୩ ବିହାରୀ ଚୋର ଗିରଫ, ଚୋରି ସାମଗ୍ରୀ ଜବତ

 ଯାଜପୁର ଟାଉନ :  ଯାଜପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ଗତ କିଛିଦିନ ହେବ ଚୋରି ମାମଲା ଲାଗି ରହିଛି । ଚୋର ଲୋକଙ୍କ ଘରୁ କଳାକନା ବୁଲାଇବା ସହ ମନ୍ଦିରକୁ ମଧ୍ୟ ଛାଡ଼ୁନାହାଁନ୍ତି । ଏମାନଙ୍କୁ ଧରିବା ପାଇଁ ପୁଲିିସ ଟିମ୍ ଲାଗିଛନ୍ତି । ମଙ୍ଗଳବାର  ଆଉ ଏକ ଚୋରି ମାମଲା ଯାଜପୁର ଟାଉନ ଥାନାରେ  ରୁଜୁ ହୋଇଛି । ଅଭିଯୋଗକାରୀ ଯାଜପୁର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ବିରଞ୍ଚି ନାରାୟଣ ମହାପାତ୍ରଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ସେ କଟକ ମେଡ଼ିକାଲ କାମରେ ଯାଇଥିବା ସମୟରେ ତାଙ୍କର ଭଡ଼ା ଘରୁ ଚୋର କବାଟ ତାଲା ଭାଙ୍ଗିି ସୁନା ଅଳଙ୍କାର ଓ ନଗଦ ୭ହଜାର ଟଙ୍କା ଚୋରି କରି ନେଇଯାଇଛନ୍ତି । ପୁଲିସ ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ମାମଲା କେଶ ନଂ. ୫୭/୨୫ରେ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲେ ଯେ, କିଛି ବିହାର ଅଞ୍ଚଳର ମିସ୍ତ୍ରୀ ଏହି ଚୋରିରେ ସଂପୃକ୍ତ ଅଛନ୍ତି । ସନେ୍ଦହରେ ପୁଲିସ ଜନବଗିଚାରେ ଭଡ଼ା ରହୁଥିବା ବିହାରୀ ମିସ୍ତ୍ରୀ ପିଂଟୁ କୁମାର (୪୨), କୁଶେଳେଶ୍ୱରରେ ଭଡ଼ା ରହୁଥିବା ରାମଭଜନ ସାହାଣୀ(୪୧), ତାରାମଦନରେ ଭଡ଼ା ରହୁୁଥିବା ଧିରଜ କୁମାର ଗୁପ୍ତା(୪୧) ଅଟକ ରଖିଥିଲା । ଏହି ୩ ଜଣ ଯାକ ବିହାର ରାଜ୍ୟର ବୋଲି ଜଣାପଡ଼ିଛି । ପୁଲିସ ସେମାନଙ୍କୁ ପଚରାଉଚରା କରିବା ସମୟରେ ଜାଣିବାକୁ ପାଇଥିଲେ ଯେ, ଏହି ଚୋରିରେ ଏମାନେ ସଂପୃକ୍ତ ଅଛନ୍ତି । ସେମାନଙ୍କ ଠାରୁ ଚୋରି ହୋଇଥିବା ସୁନା ଅଳଙ୍କାର ଉଦ୍ଧାର ହୋଇଥିଲା । ଏହି ଚୋରମାନେ ଯାଜପୁର ସହରରେ ଭଡ଼ା ନେଇ ଦିନରେ ରାଜମିସ୍ତ୍ରୀ କାମ କରୁଥିଲେ ଓ ରାତିରେ ଚୋରି କରୁଥିଲେ । ଏମାନଙ୍କ ମଧ୍ୟରୁ ରାମ ଭଜନ ସାହାଣୀ ପୂର୍ବରୁ ଚୋରି ମାମଲାରେ ଜେଲ୍ ଯାଇଥିବା ପୁଲିସ ଜାଣିବାକୁ ପାଇଛି । ସେମାନଙ୍କ ଘର ତଲାସି କରି ପୁଲିସ ଚୋରିରେ ବ୍ୟବହୃତ ହେଉଥିବା ଲୁହା ରଡ଼ ଓ ଅନ୍ୟାନ ସାମଗ୍ରୀ, ୩ଟି ମୋବାଇଲ, ଗୋଟିଏ ସ୍କୁଟି ଗାଡ଼ି, ସୁନା ବ୍ରେସଲେଟ ଆଦିି ଜବତ ହୋଇଥିଲା । ମଙ୍ଗଳବାର ଦିନ ସେମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ଏମାନେ ଯାଜପୁରରେ ହେଉଥିବା ଅନ୍ୟ ଚୋରିରେ ସଂପୃକ୍ତି ଅଛନ୍ତି କି ନାହିଁ ତାହା ପୁଲିସ ତଦନ୍ତ କରୁଛି ।