୭୮୩୭୦ ହେକ୍ଟର ଜମିରେ ହେବ ରବି ଫସଲ
ସମ୍ବଲପୁର: ଚଳିତ ରବି ଋତୁରେ ସମ୍ବଲପୁର ଜିଲ୍ଲାର ୭୮୩୭୦ ହେକ୍ଟର ଜମିରେ ଧାନ ସହିତ ବିଭିନ୍ନ ଫସଲ ଚାଷ କରାଯିବାକୁ ସ୍ଥିର କରାଯାଇଛି । ବିଶେଷ କରି ଖରିଫ୍ ଋତୁରେ ଧାନ ଚାଷ ଉତ୍ତାରୁ ଅବ୍ୟବହୃତ ଜମିର ଆର୍ଦ୍ରତା ବ୍ୟବହାର କରି ଜିଲ୍ଲାର ୧୩ ହଜାର ହେକ୍ଟର ଜମିରେ ଅନ୍ୟାନ୍ୟ ରବି ଶସ୍ୟକୁ ସାମିଲ କରାଯିବ । ଏଥିପାଇଁ ଏକ ପାଇଲଟ୍ ପ୍ରୋଜେକ୍ଟ ହାତକୁ ନିଆଯାଇଛି । ସେହିଭଳି ଜଳସେଚିତ ଅଞ୍ଚଳରେ ଫସଲର ବିଭିଧତା ଅନୁସାରଣ କରାଯାଇ କମ୍ ଖର୍ଚ୍ଚରେ ଅଧିକ ଶସ୍ୟ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥର ରବି ଋତୁରେ ୧୪୭୮୦ ହେକ୍ଟର ଜମିରେ ଉଚ୍ଚ ଅମଳକ୍ଷମ ଧାନ, ୮୦ ହେକ୍ଟରରେ ଗହମ, ୯୭୦ ହେକ୍ଟରେ ମକା ଓ ୫୦ ହେକ୍ଟର ଜମିରେ ମିଲେଟ୍ ସହିତ ୧୫୮୮୦ହେକ୍ଟର ଜମିରେ ଖାଦ୍ୟ ଶସ୍ୟ ଉତ୍ପାଦନ କରାଯିବ । ୨୧୪୦୦ ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ଚାଷ କରାଯାଉଛି । ୧୨୯୯୦ ହେକ୍ଟର ଜମିରେ ମୁଗ, ୭୧୦ ହେକ୍ଟର ଜମିରେ ବିରି, ୮୩୪୦ ହେକ୍ଟର ଜମିରେ କୋଳଥ, ୧୮୦୦ ହେକ୍ଟର ଜମିରେ ଚଣା, ୭୫୦ ହେକ୍ଟର ଜମିରେ ମଟର ଚଣା, ୨୪୦୦ ହେକ୍ଟର ଜମିରେ ନାକୁଆ ଚଣା, ୩୫୦ ହେକ୍ଟର ଜମିରେ ମସୁର ଓ ୧୩୦୦ ହେକ୍ଟର ଜମିରେ ଅନ୍ୟାନ୍ୟ ଡାଲି ଜାତୀୟ ଫସଲ କରାଯିବ । ଏଥର ରବି ଋତୁରେ ଜିଲ୍ଲାର ୧୬୩୪୦ ହେକ୍ଟର ଜମିରେ ତୈଳବୀଜ ଜାତୀୟ ଫସଲ କରାଯିବ । ସେଥିରୁ ୧୩୨୦ ହେକ୍ଟରରେ ଚିନାବାଦାମ, ୪୭୦୦ ହେକ୍ଟରରେ ରାଶି, ୯୯୧୦ ହେକ୍ଟରରେ ସୋରିଷ, ୧୦ ହେକ୍ଟରରେ ଜଡ଼ା ଓ ୪୦୦ ହେକ୍ଟର ଜମିରେ ସୂର୍ଯ୍ୟମୁଖୀ ଚାଷ କରାଯିବ । ଜିଲ୍ଲାର ୧୫୪୭୦ ହେକ୍ଟର ଜମିରେ ପନିପରିବା ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିରୁ ୨୬୦୦ ହେକ୍ଟର ଜମିରେ ଆଳୁ, ୫୦୦ ହେକ୍ଟରରେ ଖମ୍ବଆଳୁ, ୩୬୦୦ ହେକ୍ଟରରେ ପିଆଜ ଓ ୯୦୪୦ ହେକ୍ଟର ଜମିରେ ଅନ୍ୟାନ୍ୟ ପନିପରିବା ଚାଷ କରାଯିବ । ୮୯୬୦ ହେକ୍ଟର ଜମିରେ ମସଲ ଜାତୀୟ ଫସଲ କରାଯିବାକୁ ଧାର୍ଯ୍ୟ ହୋଇଛି । ଏଥିରୁ ୫୧୬୦ ହେକ୍ଟର ଜମିରେ ଲଙ୍କା, ୧୧୦୦ ହେକ୍ଟରରେ ଅଦା, ୨୧୦୦ ହେକ୍ଟରରେ ଧନିଆ ଓ ୬୦୦ ହେକ୍ଟର ଜମିରେ ଅନ୍ୟାନ୍ୟ ମସଲା ଜାତୀୟ ଫସଲ କରାଯିବ । ଏଥର ୫୦ ହେକ୍ଟର ଜମିରେ ଆଖୁ, ଅନ୍ୟାନ୍ୟ ଗୋଖାଦ୍ୟ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି । ଗତ ବର୍ଷ ରବି ଋତୁରେ ୭୫୩୦୬ ହେକ୍ଟର ଜମିରେ ବିଭିନ୍ନ ଫସଲ କରାଯାଇଥିଲା । ଏ ବର୍ଷ ରବି ଋତୁରେ ଚାଷୀମାନଙ୍କୁ ୩ଶହ ୧୫କୋଟି ଟଙ୍କାର କୃଷିଋଣ ସମବାୟ ଜରିଆରେ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ବ୍ୟବସାୟିକ ବ୍ୟାଙ୍କମାନଙ୍କ ଜରିଆରେ ୨୦୨୪-୨୫ ଆର୍ଥିକ ବର୍ଷରେ ୧୭୮୮ କୋଟି ୫୪ ଲକ୍ଷ ଟଙ୍କାର ଋଣ ଯୋଗାଣ ପାଇଁ ଧାର୍ଯ୍ୟ ହୋଇଛି ।