ୱିଣ୍ଟର ଭୋମିଟିଂ ଓ ନୋରା ଭାଇରସ୍‌

ଡା.ଉମେଶ ଚନ୍ଦ୍ର ପାତ୍ର : ବର୍ତ୍ତମାନ ଚାରିଆଡେ଼ କୁହୁଡ଼ିର ଚାଦର । ଶୀତୁଆ ପରିବେଶରେ କୋହଲା ଥଣ୍ଡା ପବନ ଜନ ଜୀବନକୁ ଅସ୍ତବ୍ୟସ୍ତ କରିବା ସହ ଅନେକଙ୍କ ପାଇଁ ବିଭିନ୍ନ ଶାରୀରିକ ସମସ୍ୟା ସବୁ ସୃଷ୍ଟି କରୁଛି । ଏହିପରି ସମୟରେ ବିଶେଷକରି ଶୀତ ଦିନେ ପ୍ରାୟତଃ ଶରୀର ଉତ୍ତାପ ଖୋଜିଥାଏ ଏବଂ ଥଣ୍ଡା ହେବା ସ୍ୱାଭାବିକ । ତେବେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଶୀତୁଆ ପରିବେଶରେ ଝାଡ଼ାବାନ୍ତି ହେଲେ ଏହାକୁ ହାଲକା ଭାବେ ଗ୍ରହଣ କରନ୍ତୁ ନାହିଁ । ତେବେ ଏହାଠାରୁ ଆହୁରି ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶୀତ ଦିନରେ ଅସ୍ୱାଭାବିକ ଭାବେ ବାନ୍ତି ହେବା । ବାନ୍ତି ହେବା ଯେ ଏକ ବଡ଼ ରୋଗ ଆମେ କହୁନା କିନ୍ତୁ ଏହି ବାନ୍ତି ୱିଣ୍ଟର ଭୋମିଟିଂ ନୁହେଁ ତ? ୱିଣ୍ଟର ଭୋମିଟିଂର ମୂଳ କାରଣ ହୋଇଥାଏ ନୋରୋ ଭାଇରସ । ନୋରୋ ଭାଇସରକୁ ଶୀତକାଳୀନ ବାନ୍ତି ଭୂତାଣୁ ମଧ୍ୟ କୁହାଯାଇଥାଏ । ଏହା ଏପରି ଏକ ଭୂତାଣୁ ଯାହା ଶରୀରରେ ପ୍ରବେଶ କଲା ପରେ ବାନ୍ତି ଓ ବାରମ୍ବାର ମଳତ୍ୟାଗ ହେବାଭଳି ସମସ୍ୟା ସୃଷ୍ଟି ହୋଇଥାଏ । ବିଶେଷକରି ଶିଶୁ ମାନଙ୍କୁ ଏହି ଭୂତାଣୁ ଅଧିକ ହାନି ପହଞ୍ଚାଇଥାଏ । ଜଳ ଓ ବାୟୁ ଦ୍ୱାରା ବ୍ୟାପିଥାଏ ଏହି ଭାଇରସ । ସ୍ୱାସ୍ଥ୍ୟ ବିଜ୍ଞାନ କ୍ଷେତ୍ରରେ ଏହାକୁ ଝାଡ଼ା ଓ ବାନ୍ତିର ଅଧିକ ସଂକ୍ରାମକ ରୂପ ବୋଲି କୁହାଯାଏ । ଏକ ଆମେରିକୀୟ ସ୍ୱାସ୍ଥ୍ୟ ପତ୍ରିକାରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ ପ୍ରତ୍ୟେକ ବର୍ଷ ଆମେରିକାରେ ପ୍ରାୟ ୨୦ ନିୟୁତରୁ ଅଧିକ ଲୋକ ନୋରୋ ଭାଇସରରେ ଆକ୍ରାନ୍ତ ହୁଅନ୍ତି । 

 

