୍ତ ନିର୍ଦ୍ଦେଶକ ଶଶୀ ଶେଖର ମହାନ୍ତି, ପୂର୍ବତନ ସଭାପତି ବ୍ରହ୍ମା ମିଶ୍ର, ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟ ଅଧୀନସ୍ଥ ବୁଣାକାର ସେବା କେନ୍ଦ୍ରର ଅବସରପ୍ରାପ୍ତ ଉପନିର୍ଦ୍ଦେଶକସୁରେନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।