ଖବର ପ୍ରକାଶ ପରେ ବିଭାଗର ତତ୍ପରତା ଏମିତି... କ୍ରସର ଡଷ୍ଟରେ କୁଆଖିଆ-ଜେନାପୁର ରାସ୍ତା ମରାମତି 

 କୁଆଖିଆ : କୁଆଖିଆ-ଜେନାପୁର ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ବିଭାଗୀୟ ଯନ୍ତ୍ରୀ-ଠିକାଦାରଙ୍କ ମନମାନୀ ଚାଲିଛି । ବର୍ତ୍ତମାନ ବର୍ଷା ଋତୁ ଯୋଗୁଁ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ଗୁଡିକରେ ପାଣି ଜମି ଲୋକଙ୍କ ପାଇଁ ବିପଦର କାରଣ ହୋଇଛି । ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି । ଏହି ରାସ୍ତା ପୂର୍ତ ବିଭାଗ ଅଧିନରେ ଯାଉଥିବା ବେଳେ ଦୀର୍ଘ ବର୍ଷ ଧରି କେବଳ ମରାମତିରେ କୋଟି କୋଟି ଟଙ୍କା ଆତ୍ମସାତ ହୋଇଛି ସିନା ରାସ୍ତାଟି ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇ ପାରିଲା ନାହିଁ । ଏସମସ୍ୟା ସମ୍ପର୍କରେ ସୂର୍ଯ୍ୟପ୍ରଭାରେ  ଖବର ପ୍ରକାଶ ପାଇବା ପରେ ବିଭାଗ ତତ୍ପରତା ନାମକୁ ମାତ୍ର ମରାମତିରେ ଚାଲିଛି । ଯାହା ଅସରାଏ ବର୍ଷାରେ ପୋତା ଯାଉଥିବା କ୍ରସର ଡଷ୍ଟ ଗୁଡିକ ଧୋଇ ହୋଇ ପୂର୍ବ ପରି ଖାଲ ସୃଷ୍ଟି ହେବ । ରାସ୍ତାଟି ବ୍ୟସ୍ତ ବହୁଳ ରାସ୍ତା ଯୋଗୁଁ ପ୍ରତ୍ୟେକ ଦିନ ଏହି ରାସ୍ତାରେ ହଜାର ହଜାର ଯାନବାହନ, ସରକାରୀ, ବେସରକାରୀ ଗାଡି, ସ୍କୁଲ କଲେଜ୍ ଛାତ୍ରଛାତ୍ରୀ, ମାଲବାହୀ ଗାଡି ସହିତ ଅତ୍ୟାବଶ୍ୟକୀୟ ଗାଡି ଗୁଡିକର ଗହଳି ଲାଗି ରହୁଛି । ରାସ୍ତା ଶୋଚନୀୟ ଅବସ୍ଥା ପାଇଁ ବିଗତ ଦିନରେ ବହୁ ଦୁର୍ଘଟଣା ଘଟି ଲୋକଙ୍କ ଧନଜୀବନ ହାନୀ ହୋଇଛି । ଏହାର ସ୍ଥାୟୀ ସମାଧାନ ନିମନ୍ତେ ୨୦୨୩ ମସିହା ନଭେମ୍ବର ୮ତାରିଖରେ ୧୪.୧୪୭ କି.ମି ରାସ୍ତାର ସମ୍ପ୍ରସାରଣ ନିମନ୍ତେ ୧୮କୋଟି ୨୯ଲକ୍ଷ୍ୟ ଟଙ୍କା ବ୍ୟୟବରାଦ ହୋଇ ଭିତିପ୍ରସ୍ତର ହୋଇ କାର୍ଯ୍ୟ ଆରମ୍ଭ ହୋଇ ଥିଲେ ମଧ୍ୟ ତାହା ଏଯାବତ ସମ୍ପୂର୍ଣ୍ଣ ହେବାର ନାଁ ଧରୁନି । ନୂଆ ସରକାର କ୍ଷମତାକୁ ଆସିବା ପରେ ଠିକାଦାରୀତାକୁ ନେଇ ବିରୋଧୀ ଏବଂ ଶାସକ ମଧ୍ୟରେ କନ୍ଦଳ କାରଣରୁ ଆଗେଇ ନପାରି ବନ୍ଦ୍ ରହିବା ପରେ ପୁନର୍ବାର କାର୍ଯ୍ୟ ଆରମ୍ଭ ହେଉଛି । ମାତ୍ର ଏହି ସମ୍ପ୍ରସାରଣ କାର୍ଯ୍ୟ ଏଷ୍ଟିମେଟ୍ ଅନୁଯାୟୀ ନ ହୋଇ ମନମାନୀରେ ହେଉଥିବା କାରଣରୁ ରାସ୍ତାର ସ୍ଥାୟୀତ୍ୱ ପ୍ରତି ସନେ୍ଦହ ସୃଷ୍ଟି ହୋଇଛି । ଏହାକୁ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ନଦେବା ଯୋଗୁଁ ରାସ୍ତାଟି ମଧୁବନ ବ୍ୟାଙ୍କ୍ ଛକ ଠାରୁ ମଠସାହି ଛକ ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଛି । ଯୋଉଥିରେ ଦୈନନ୍ଦିନ ବିଭିନ୍ନ ଦୁର୍ଘଟଣା ଘଟୁଛି । ରାସ୍ତାର ମଧ୍ୟ ଭାଗ ଉଚ୍ଚା ନହେବା ଫଳରେ ଢଳେଇ ହୋଇଥିବା ରାସ୍ତା ମଧ୍ୟରେ ବର୍ଷା ପାଣି ଜମି ରହୁଥିବା ଦେଖାଦେଇଛି ଏବଂ ରାସ୍ତାରୁ ବର୍ଷା ଜଳ ନିଷ୍କାସନ ପାଇଁ ଏଷ୍ଟିମେଟ୍ରେ ଥିବା ଡ୍ରେନ୍ ପ୍ଲାନ୍କୁ ମଧ୍ୟ ବିଭାଗ ଗୁରୁତ୍ୱ ଦେଉ ନଥିବା ଦେଖାଦେଇଛି । ତେବେ ରାସ୍ତାକୁ ସଠିକ୍ ଭାବରେ କରିବା ପାଇଁ କୁଆଖିଆ ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ମାନଙ୍କ ମଧ୍ୟରେ ଦାବି ହେଉଛି ।