  ୨୦୨୨-୨୩ ବର୍ଷ ତୁଳନାରେ ୨୦୨୪-୨୫ରେ ଏହି ଭାଇରସ ୪୯ ପ୍ରତିଶତ ବୃଦ୍ଧି ପାଇଥିବା ବିଭିନ୍ନ ରିସର୍ଚ୍ଚରୁ ସ୍ପଷ୍ଟ ହୋଇଛି । ଭାରତରେ ଏହି ସ୍ୱାସ୍ଥ୍ୟ ସମସ୍ୟା ସବୁ ସ୍ଥାନରେ ଦେଖିବାକୁ ମିଳୁନଥିଲେ ବି କିଛି କିଛି ସ୍ଥାନରେ ଏହି ସମସ୍ୟା ପିଲାମାନଙ୍କ ଠାରେ ଦେଖିବାକୁ ମିଳୁଥିବାର ଖବର ଆସୁଛି । ନୋରୋ ଭାଇରସ ଲକ୍ଷଣ ଦେଖିବାକୁ ମିଳେ ସଂକ୍ରମଣର ୧୨ରୁ ୪୮ ଘଣ୍ଟା ମଧ୍ୟରେ । ଝାଡ଼ା, ବାନ୍ତି, ପେଟ ଯନ୍ତ୍ରଣା ସହ ଏହି ସଂକ୍ରମଣ ସମୟରେ ଅତ୍ୟଧିକ ମୁଣ୍ଡବିନ୍ଧା ମଧ୍ୟ ହୋଇଥାଏ । ପେଟ ଯନ୍ତ୍ରଣା ବଢ଼ିଲେ ଏହା ଆପଣଙ୍କ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କୁହାଯାଉଥିବା ଲିଭରକୁ ସଂକ୍ରମିତ କରିବାର ସମ୍ଭାବନା ରଖିଥାଏ ଯାହାଦ୍ୱାରା ପୀଡ଼ିତ ଜଣଙ୍କୁ ଭୋକ ଲାଗିନଥାଏ କିନ୍ତୁ କୌଣସି ପ୍ରକାର ଖାଦ୍ୟ ଏପରିକି ପାନୀୟ ଗ୍ରହଣ କରିବା ମାତ୍ରେ ତକ୍ରାଳ ବାନ୍ତି ହୋଇଯାଏ । କିନ୍ତୁ ଜ୍ୱର କିମ୍ବା ବିଶେଷ ଭାବରେ ଶରୀରରେ ଯନ୍ତ୍ରଣା ଅନୁଭବ ହୁଏ ନାହିଁ । ଏହି ରୋଗ ପାଇଁ ସେଭଳି କୌଣସି ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ନାହିଁ । ରୋଗ ହେବା ପରେ ୨-୩ ଦିନ ଯାଏ ଏହି ଭାଇରସର ପ୍ରଭାବ ଦେଖିବାକୁ ମିଳେ । ୩ ଦିନ ଭିତରେ ହିଁ ଏହି ରୋଗ ଦୂରେଇ ଯାଏ । ଯେହେତୁ ଝାଡ଼ାବାନ୍ତି ରୋଗର ପ୍ରମୁଖ ଲକ୍ଷଣ, ତେଣୁ ଏହି ସଂକ୍ରମଣ ସମୟରେ ଅଧିକ ପାଣି ପିଇବା ଓ ଇଲେକ୍ଟ୍ରୋଲାଇଟ ଥିବା ତରଳ ପାନୀୟ ପିଇବା ଜରୁରି । ଶରୀରର ଜଳୀୟ ଅଂଶ ବଜାୟ ରଖିବା ଏହି ରୋଗର ପ୍ରମୁଖ ଚିକିତ୍ସା । ବାରମ୍ବାର ସାନିଟାଇଜର ଦ୍ୱାରା ହାତ ଧୋଇବା, ଶୌଚାଳୟକୁ ସଫା ରଖିବା, ଘରର ଚଟାଣ ଭଲ ଭାବେ ପରିଷ୍କାର କରିବା ପାଇଁ ଡିସଇନଫେକ୍ଟାଣ୍ଟ ବ୍ୟବହାର କରିବା ଦ୍ୱାରା ନୋରୋ ଭାଇରସର ସଂକ୍ରମଣ କମିଯାଇପାରେ ।


