ଶିଳ୍ପ ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର


ାା ପ୍ରଭାନୁ୍ୟଜ ।ା ଟାଙ୍ଗୀ ଚୌଦ୍ୱାର: ରାଜ୍ୟର ପ୍ରଥମ ଶିଳ୍ପ ନଗରୀର ମାନ୍ୟତା ପାଇଥିବା ଚୌଦ୍ୱାରରେ ଖାଲି ପଡିଥିବା ପ୍ରାୟ ୧୫୦୦ଏକର ଶିଳ୍ପ ଉପଯୋଗୀ ଭିତ୍ତିଭୂମି ଥିବା ଜମିରେ ତୁରନ୍ତ ବିଭିନ୍ନ କାରଖାନାମାନ ପ୍ରତିଷ୍ଠା କରିବା ଦାବିରେ ଚୌଦ୍ୱାର ସଚେତନ ନାଗରିକ ମଞ୍ଚ ଆଗକୁ ଆସିଛି । ଏ ସଂକ୍ରନ୍ତୀୟ ଏକ ଦାବିପତ୍ର ମଞ୍ଚ ପକ୍ଷରୁ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କୁ ପ୍ରଦାନ କରାଯାଇଛି । ମଞ୍ଚର ଏକ ପଚିଶି ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟ ଅତିଥି ଭବନରେ ମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ପ୍ରାୟ ଦୁଇ ହଜାର ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବପତ୍ର ପ୍ରଦାନ କରାଯାଇଥିଲା । ସଚେତନ ନାଗରିକ ମଞ୍ଚର ଆବାହକ ସତ୍ୟବ୍ରତ ଦାସ ଓ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ମଣ୍ଡଳୀ ମନ୍ତ୍ରୀଙ୍କୁ ସମସ୍ତ ବିଷୟରେ ଅବଗତ କରାଇବା ସହ ଚୌଦ୍ୱାର ପରିଦର୍ଶନରେ ଆସିବାକୁ ଅନୁରୋଧ କରିଥିଲେ । ପ୍ରକାଶ ଯେ, ରାଜ୍ୟର ପ୍ରଥମ ଶିଳ୍ପ ନଗରୀ ଚୌଦ୍ୱାରରେ ଓଟିଏମ୍ ୫୭୦ଏକର ଜମିରେ, ପ୍ରଥମ କାଗଜକଳ କୁହାଯାଉଥିବା ବାଲାରର୍ପୂର୍ କାରଖାନା ୫୩୮ ଏକର ଏବଂ ଲିବ୍ରା କାର୍ପଟର ୧୧୪ଏକର ଜମି ରହିଛି । ବର୍ତ୍ତମାନ ଏହି ତିନୋଟି କାରଖାନା ବନ୍ଦ ହୋଇ ପଡ଼ିଛି । ସମସ୍ତ ଶିଳ୍ପ ଭିତ୍ତିଭୂମି ଥିବା ଏହି ଜମି ଗୁଡ଼ିକ ଏବେ ଖାଲିପଡ଼ିଛି । ବିଗତ ବିଜେଡି ସରକାର ସମୟରୁ ବାରମ୍ବାର ଏହି କାରଖାନା ଗୁଡ଼ିକ ଖୋଲିବାର ମିଛ ପ୍ରତିଶ୍ରୁତି ଦେଇ ନିର୍ବାଚନୀ ବୈତରଣୀ ପାର ହୋଇଥିଲେ ମଧ୍ୟ ଦୀର୍ଘ କୋଡ଼ିଏ ବର୍ଷ ହେଲା ସମସ୍ତ କାରଖାନା ଖୋଲିବାର କୌଣସି ଉଦ୍ୟମ ଆରମ୍ଭ କରାଯାଇନାହିଁ । ଏଥିସହ ଚୌଦ୍ୱାର ବାଣିପଦରେ ଥିବା ଇଡକୋ ଶିଳ୍ପାଞ୍ଚଳରେ ମଧ୍ୟ ଅନେକ ଲୋକ ଜମିକୁ ଅଧିଗ୍ରହଣ କରି ବେଆଇନ କାର୍ଯ୍ୟ କରୁଛନ୍ତି  । ସମସ୍ତ ଖାଲି ପଡ଼ିଥିବା ଜମିକୁ ରାଜ୍ୟ ସରକାର ତୁରନ୍ତ ନିଜ ହାତକୁ ନେବା ସହ ସେଠାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ପ୍ରଚେଷ୍ଟା କରାଗଲେ ଚୌଦ୍ୱାର ପୁଣି ଥରେ ଦେଶର ଶିଳ୍ପ ମାନଚିତ୍ରରେ ନିଜର ସ୍ୱତନ୍ତ୍ର ସ୍ଥାନ ନେଇପାରିବ ବୋଲି ମଞ୍ଚ ଆଶା ପ୍ରକାଶ କରିଛି । ତେବେ ସମସ୍ତ ବିଷୟର ଅବଗତ ହେବା ପରେ ମନ୍ତ୍ରୀ ୱେଲ୍ସପୁନ କାରଖାନା ନିଶ୍ଚିତ ଭାବେ ପ୍ରତିଷ୍ଠା ହେବା ସହ କପାଚାଷୀମାନଙ୍କୁ ପ୍ରୋତ୍ସାହନ ଦିଆଯିବା ସହ ବଲାରପୂର୍ ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ହୋଇ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ପ୍ରତାପ ଜେନା, ସସ୍ମିତା ଦାସ, ପ୍ରଶାନ୍ତ ହୋତା, ତିର୍ଥାନନ୍ଦ ସୁବୁଧିରାୟ, ସୁରେନ୍ ବେହେରା, ଲାଲମୋହନ ପରିଡା, ରମେଶ ନାୟକ,ଲକ୍ଷ୍ମଣ ନାୟକ, ପ୍ରଦୀପ ଦାସ, ଧିରଞ୍ଜନ ସିଂ, ପ୍ରକାଶ ନୟକ, ଅଜିତ ସ୍ୱାଇଁ, ଅମୀୟ ଦାସ, ସଞ୍ଜୟ ମହାରଣା, ଗଗନ ସାହୁ, ବିଷ୍ଣୁ ନୟକ, ଅଜୟ ସ୍ୱାଇଁ, ଦିଲୀପ ସାହୁ ପ୍ରମୁଖ ସାମିଲ ଥିଲେ ।