୭ରୁ ଧାନ ସଂଗ୍ରହ : ୧୬୨ ସଂଗ୍ରହ କେନ୍ଦ୍ରରେ ଧାନ ଦେବେ ୫୩,୧୭୯ ଚାଷୀ

ଯାଜପୁର ଟାଉନ: ଆସନ୍ତାମାସ ୭ ତାରିଖରୁ ଯାଜପୁର ଜିଲାରେ ଧାନ ସଂଗ୍ରହ କରାଯିବ । ପଞ୍ଜିକୃତ ହୋଇଥିବା ୫୩.୧୭୯ ଚାଷୀଙ୍କ ଠାରୁ ୧୨୭ଟି ପ୍ରାଥମିକ କୃଷି ସମବାୟ ସମିତି ଏବଂ ୩୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ଧାନ ସଂଗ୍ରହ କରାଯିବ । ରବିବାର ଜିଲାରେ ଖରିଫ୍ ବର୍ଷ ୨୦୨୪-୨୫ ପାଇଁ ଧାନ ସଂଗ୍ରହ କମିଟି ବୈଠକରେ ଏଭଳି ସୂଚନା ଦିଆଯାଇଛି । ଜିଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, କୋରେଇ ବିଧାୟକ ଆକାଶ ଦାସ ନାୟକ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, ଯାଜପୁର ବିଧାୟିକା ସୁଜାତା ସାହୁ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ, ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନା, ଶୁଭେନ୍ଦ୍ର କୁମାର ସାମଲ, ଉପଜିଲାପାଳ ଅଂଶୁମାନ ଶତପଥୀ ଯୋଗ ଦେଇଥିଲେ । ଜିଲା ଯୋଗାଣ ଅଧିକାରୀ ସଲ୍ଲାଉଦ୍ଦିନ ଖାଁ ସ୍ୱାଗତ ଭାଷଣ ଦେଇଧାନ ସଂଗ୍ରହ ସଂପର୍କରେ ସୂଚନା ଦେଇଥିଲେ । ଚଳିତ ବର୍ଷ ଏମଏସପି ବୃଦ୍ଧି କରାଯାଉଥିବାରୁ ଧାନସଂଗ୍ରହ ବୃଦ୍ଧି ପାଇବ ବୋଲି ବିଧାୟକ ମତ ପୋଷଣ କରିଥିଲେ । ଜିଲାପାଳ ପି. ଅନ୍ୱେଷା ରେଡ୍ଡୀ  ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ମାନଙ୍କରେ ପର୍ଯ୍ୟାପ୍ତ ସୁବିଧା, ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଏବଂ ଚୋରାଚାଲାଣ ରୋକିବା ପାଇଁ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଠନ କରାଯାଇଥିବା କଥା ଅବଗତ କରିଥିଲେ ।  ଧାନର ମାନ ନିରୀକ୍ଷଣ କରିବା ପାଇଁ ଗ୍ରେନ୍ ଆନାଲାଇଜର ଏବଂ ଡିଜିଟାଲ ଆଦ୍ରତା ମାପ ଯନ୍ତ୍ରର ବ୍ୟବସ୍ଥା ହୋଇଛି । ବାହାର ଜିଲାରୁ କିମ୍ବା ଆନ୍ତଃରାଜ୍ୟ ଧାନ ବିକ୍ରି ରୋକିବା ପାଇଁ ଆରକ୍ଷୀ ଅଧିକ୍ଷକ ପଦକ୍ଷେପ ଗ୍ରହଣ କରିବେ । ଧାନର ମାନ ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିବା ପାଇଁ ପଞ୍ଚାୟତ ସ୍ତରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଜିଲାରେ ୫୦ଟି ପ୍ୟାକସ୍ର ଗୋଦାମ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି । ଚାଷୀମାନେ ଯେପରି କଟନୀ ଛଟନୀ ଶିକାର ନହେବେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ବିଧାୟକ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥଲେ । ଚଳିତ ବର୍ଷ ଜିଲାରେ ଚାଷୀ ମାନଙ୍କଠାରୁ ୧୫ ଲକ୍ଷ ୭୫ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ରହିଛି ବୋଲି ଜିଲା ଯୋଗାଣ ଅଧିକାରୀ ପ୍ରକାଶ କରିଥିଲେ । ବରୀ ଓ ରସୁଲପୁର ବ୍ଲକରେ ଚାଷୀ ପଞ୍ଜିକରଣ କମ ଥିବାରୁ ସେଥିପ୍ରତି ଧ୍ୟାନ ଦେବାକୁ ବିଧାୟକ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏଫ୍ଏକୁ୍ୟ ଧାନରେ କଟନୀ ଛଟନୀ ହେଲେ କର୍ମଚାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲାପାଳ ପ୍ରକାଶ କରିଥିଲେ । ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କୁ ପ୍ରାପ୍ୟ ପ୍ରଦାନ କରାଯିବ । ବୈଠକରେ ଜିଲା ଧାନ ସଂଗ୍ରହ କମିଟିର ସଦସ୍ୟ, ଚାଷୀ ପ୍ରତିନିଧି, ମିଲର, ଯୋଗାଣ ଓ ସମବାୟ ବିଭାଗର କର୍ମକର୍ତା ପ୍ୟାକସ୍ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।