  ଏହା ବ୍ୟତୀତ ସଂକ୍ରମିତ ବ୍ୟକ୍ତିଙ୍କ ସିଧାସଳଖ ସଂସ୍ପର୍ଶରେ ଆସିଲେ ମଧ୍ୟ ଏହି ରୋଗ ବ୍ୟାପିଥାଏ । ତେଣୁ ସଂକ୍ରମିତ ବ୍ୟକ୍ତିଙ୍କର ସିଧାସଳଖ ସଂପର୍କରେ ଆସିବାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ନୋରୋ ଭାଇରସ ଦ୍ୱାରା ସଂକ୍ରମିତ ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ରୋଷେଇ କରିବା ମଧ୍ୟ ଅନୁଚିତ । ୱିଣ୍ଟର ଭୋମିଟିଂରେ ସବୁ ବର୍ଗର ଲୋକ ଆକ୍ରାନ୍ତ ହେବାର ଆଶଙ୍କା ଥାଏ । କିନ୍ତୁ ବୟସ୍କ ଓ ଶିଶୁମାନଙ୍କ ପାଇଁ ସଂକ୍ରମଣ ଆଶଙ୍କା ଅଧିକ । ବିଦେଶରେ ବିଶେଷକରି ଆମେରିକାର ମିଶିଗାନ, କାଲିଫର୍ନିଆ, ନ୍ୟୁଜର୍ସି ଆଦି ସ୍ଥାନରୁ ଉଲ୍ଲେଖନୀୟ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଛନ୍ତି । ଅଧ୍ୟୟନରୁ ଜଣାପଡ଼ିଛି ଯେ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ବୟସ ୬୫ ବର୍ଷରୁ ଊଦ୍ଧ୍ୱର୍ ଓ ବଳକା ସଂକ୍ରମିତଙ୍କ ମଧ୍ୟରେ ଶିଶୁମାନଙ୍କ ସଂଖ୍ୟା ଅଧିକ । ଅନ୍ୟ ଏକ ସଂକ୍ରମିତ ବହୁଳ ଅଞ୍ଚଳ ଭର୍ଜିନିଆରେ ବିଦ୍ୟାଳୟମାନଙ୍କରେ ଶିଶୁମାନେ ଅଧିକ ସଂକ୍ରମିତ ହେଉଥିବାର ନଜର ରହିଛି । ୱିଣ୍ଟର ଭୋମିଟର ଲକ୍ଷଣ ଦେଖାଗଲେ ଅବହେଳା ବା ଅଣଦେଖା କରିବା ଠିକ ନୁହେଁ । ୱିଣ୍ଟର ଭୋମିଟ ସମସ୍ୟା ବିଷୟରେ ଠିକ ଭାବେ ଡାକ୍ତରଙ୍କୁ ଜଣାଇପାରିଲେ ଶୀଘ୍ର ଆରୋଗ୍ୟ ହେବା ସହଜ ହୋଇଥାଏ । ସର୍ବପ୍ରଥମେ ଏ ନେଇ ନିକଟସ୍ଥ ସରକାରୀ ଡାକ୍ତରଖାନା କିମ୍ବା ଲିଭର ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ବିଶୁଦ୍ଧ ପାଣି ଓ ସୁଷମ ଖାଦ୍ୟ ଗ୍ରହଣ କରିବା ସହ ନିରାମିଷ ଖାଦ୍ୟ ସବୁଠାରୁ ଭଲ । ସମସ୍ତ ପ୍ରକାର ନିଶାଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ । ବାହାର ଖାଦ୍ୟ, ଫାଷ୍ଟଫୁଡ, ବାଶି ଖାଦ୍ୟ ଓ ଫ୍ରିଜ୍‌ରେ ରହିଥିବା ଥଣ୍ଡା ଖାଦ୍ୟ ନଖାଇବା ଭଲ । ଭୋକ ନ ଲାଗୁଥିଲେ ବାଧ୍ୟବାଧକତାରେ କୌଣସି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । ୱିଣ୍ଟର ଭୋମିଟିଂ ସେପରି ଏକ ଗୁରୁତର ପେଟରୋଗ ନୁହେଁ । ଏହାକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ କିମ୍ବା କୌଣସି ଗୁଜବକୁ ପ୍ରଚାର ପ୍ରସାର କରନ୍ତୁ ନାହିଁ । ବରଂ ନିଜେ ସତର୍କ ରହି ଅନ୍ୟମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଅନ୍ତୁ । 

ମୋ: ୯୪୩୭୦୫୧୯୫୭