୩ ଦଫା ଦାବି ନେଇ ମହାପ୍ରବନ୍ଧକଙ୍କୁ ଦାବିପତ୍ର
୩ ଦଫା ଦାବି ନେଇ ମହାପ୍ରବନ୍ଧକଙ୍କୁ ଦାବିପତ୍ର
ାା ପ୍ରଭାନୁ୍ୟଜ ।ା ତାଳଚେର/ସାଉଥବଲଣ୍ଡା : ଆଗାମୀ ସାତ ଦିନ ମଧ୍ୟରେ ଘଣ୍ଟପଡା ଗ୍ରାମ ପଞ୍ଚାୟତବାସୀଙ୍କ ନ୍ୟାର୍ଯ୍ୟ ଦାବିଗୁଡ଼ିକ ପୂରଣ ନ ହେଲେ ଅର୍ଥନୈତିକ ଅବରୋଧ ସହ ଜଗନ୍ନାଥ କ୍ଷେତ୍ର କାର୍ଯ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବେ ବୋଲି ପଞ୍ଚାୟତବାସୀଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ଏମସିଏଲ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ଏ.କେ ଧଳଙ୍କୁ ଭେଟି ଏକ ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଘଣ୍ଟପଡା ଗ୍ରାମପଞ୍ଚାୟତରେ ସୃଷ୍ଟି ହେଉଥିବା ବାରମ୍ବାର ପାଣି ସମସ୍ୟାକୁ ସ୍ଥାୟୀ ସମାଧାନ କରିବା, ପଞ୍ଚାୟତବାସୀଙ୍କ ପାଇଁ ଉଦ୍ଦିଷ୍ଟ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଅଧିନରେ ହେବାକୁ ଥିବା ଉନ୍ନତିମୂଳକ କାର୍ଯ୍ୟକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ଏବଂ ଘଣ୍ଟପଡା ପଞ୍ଚାୟତର ବେକାର ଯୁବକ ଯୁବତୀମାନଙ୍କୁ ସିକୁ୍ୟରିଟି ଗାର୍ଡ ଓ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ନିଯୁକ୍ତି ଦେବା ଆଦି ୩ ଦଫା ଦାବି ଏଥିରେ ଉଲ୍ଲେଖ ରହିଛି ।
ପ୍ରକାଶ ଯେ, ଦୀର୍ଘ ୫୦ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଏମସିଏଲ ଘଣ୍ଟପଡା ଗ୍ରାମ ପଞ୍ଚାୟତରୁ ୫୦୦ଏକରରୁ ଊଦ୍ଧ୍ୱର୍ ଜମି ଅଧିଗ୍ରହଣ କରି ସେଠାରେ ମେଡ଼ିକାଲ କଲେଜ, ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ, ଓଡିଆ ଓ ଇଂରାଜୀ ଡିଏଭି ସ୍କୁଲ ଓ ପାଞ୍ଚଟି କଲୋନୀ ନିର୍ମାଣ କରିବା ସହିତ ଶିବ ମନ୍ଦିର ଓ ଅନ୍ୟାନ୍ୟ ଅନୁଷ୍ଠାନ ନିର୍ମାଣ କରିଛି । ଘଣ୍ଟପଡା ଗ୍ରାମ ପଞ୍ଚାୟତର ଚତୁଃପାର୍ଶ୍ୱରେ ବିଭିନ୍ନ କଳକାରଖାନା, କୋଇଲା ଖଣି, କୋଇଲା ପରିବହନ ପାଇଁ ରେଳ ଲାଇନ ଗଢି ଉଠିଥିବାରୁ ସ୍ଥାନୀୟ ଲୋକେ ବିଭିନ୍ନ ପ୍ରକାର ଅସୁବିଧା ସମ୍ମୁଖୀନ ହେବା ସହିତ ପ୍ରଦୁ୍ୟଷଣ ଜନିତ ବିଭିନ୍ନ ପ୍ରକାର ରୋଗ ବ୍ୟାପିବାରେ ଲାଗିଛି । ଯାହାପ୍ରତି ଏମସିଏଲ ଅଧିକାରୀ କୌଣସି ପଦକ୍ଷେପ ନେଉନାହାନ୍ତି । ଯାହାକୁ ନେଇ ପଞ୍ଚାୟତବାସୀ କ୍ଷୁବ୍ଧ ଏବଂ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଯେଉଁ ମହତ ଉଦେ୍ଦଶ୍ୟ ରଖି ଘଣ୍ଟପଡ଼ାବାସୀ ଜମି ଯୋଗାଇ ଦେଇଥିଲେ ଆଜି ପର୍ଯ୍ୟନ୍ତ ତା’ର ସୁଫଳ ପାଇପାରିନାହାନ୍ତି । ତେବେ ଦାବିଗୁଡିକୁ ୭ ଦିନ ମଧ୍ୟରେ ସମାଧାନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦିଆନଗଲେ ପଞ୍ଚାୟତବାସୀ ରେଳରୋକ ସହିତ ସିଜିଏମ କାର୍ଯ୍ୟାଳୟକୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ବାଧ୍ୟ ହେବେ ବୋଲି ଉକ୍ତ ଦାବିପତ୍ର ଜରିଆରେ ସୂଚାଇ ଦିଆଯାଇଛି । ଆଜିର ଦାବିପତ୍ର ପ୍ରଦାନ ସମୟରେ ଘଣ୍ଟପଡ଼ା ସରପଞ୍ଚ ସସ୍ମିତା ବିଶ୍ୱାଳ, ସମିତି ସଭ୍ୟ କରୁଣାକର ସାହୁ, ପୂର୍ବତନ ସରପଞ୍ଚ ସୁନିଲ ବିଶ୍ୱାଳ, ନାଏବ ସରପଞ୍ଚ ରାଜୀବ ଦାସ, ୱାର୍ଡ଼ ମେମ୍ବର ସତ୍ୟଜିତ ବେହେରା, ସୈରେନ୍ଦି ସାହୁ, ଅଭୟ ସାହୁ, ଅମୀୟ ରତ୍ନ ସାହୁ, ଶିବାନନ୍ଦ ଥମ୍ବ, ବିକାଶ ସାହୁ, ଜିନେସ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମଞ୍ଜୁ ବେହେରା, ଉର୍ମିଳା ଦେହୁରୀ, ସରସ୍ୱତୀ ସାହୁ, ବିକ୍ରମ ପ୍ରଧାନ, ସୁନିଲ ପଟ୍ଟନାୟକ, ବିଶ୍ୱରଞ୍ଜନ ପ୍ରଧାନ ଓ ନାଲିଆ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହାର ଏକାକିତ ନକଲ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୋଳ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ଏମସିଏଲ ସିଏମଡି ପ୍ରମୁଖଙ୍କୁ ପ୍ରଦାନ କରାଯାଇଛି । ତେବେ ଏହା ପୂର୍ବରୁ ଏ ନେଇ ତାଳଚେର ବ୍ଲକ ଘଣ୍ଟପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସରପଞ୍ଚ ସସ୍ମିତା ବିଶ୍ୱାଳ ସଭାପତିତ୍ୱ କରିଥିଲେ । ଏଥିରେ ପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟା ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ । ତେବେ ଘଣ୍ଟପଡା ଗ୍ରାମ ପଞ୍ଚାୟତ ପ୍ରତି ଏମସିଏଲ ଜଗନ୍ନାଥ କ୍ଷେତ୍ରର କର୍ତ୍ତୃପକ୍ଷ ବୈମାତୃକ ମନୋଭାବ ଦେଖାଇ ଆସୁଥିବାରୁ ଏ ନେଇ ଉଦ୍ବେଗ ପ୍ରକାଶ ପାଇଥିଲା ।