୪୫୧୫ କୋଟି ନିବେଶକୁ ମଞ୍ଜୁରୀ
ଭୁବନେଶ୍ୱର: ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଗଠନର ଲକ୍ଷ୍ୟ ରଖି ଆଗକୁ ବଢୁଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସମାବେଶୀ ଏବଂ ସମତୁଲ ଆଞ୍ଚଳିକ ବିକାଶ ପ୍ରତି ଦୃଷ୍ଟି ଦେଇ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରୁଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୪,୫୧୫ କୋଟିର ୧୮ଟି ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ଏହି ପ୍ରକଳ୍ପ ସବୁ ଅନୁଗୋଳ, ଗଞ୍ଜାମ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ ଓ ଝାରସୁଗୁଡା ଆଦି ୮ଟି ଜିଲ୍ଲାରେ ହେବାର ଥିବାବେଳେ ୮୨ ଶହ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ପ୍ରମୁଖ କ୍ଷେତ୍ର ମଧ୍ୟରେ ସବୁଜ ଊର୍ଜା ଓ ସବୁଜ ହାଇଡ୍ରୋଜେନ୍ କ୍ଷେତ୍ରରେ ଆଇନକ୍ସ ସୋଲାର ଲିମିଟେଡ୍ ଢେଙ୍କାନାଳରେ ୨୮୩ କୋଟି ନିବେଶରେ ୫ ଜିଡବ୍ଲ୍ୟଏଚ ବ୍ୟାଟେରୀ ଏନର୍ଜି ପ୍ଲାଣ୍ଟ ସ୍ଥାପନ କରି ୫୧ ନିଯୁକ୍ତ ସୃଷ୍ଟି କରିବ । ସେହିପରି ଜିନ୍ଦଲ ଷ୍ଟେନେଲେସ୍ ଲିମିଟେଡ୍ ଯାଜପୁରରେ ୯୦ କୋଟିର ନିବେଶ ସହିତ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ରସ୍ତୁତି ୟୁନିଟ୍ ପ୍ରତିଷ୍ଠା କରିବ । ରାୟପୁରର ସବୁଜ ଶକ୍ତି ସାମଗ୍ରୀ ପ୍ରସ୍ତୁତ କମ୍ପାନୀ ଗଞ୍ଜାମରେ ୭୫୦ କୋଟିର ନିବେଶ ସହ ୨ ଗିଗାୱାଟ୍ ସୋଲାର ସେଲ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ । ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଗ୍ରାଭିଟା ଇଣ୍ଡିଆ ଲିମିଟେଡ୍ ଅନୁଗୋଳରେ ୩୫୦ କୋଟି ନିବେଶ କରି ପରିଶୋଧିତ ଲିଡ୍,ମିଶ୍ରଧାତୁ, ପିପି ଗ୍ରାନୁଲ୍ ଉତ୍ପାଦନ କରିବ । ଔଷଧ ଶିଳ୍ପରେ ଷ୍ଟାର କ୍ୟାପ ଗ୍ଳେବାଲ୍ ଏଲଏଲପି ଖୋର୍ଦ୍ଧାରେ ଏକ ଫାର୍ମାସୁ୍ୟଟିକାଲ୍ ପ୍ରକଳ୍ପ ସ୍ଥାପନ କରିବାକୁ ଯାଉଥିବା ସୂଚନା ମିଳିଛି । ଏହି ପ୍ରକଳ୍ପରେ ୮୦ କୋଟିର ବିନିଯୋଗ ହେବ । ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ପ୍ରସ୍ତାବ ସହ ୩ ପ୍ରକଳ୍ପରେ ୩୬୩ କୋଟିରୁ ଅଧିକ ମୂଲ୍ୟର ନିବେଶ ହେବ । ପଦ୍ମା ହସ୍ପିଟାଲିଟି ଜଗତସିଂହପୁରରେ ୬୦ କୋଟି ନିବେଶ ତିନି ତାରକା ହୋଟେଲ ସ୍ଥାପନ କରିବ । ଏସ୍ଏନ୍ଏମ୍ ହୋଟେଲ ଏବଂ ରିସୋର୍ଟ ପ୍ରାଇଭେଟ୍ ଲିମିଟେଡ୍ ଜଗତସିଂହପୁରରେ ପ୍ରାୟ ୯୨ କୋଟିର ନିବେଶରେ ଏକ ଚାରି ତାରକା ହୋଟେଲ ସହିତ ରିସୋର୍ଟ ସୁବିଧା ବିକଶିତ କରିବ । ଓଡିଶା ସ୍ଟିଭେଡୋରସ୍ ଲିମିଟେଡ୍ ପାରାଦୀପ, ଜଗତସିଂହପୁରରେ ୨୧୧ କୋଟି ନିବେଶ କରି ଏକ ପଞ୍ଚ ତାରକା ହୋଟେଲ ନିର୍ମାଣ କରିବ । ଜୀବାଶ୍ମ ଇନ୍ଧନ କ୍ଷେତ୍ରରେ ଭାଇବ୍ରାଣ୍ଟ ସ୍ପିରିଟ୍ସ ସୁନ୍ଦରଗଡରେ ୪ ହଜାର ଏମଟିପିଏ କ୍ଷମତା ସହିତ ଏକ ବାଇଓଗ୍ୟାସ ୟୁନିଟ୍ ସ୍ଥାପନା କରିବ । ଏଥିପାଇଁ ୫୦ କୋଟିର ନିବେଶ କରାଯିବ । ଯାହା ୭୨୫ ନିଯୁକ୍ତି ସୃଷ୍ଟି କରିବ । ଷ୍ଟିଲ୍ ଏବଂ ଡାଉନଷ୍ଟିମ୍ ଇଣ୍ଡଷ୍ଟି୍ର କ୍ଷେତ୍ରରେ ବିଟାବିଲ୍ଡସ୍ ଟେକ୍ନୋଲୋଜି ସୁନ୍ଦରଗଡରେ ଏକ ଷ୍ଟିଲ୍ ପ୍ରୋସେସିଂ ୟୁନିଟ୍ ସ୍ଥାପନ କରିବାକୁ ଯାଉଛି । ଯାହା ଇଆରଡବ୍ଳୁ୍ୟ ପାଇପ୍ ନିର୍ମାଣ , ପିଇବି ପ୍ରସ୍ତୁତି ଓ ଏଚଆର କଏଲ ସ୍ଲିଟିଂ ପ୍ରସ୍ତୁତି କରିବ । ଏହି ପ୍ରକଳ୍ପରେ ୧୩୧.୫୫ କୋଟିର ନିବେଶ ହେବ ।କୋଣାର୍କ ଇସ୍ପାତ ପକ୍ଷରୁ ଝାରସୁଗୁଡାରେ ରୋଲିଂ ମିଲ, ପେଲେଟ୍ ପ୍ଲାଣ୍ଟ, ୭୦ ମେଗାୱାଟ୍ କ୍ୟାପ୍ଟିଭ୍ ପାୱର୍ ପ୍ଲାଣ୍ଟ, ଡିଆରଆଇ ପ୍ଲାଣ୍ଟ ଏବଂ ଏମଟିପିଏ ବିଲେଟ୍ ପ୍ଲାଣ୍ଟ କରି ଏହାର କ୍ଷମତାକୁ ସଂପ୍ରସାରିତ କରିବ । ଫଳରେ ୯୯୦ କୋଟିର ନିବେଶ ହେବ । ଯାହା ୨ ହଜାର କର୍ମ ସଂସ୍ଥାନ ସୃଷ୍ଟି କରିବ । ଭିତ୍ତିଭୂମି ଓ ଆନୁଷଙ୍ଗିକ କ୍ଷେତ୍ରରେ ଶ୍ରୀଜଗନ୍ନାଥ କ୍ୟାରିଅର୍ସ ଏକ ଲଜିଷ୍ଟିକ୍ସ ପାର୍କ ଓ ଗୋଦାମ ସୁବିଧା ଅନୁଗୋଳରେ ୧୧୨ କୋଟିର ନିବେଶରେ ସ୍ଥାପନ କରିବ । ସାପିଏଣ୍ଟ ରିସୋର୍ସସ ଅନଗୁଳରେ ୭୦ କୋଟିର ନିବେଶ ସହିତ ଓପନର ପ୍ରକଳ୍ପ ସ୍ଥାପନ କରିବ । ଇଲେକ୍ଟି୍ରକ୍ ଯାନ କ୍ଷେତ୍ରରେ ସାନକା ଅଟୋ କର୍ପ୍ ଖୋରଧାରେ ଏକ ବିଦୁ୍ୟତ୍ ଯାନ ଉତ୍ପାଦନ ପ୍ରତିଷ୍ଠାନରେ ୩୦୦ କୋଟି ବିନିଯୋଗ କରିବ । ଡିଜିଟାଲ୍ ଏବଂ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଶ୍ରୀଟେକ୍ ଡାଟା ଲିମିଟେଡ୍ ଖୋର୍ଦ୍ଧାରେ ୫୦୧ କୋଟିର ବିନିଯୋଗ କରିବ । ୱେଷ୍ଟ ଏଜ୍ ଡାଟା ସେଣ୍ଟର୍ସ ଖୋର୍ଦ୍ଧାରେ ୫୦ କୋଟି ନିବେଶରେ ଏକ ଡାଟା ସେଣ୍ଟର୍ ଓ ସାଟେଲାଇଟ୍ ଇଣ୍ଟର୍ନଟ୍ ସେବା ୟୁନିଟ୍ ସ୍ଥାପନା କରିବ । ଖାଦ୍ୟ ଓ ପାନୀୟ ସେକ୍ଟରରେ ଇଲିକ୍ସିର୍ ଅଫ୍ ଇଷ୍ଟ – ଦ ଆର୍ଟିସାନ୍ ଡିଷ୍ଟିଲେରୀ ଏଲ୍ଏଲପି ଖୋର୍ଦ୍ଧାରେ ଏକ ସ୍ଫିରିଟ୍ ଉତ୍ପାଦନ ୟୁନିଟ୍ରେ ୯୩.୬୫ କୋଟି ନିବେଶ କରିବ । ଏସୋସିଏଟେଡ୍ ଆଲକୋହଲସ୍ ଏବଂ ବ୍ରିଓ୍ୱେରିଜ୍ ଲିମିଟେଡ୍ ୩୦୦ କୋଟିର ନିବେଶ ହେବ ।