ନାବାଳିକାଙ୍କୁ ଅଶୋଭନୀୟ ବ୍ୟବହାର କରି ଅଭିଯୁକ୍ତ ଗିରଫ
ଜଟଣୀ : ଜଟଣୀ ଥାନା ପୁଲିସ ତରାବୋଇ ଅଞ୍ଚଳରେ ରାସ୍ତାରେ ଯାଉଥିବା ଜନୈକା ନାବାଳିକାଙ୍କୁ ଅଶୋଭନୀୟ ବ୍ୟବହାର କରିବା ଅଭିଯୋଗରେ ପୁଲିସ ମାମଲାର ତଦନ୍ତ କରିବା ସହ ପ୍ରଫୁଲ ବେହେରା ଓରଫ ନନେ୍ଦଇ (୩୯)ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଥାନାଧିକାରୀ ଷ୍ଟାଲିନ ବିଶ୍ୱାଳଙ୍କ ସୂଚନା ଅନୁସାରେ ଗତ ୧୯ ତାରିଖ ଅପରାହ୍ନରେ ଉକ୍ତ ୧୨ ବର୍ଷ ବୟସ୍କା ନାବାଳିକା କନ୍ୟା ଜଣକ ନିଜର ଜଣେ ସାଙ୍ଗଙ୍କ ଘରୁ ନିଜ ଘରକୁ ସାଇକେଲ ଯୋଗେ ଫେରୁଥିବା ବେଳେ, ତରାବୋଇ ଅନ୍ତର୍ଗତ ବୁଲିବାଜର ମାର୍କେଟ ନିକଟରେ ଅଭିଯୁକ୍ତ ନନେ୍ଦଇ ତାଙ୍କୁ ଜୋରଜବରଦସ୍ତ ରାସ୍ତାରେ ଅଟକାଇବା ସହ ଆଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ । ନାବାଳିକା ଜଣକ ଭୟରେ ବଡ ପାଟିକରିବାରୁ ସେହି ରାସ୍ତା ଦେଇ ଯାଉଥିବା ଦୁଇଜଣ ଯୁବକ ସେଠାରେ ଅଟକିଥିଲେ । ଉଭୟଙ୍କୁ ସେଠାରେ ଅଟକିବା ଦେଖି ଅଭିଯୁକ୍ତ ସେଠାରୁ ଖସି ପଳାଇଯାଇଥିଲେ । ଝିଅ ନିକଟରୁ ଘଟଣା ସମ୍ପର୍କରେ ଜାଣିବା ପରେ ପୀଡିତାଙ୍କ ମା ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ଘଟଣା ସ୍ଥଳକୁ ଯାଇ ଅଭିଯୁକ୍ତଙ୍କୁ ଏନେଇ ପଚାରି ବୁଝିଥିଲେ । ଏଥିରେ ଅଭିଯୁକ୍ତ ଜଣକ ଉତକ୍ଷିପ୍ତ ହୋଇ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ସେହିଭଳି କାର୍ଯ୍ୟ ପୁନର୍ବାର କରିବେ ବୋଲି ଧମକ ଦେଇଥିଲେ । ଏହି ସମୟରେ ଆଖପାଖରେ ଉପସ୍ଥିତ ଲୋକମାନେ ଘଟଣା ସ୍ଥଳରେ ରୁଣ୍ଡ ହୋଇଯାଇଥିଲେ । ଘଟଣା ସ୍ଥଳରେ ଭିଡ ହେବା ଦେଖି ଅଭିଯୁକ୍ତଙ୍କ ଭାଇ ଆସି ଅଭିଯୁକ୍ତଙ୍କୁ ସେଠାରୁ ନେଇ ପଳାଇ ଯାଇଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲାର ତଦନ୍ତ କରି ଚଢଉ ଜରିଆରେ ଅଭିଯୁକ୍ତ ପ୍ରଫୁଲ୍ଲ ବେହେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।