ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ


 ଭୁବନେଶ୍ୱର, ୩୧ା୫ : ଗୁରୁବାର ବିଳମ୍ବିତ ରାତିରେ ତମାଣ୍ଡୋ ଥାନା ୧୬ ନମ୍ବର ଜାତୀୟ ରାଜପଥ ଓଭରବି୍ରଜ୍‌ରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ଆଖିରେ ନଦେଖିଲେ ବିଶ୍ୱାସ କରି ହେବ ନାହିଁ । ସ୍ଥାନୀୟ ଲୋକମାନେ ଏକ ପ୍ରକାର ଭୟଭିତ ହୋଇପଡିଥିଲେ । ଖୋର୍ଦ୍ଧା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱାକୁ ପଛରୁ ଦ୍ରୁତ ବେଗରେ ଆସୁଥିବା ଏକ କାର ଧକ୍କା ଦେବା ଫଳରେ କାରରେ ବସିଥିବା ୩ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘଟଣା ସ୍ଥଳରେ ହିଁ ମୃତୁ୍ୟ ଘଟିଥିଲା । ଖବର ପାଇ ତମାଣ୍ଡୋ ଥାନା ପୁଲିସ  ଓ ଅଗ୍ନିଶମ ଟିମ୍‌ ସହ ମିଳିତ ଭାବେ ଅପରେସନ କରି ଶେଷରେ ଅନ୍ୟ ଏକ ଜୀବନକୁ ବଞ୍ଚାଇ ପାରିଥିଲେ । ଅନ୍ୟ ପଟେ ଦୁଇ ମୃତ ଯୁବକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ସୀତାଂଶୁ ଭୂଷଣ ନାୟକ(୨୫), ଆୟନ୍‌ ସୁବୁଦ୍ଧି(୨୬) । ଦୁହିଁଙ୍କ ମୃତ ଦେହକୁ ପୁଲିସ ଜବତ କରି ଏମ୍ସ ହସ୍ପିଟାଲକୁ ନେଇଥିଲା । ସେଠାରେ ଶବ ବ୍ୟବଚ୍ଛେଦ ପରେ ପୁଲିସ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଅନ୍ୟ ପଟେ ସୁରେଶ କୁମାର ପ୍ରଧାନଙ୍କ ଅବସ୍ଥା ଶଙ୍କଟାପନ୍ନ ଥିବାରୁ ତାଙ୍କୁ ଏମ୍ସର ଭେଟିଲେଟରରେ ରଖାଯାଇଛି  । ପୁଲିସ ଦୁର୍ଘଟଣା ଘଟାଇଥିବା କାର୍‌ ଓ ହାଇୱାକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି ।