୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘର ପେନ୍ସନ୍ ଦାବିରେ ବିକ୍ଷୋଭ

ଛତ୍ରପୁର:  ନିଖିଳ ଓଡିଶା ୬୬୨(+୨ଓ +୩) ବର୍ଗ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ପେନ୍ସନ ଓ ଚାକିରି ସର୍ତ୍ତାବଳୀ ଦାବି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ସହିତ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟିଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ସମ୍ପାଦକ ଶିଶିର କାନ୍ତ ବିଷୋୟୀ ଓ କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଜିଲ୍ଲାର ଶତାଧିକ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସ୍ଥାନୀୟ କଲେଜ ଛକ ଠାରୁ ଏକ ଶୋଭାଯାତ୍ରାରେ ନିଜ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ପହଞ୍ଚôଥିଲେ । ସେଠାରେ ସେମାନଙ୍କ ଦାବିଗୁଡିକ ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦୀର୍ଘ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଏହି ବର୍ଗର ଅଧ୍ୟାପକ ଓ କର୍ମଚାରୀ ମାନେ ଶିକ୍ଷାଦାନ କରି ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କୁ ଚାକିରି ସର୍ତ୍ତାବଳୀ ପ୍ରଦାନ କରାଯାଇ ନାହିଁ କି ପେନସନ ପରିଭୁକ୍ତ କରାଯାଇ ନାହିଁ । ବାରମ୍ବାର ସରକାରଙ୍କୁ ଏହି ଦାବି ସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ତେଣୁ ଆଜି ସେମାନଙ୍କ ଦାବି ଉପରେ ପୁର୍ନବାର ଅବଗତ କରାଯାଇଛି । ଏ ନେଇ ଆସନ୍ତା ୧୬ ତାରିଖ ଦିନ ଭୁବନେଶ୍ୱରରେ ଏହି ବର୍ଗ ର ଅଧ୍ୟାପକ ଓ କର୍ମଚାରୀମାନେ ଆନେ୍ଦାଳନ କରିବେ, ତଥାପି ସରକାର ଦାବି ପୂରଣ ନ କଲେ ଆଗାମୀ ଦିନ ରେ କାର୍ଯ୍ୟବନ୍ଦ କରି ଆନେ୍ଦାଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘର ଜିଲ୍ଲା ଉପସଭାପତି ଦିଗାମ୍ବର ବିଷୋୟୀ, ସଂଯୁକ୍ତା ପଣ୍ଡା, ସସ୍ମିତା ସାମନ୍ତରାୟ, ଜିତେଶ ରାଓ ଦୋରା, ମାନସ ପଟ୍ଟନାୟକ, ମନୋଜ କୁମାର ତ୍ରିପାଠୀ, ପ୍ରଦୀପ କୁମାର ପରମଗୁରୁ ଓ ବିଭୁପ୍ରସାଦ ପାଢ଼ୀଙ୍କ ସମେତ ଜିଲ୍ଲାର ଏହି ବର୍ଗର ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ଢେଙ୍କାନାଳ,୭ା୮: ରାଜ୍ୟ ସଂଘର ଆହ୍ୱାନକ୍ରମେ ଢେଙ୍କାନାଳ ଜିଲ୍ଲା ୬୨୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘର ପେନ୍ସନ୍ ଓ ଚାକିରୀ ସର୍ତ୍ତାବଳୀ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରର୍ଶନ କରାଯାଇଛି । ଦୀର୍ଘ ୩୦ରୁ ୩୫ବର୍ଷ ଧରି ଏ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ଗ୍ରାମାଞ୍ଚଳର ୭୦ଭାଗରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ନୀରବଚ୍ଛିନ୍ନ ଭାବରେ ଶିକ୍ଷାଦାନ କରି ଅବସର ଗ୍ରହଣ କରିବା ପରେ ସେମାନଙ୍କ ପାଇଁ ନା ଅଛି ପେନ୍ସନ୍, ନା ଅଛି ଚାକିରି ସର୍ତ୍ତାବଳୀ । ତେଣୁ ସେମାନେ ଅବସର ପରେ ନାହିଁ ନ ଥିବା ଦୁଃଖ ଓ ଦୁର୍ଦ୍ଦିନରେ କଳାତିପାତ କରୁଛନ୍ତି । ଉକ୍ତ ଘେରାଉ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି, ଅଧ୍ୟକ୍ଷ ଗୋଳକ ନାୟକ ଯୋଗଦାନ କରି ବର୍ତ୍ତମାନର ସରକାରଙ୍କୁ ସଚେତନ କରାଇବା ସହିତ ଖୁବ୍ ଶୀଘ୍ର ଏ ବର୍ଗର ଶିକ୍ଷକମାନଙ୍କର ଦାବି ପୂରଣ ପାଇଁ ସରକାରଙ୍କ ପାଖରେ ଦୃଢ ଦାବି ରଖିଥିଲେ । ଯଦି ଦାବି ପୂରଣ ନ ହୁଏ, ତେବେ ଆଗାମୀ ଦିନରେ ଏ ବର୍ଗର ସମସ୍ତ ଶିକ୍ଷାନୁଷ୍ଠାନରେ ତାଲା ଝୁଲିବ ବୋଲି ଚେତାବନୀ ଦେଇଥିଲେ । ଆଜିର ଏହି ବିରାଟ ଶୋଭାଯାତ୍ରାରେ ଜିଲ୍ଲାର ଶତାଧିକ ଅଧ୍ୟାପକ ଓ କର୍ମଚାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଆସି ନାର୍ଯ୍ୟ ଦାବି ହାସଲ କରିବା ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ,  ଶିକ୍ଷାମନ୍ତ୍ରୀ  ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।  ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଡଃ. ସମୀର କୁମାର ସାହୁ, ପୂର୍ବନେ ସଭପତି ବିଜୟ କୁମାର ପଟ୍ଟନାୟକ, ଜିଲ୍ଲା ସଂପାଦକ ପ୍ରଭାତ କୁମାର ସାମଲ, ଶିଶିର କୁମାର ରାଉତ, ପ୍ରଦୀପ ମିଶ୍ର, ଜିଲ୍ଲା ଉପସଭାପତି ଡଃ. କବିତା ମହାନ୍ତି ଓ ଡଃ ପୁଷ୍ପଲତା ରଥ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଏକ ୫ଜଣିଆ ଶିକ୍ଷକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରମେଶ କୁମାର ସେଠୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ନବରଙ୍ଗପୁର: ନିଖିଳ ଓଡ଼ିଶା ୬୬୨ ବର୍ଗ (+୨ ଓ +୩) ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ନବରଙ୍ଗପୁର ଜିଲ୍ଲା ଶାଖା ପକ୍ଷରୁ  ପ୍ରଧାନମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦେ୍ଦଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ  ବିଶ୍ୱଜିତ  ବର୍ମନଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସଂଘର ନିଷ୍ପତ୍ତି ଅନୁଯାୟୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକଅଧ୍ୟାପିକା ଓ କର୍ମଚାରୀ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ସମ୍ପାଦକ ତଥା ଝରିଗାଁ  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକ, ଜିଲ୍ଲା ସଂଯୋଜକ ଅଧ୍ୟାପକ ଅନିଲ କୁମାର ପୃଷ୍ଟିଙ୍କ ସହ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ  ସାମିଲ ହୋଇ ଚାକିରି ସର୍ତ୍ତାବଳୀ ଓ ପେନସନ ପାଇଁ  ଦାବି ରଖିଥିଲେ । ଏହାପରେ ଜିଲ୍ଲାର ୬୬୨ ଜିଲ୍ଲା ସଂଘର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୬ ଅଗଷ୍ଟରେ ରାଜ୍ୟସ୍ତରୀୟ ସମାବେଶରେ ନିଜର ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ସମସ୍ତେ ସାମିଲ ହୋଇ ସଫଳ କରିବା ପାଇଁ ସ୍ଥିର ହୋଇଥିଲା ।