ଡୁଗୁରୀ ପାହାଡର  ଉନ୍ନତିକରଣ ଦାବି 

 ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ବିଶ୍ୱ ପ୍ରସିଦ୍ଧ ମହିମାଧର୍ମର ଗୁରୁଗାଦି ମହିମା ଗାଦି ନିକଟ ଡୁଗୁରୀ ପାହାଡ ଭଜନ ଚତ୍ୱର ଠାରେ ରଜ ସଂକ୍ରାନ୍ତି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହିମା ସାଧୁ ସନ୍ଥ ଭକ୍ତମାନେ ପ୍ରାତଃ ବ୍ରାହ୍ମ ମୂହୁର୍ତ୍ତରୁ ଗାଦିମନ୍ଦିରରୁ ଭଜନ, ଜଣାଣ ଗାଇ ଗାଇ ଭଜନ ଚତ୍ୱରକୁ ଯାଇଥିଲେ  । ସେଠାରେ ଅଖଣ୍ଡ ବ୍ରହ୍ମ ଧୂନୀ ସ୍ଥାପନ କରାଯିବା ସହିତ ଯଜ୍ଞରେ ଘୃତାହୂତି, ଫୁଲ, ଚନ୍ଦନ, ଫଳ, ନୈବେଦ୍ୟ ପ୍ରଦାନ କରାଯାଇଥିଲା । ସତ୍ୟ ମହିମା ଧର୍ମଧାମ ପରିଚାଳନା ସମିତି ସଭାପତି ଶୁକଦେବ ବାବା, ସଂପାଦକ ନିତ୍ୟାନନ୍ଦ ବାବା, କମିଟି ବରିଷ୍ଠ ସଭ୍ୟ ସୁବ୍ରତ ବାବା, ପ୍ରଫୁଲ୍ଲ ବାବା, ପ୍ରଭାସ ବାବା, ନେପାଳ ବାବା, ନରେନ୍ଦ୍ର ବାବା, ବନମାଳୀ ବାବା, ଧ୍ରୁବ ବାବା, ସାଧୁ ବିଶ୍ୱାନନ୍ଦ ଦାସ, ସାଧୁ ଶ୍ରୀକାନ୍ତ ଦାସ, ସାଧୁ ବ୍ରହ୍ମାନନ୍ଦ ଦାସ,ସାଧୁ ହନୁମାନ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉଲ୍ଲେଖ ଯେ, ୧୯୪୪ ମସିହାରେ ସିଦ୍ଧ ରାମାନନ୍ଦ ବାବା ଓ ସମସାମୟିକ ବାବାଙ୍କ ଦ୍ୱାରା ଡୁଗୁରୀ ପାହାଡ଼ ଉପରେ ଧୂନୀମନ୍ଦିର ସ୍ଥାପନ ପାଇଁ ଶୁଭ ଦିଆଯାଇଥିଲେ ମଧ୍ୟ ପାଣି ନଥିବାରୁ ମନ୍ଦିର ହୋଇ ପାରିନଥିଲା । ସେହିଦିନ ଠାରୁ ପ୍ରତିବର୍ଷ ରଜ ସଂକ୍ରାନ୍ତିରେ ଏଠାରେ ବ୍ରହ୍ମଧୂନୀ ସ୍ଥାପନ କରାଯାଇ ମହିମା ମେଳା ଅନୁଷ୍ଠିତ ହେଉଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପାହାଡ଼ ଉପରକୁ ଯିବା ପାଇଁ ସୁବିଧା ନ ଥିବାରୁ ବରିଷ୍ଠ ବାବାମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ପୀଠର ଉନ୍ନତିକରଣ କରାଗଲେ ଏହା ଅନନ୍ୟ ପରିବେଶ ପୀଠ ହୋଇପାରନ୍ତା । ଏହାର ଉନ୍ନତିକରଣ ପାଇଁ ଯୋରନ୍ଦା ଧର୍ମ ଧାମ ବିକାଶ ପରିଷଦ ଓ ଅଞ୍ଚଳବାସୀ ମାନଙ୍କ ପକ୍ଷରୁ ପ୍ରଶାସନର ଦୃଷ୍ଠି ଆକର୍ଷଣ କରାଯାଉଛି ।