୪ର୍ଥ ମ୍ୟାଚରେ ୧୫ ରନ ଇଂଲଣ୍ଡକୁ ହରାଇଲା

 ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ୪ର୍ଥ ଟି-୨୦ରେ ଇଂଲଣ୍ଡକୁ ୧୫ ରନ୍ରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହା ସହିତ ଭାରତ ଏହି ୫ ମ୍ୟାଚ ବିଶିଷ୍ଟ ସିରିଜକୁ କବ୍ଜା କରିନେଇଛି । ଭାରତ ପକ୍ଷରୁ ରଖାଯାଇଥିବା ୧୮୨ ରନ୍ ଟାର୍ଗେଟ୍ ଜବାବରେ ଇଂଲଣ୍ଡ ୧୯.୪ ଓଭରରେ ୧୬୬ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ହ୍ୟାରୀ ବ୍ରୁକ ୫୧ ଓ ବେନ ଡକେଟ୍ ୩୯ ରନ କରିଥିଲେ । ସେହିପରି ଫିଲିପ ସଲ୍ଟ ୨୩ ରନ୍ କରିଥିଲେ । ଭାରତ ପକ୍ଷରୁ ରବି ବିଷ୍ଣଇ ଓ ହର୍ଷିକ ରାଣା ୩ଟି ଲେଖାଏଁ ୱିକେଟ ନେଇଥିବାବେଳେ ବରୁଣ ଚକ୍ରବର୍ତ୍ତି ୨ଟି ୱିକେଟ ନେଇଥିଲେ ।
ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୧୩ ରନ୍ରେ ଦଳ ୩ଟି ୱିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ପରବର୍ତ୍ତି ବ୍ୟାଟରମାନେ ଭଲ ପ୍ରଦର୍ଶନ କରି ସ୍କୋରକୁ ଏକ ସମ୍ମାନଜନକ ସ୍ଥିତିକୁ ନେଇଯାଇଥିଲେ ।  ବିଶେଷକରି ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୩୦ ବଲ୍ରେ ୫୩ ରନ କରିଥିଲେ । ସେହିପରି ଶିବମ ଦୁବେ ମଧ୍ୟ ୩୪ ବଲ୍ରେ ୫୩ ରନ କରିଥିଲେ । ରିଙ୍କୁ ସିଂ ୩୦ ରନ ଓ ଅଭିଷେକ ଶର୍ମା ୨୯ ରନ କରିଥିଲେ । ଏହି ମ୍ୟାଚରେ ପାକିସ୍ତାନୀ ବଂଶୋଦ୍ଭବ ଦ୍ରୁତ ବୋଲର ସାକିବ ମେହମ୍ମୁଦ ପ୍ରଥମ ଓଭରରେ ୩ଟି ୱିକେଟ ନେଇ ଆତଙ୍କ ଖେଳାଇ ଦେଇଥିଲେ । ସଞ୍ଜୁ ସାମସନ, ତିଲକ ବର୍ମା ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ସେହି ଓଭରରେ ପ୍ୟାଭିଲିୟନ୍ ଫେରାଇ ଦେଇଥିଲେ । ସେ ନିଜ ପ୍ରଥମ ଓଭରରେ ୩ଟି ଯାକ ୱିକେଟ୍ ନେଇଥିଲେ । ସଞ୍ଜୁ ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ତିଲକ ଓ ସୂର୍ଯ୍ୟ ଖାତା ଖୋଲି ପାରିନଥିଲେ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୮୧ ରନ କରିଥିଲା ।