୩ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ: ସହଦେବର ମୁଣ୍ଡରେ ଥିଲା ୧ କୋଟି ପୁରସ୍କାର

ମାଓ ବିରୋଧୀ ଅଭିଯାନରେ ଝାରଖଣ୍ଡ ପୁଲିସକୁ ମଳିଛି ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଛନ୍ତି ୩ଜଣ ଦୁର୍ଦ୍ଦାନ୍ତ ମାଓବାଦୀ । ସେମାନଙ୍କ ମଧ୍ୟରେ ରହିଛି ୧ କୋଟି ଟଙ୍କା ପୁରସ୍କାର ଥିବା ସହଦେବ ସୋରେନ । ଏହି ଏନକାଉଣ୍ଟର ଆଜି ଭୋର ସମୟରେ ହଜାରିବାଗ ଗିରହୋର ପୁଲିସ ଷ୍ଟେସନ ଅନ୍ତର୍ଗତ ପାଣ୍ଟିଟାରୀ ଜଙ୍ଗଲରେ ଘଟିଛି । ସହଦେବ ସୋରେନ ଓରଫ ପରବେଶ ସିପିଆଇ (ମାଓବାଦୀ)ର କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲେ । ପୁଲିସ ସୂତ୍ର ଅନୁସାରେ, ସେମାନେ ତାଙ୍କୁ ବହୁତ ଦିନ ଧରି ଖୋଜୁଥିଲେ । ସିଆରପିଏଫର କୋବ୍ରା ୨୦୯ ଏବଂ ହଜାରିବାଗ ପୁଲିସର ଏକ ମିଳିତ ଟିମ ଏହି ଏନକାଉଣ୍ଟରରେ ଅଂଶଗ୍ରହଣ କରିଥିଲେ ବୋଲି ସେମାନେ କହିଛନ୍ତି । କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଝାଡ଼ଖଣ୍ଡର ହଜାରିବାଗରେ ନକ୍ସଲ ବିରୋଧୀ ଅଭିଯାନରେ ଏକ ବିଶାଳ ସଫଳତା ହାସଲ କରିବା ପାଇଁ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ୍)ର କୋବ୍ରା ବାଟାଲିୟନ ଏବଂ ଝାଡ଼ଖଣ୍ଡ ପୁଲିସକୁ ପ୍ରଶଂସା କରିଛନ୍ତି । 
ଗୋଇନ୍ଦା ସୂଚନା ଆଧାରରେ କରାଯାଇଥିବା ଏକ ସର୍ଚ୍ଚ ଅପରେସନ ସମୟରେ ଆଜି ସକାଳେ କୋବ୍ରା ବାଟାଲିୟନ, ଗିରିଡିହ ଏବଂ ହଜାରିବାଗ ପୁଲିସର ଏକ ମିଳିତ ଦଳ ସହିତ ଏକ ଏନକାଉଣ୍ଟରରେ ଅନ୍ୟ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ସହଦେବ ସୋରେନ ଓ ଅନ୍ୟ ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନକାଉଣ୍ଟରରେ ନିହତ ଦ୍ୱିତୀୟ ମାଓବାଦୀଙ୍କ ନାମ ରଘୁନାଥ ହେମ୍ବ୍ରମ, ଯିଏ ବିହାର-ଝାଡ଼ଖଣ୍ଡ ସ୍ପେଶାଲ୍ ଏରିଆ କମିଟି (ଏସଏସି)ର ସଦସ୍ୟ ଥିଲେ । ତାଙ୍କ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କା ପୁରସ୍କାର ଥିଲା । ଏନକାଉଣ୍ଟରରେ ନିହତ ତୃତୀୟ ମାଓବାଦୀଙ୍କ ନାମ ବୀରସେନ ଗଞ୍ଜୁ ଓରଫ ରାମଖେଲୱାନ, ଯିଏ ସିପିଆଇ (ମାଓବାଦୀ)ର ଆଞ୍ଚଳିକ କମିଟିର ସଦସ୍ୟ ଥିଲେ ଓ ତାଙ୍କ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ଥିଲା । ଏହି ତିନି ଜଣ ମାଓବାଦୀ ବହୁ ଦିନ ଧରି ଝାଡ଼ଖଣ୍ଡ ଓ ବିହାରର ସୀମାନ୍ତ ଅଞ୍ଚଳରେ ସକ୍ରିୟ ଥିଲେ । ଏହି ଅଞ୍ଚଳରେ ଅନେକ ବଡ଼ ମାଓ ଘଟଣା ଘଟାଇବାରେ ସାମିଲ ଥିଲେ ।ସୁରକ୍ଷା ବାହିନୀ ଘଟଣାସ୍ଥଳରୁ ୩ଟି ଏକେ-୪୭ ସମେତ ଅନେକ ଘାତକ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରିଛି ।