ପ୍ରଧାନଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

  ଢେଙ୍କାନାଳ :  ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ସିଆରିଆ ଉ.ପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଦାଶଙ୍କୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଶୋକ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବ୍ୟ ପ୍ରକାଶ ପ୍ରଧାନ ଯୋଗ ଦେଇ ସମୟାନୁବର୍ତ୍ତିତା ଓ କର୍ତ୍ତବ୍ୟପରାୟଣତା ସମସ୍ତଙ୍କ ପାଇଁ ଆଦର୍ଶ ହୋଇ ରହିବ ବୋଲି କହିଥିଲେ ।  ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ଅଜୟ କୁମାର ସାମନ୍ତ, ସମ୍ମାନିତ ଅତିଥି ଭାବେ ଏବିଇଓ ଶତୃଘ୍ନ ପଣ୍ଡା, ସିଆର୍ସିସି ମଧୁସ୍ମିତା ରାଉତ, ପ୍ରାକ୍ତନ ପ୍ରଧାନଶିକ୍ଷୟିତ୍ରୀ ମନୋରମା ଦାସ, ପୁଷ୍ପିତା ଜେନା, ଶିକ୍ଷାବିତ୍ ଭରତ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ବିଦାୟୀ ପ୍ରଧାନଶିକ୍ଷୟିତ୍ରୀଙ୍କ କର୍ମମୟ ଜୀବନ ଓ ଗୁଣାବଳୀ ସଂପର୍କରେ ଆଲୋକପାତ କରିଥିଲେ । ପ୍ରାକ୍ତନ ସିଆର୍ସିସି କାଳନ୍ଦୀ ଚରଣ ଦେବତା ମଞ୍ଚ ସଂଚାଳନ କରିଥିଲେ । ଶ୍ରୀମତୀ ଦାଶଙ୍କୁ ମାନପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଶିକ୍ଷକ ପ୍ରଦୀପ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ କମିଟି ସଭାପତି ବ୍ରହ୍ମାନନ୍ଦ ପ୍ରଧାନ, ପଞ୍ଚସଖା ଶିକ୍ଷା ସେତୁ ଅଧ୍ୟକ୍ଷ ଚିନ୍ତାମଣି ମହାନ୍ତି, ଗ୍ରାମ ସଭାପତି ମାୟାଧର ଖଟୁଆ ଓ ସମସ୍ତ କମିଟି ସଭ୍ୟ ସହଯୋଗ କରିଥିଲେ ।