ଅପରାଜିତାଙ୍କୁ ଝଟକା

Aparajita Sarangi , Odisha BJP

ଅପରାଜିତାଙ୍କୁ ଝଟକା

ଭୁବନେଶ୍ୱର : ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଜୋରଦାର ଝଟକା ଲାଗିଛି  । ତାଙ୍କର ଅତି ଖାସ୍‌ ଲୋକଙ୍କୁ ଦଳ ନିଲମ୍ବିତ କରିଛି  । ଯାହାକି ଏବେ ବିଜେପି ଅଳିନ୍ଦରେ ଆଲୋଡ଼ନ ସୃଷ୍ଟିକରିଛି  । ଅପରାଜିତାଙ୍କ ମେୟର ପ୍ରାର୍ଥୀ ଥିଲେ ସୁନୀତି ମୁଣ୍ଡ  । ବିଏମସି ମେୟର ନିର୍ବାଚନରେ ସେ ଲଢେ଼ଇ କରିଥିଲେ  । ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ସେତେବେଳେ ଅନେକ ବିଜେପି ନେତା ମଧ୍ୟ ପ୍ରଶ୍ନ ଉଠାଇଥିଲେ  । ହେଲେ ଜଣେ ବିଜେପି ନେତାଙ୍କୁ ଠକିଥିବା ଅଭିଯୋଗରେ ଦଳ ତାଙ୍କ ବିରୋଧରେ ଆକ୍ସନ ନେଇଛି  । ସୁନୀତଙ୍କୁ ଦଳ ନିଲମ୍ବନ କରିଥିବାବେଳେ ଅପରାଜିତାଙ୍କୁ ଜୋରଦାର ଝଟକା ଲାଗିଛି  । ଖାଲି ସେ ନୁହଁନ୍ତି ଅପରାଜିତାଙ୍କ ରାଜନୈତିକ ସହାୟକ ହେଉଛନ୍ତି ଧନେଶ୍ୱର ବାରିକ  । ଅପରାଜିତାଙ୍କ ଛାଇ ଭଳି ସେ ସବୁବେଳେ ରହିଥା’ନ୍ତି  । ହେଲେ ତାଙ୍କୁ ବି ଦଳରୁ ନିଲମ୍ବିତ କରାଯାଇଛି  । ଖୋର୍ଦ୍ଧା ଜିଲ୍ଲାରେ ଅପରାଜିତାଙ୍କ ଦୃଢ଼ ସମର୍ଥକ ହେଉଛନ୍ତି ପୂର୍ବତନ ଜିଲ୍ଲା ସଭାପତି ନିକୁଞ୍ଜ ପଟ୍ଟନାୟକ  । ଏମାନଙ୍କ ବ୍ୟତୀତ ଜିଲ୍ଲା ସମ୍ପାଦକ ବିଦ୍ୟୁତ କାଣ୍ଡି, ଖୋର୍ଦ୍ଧା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତାପସ ଜେନା, ଏସସି ମୋର୍ଚ୍ଚା ଖୋର୍ଦ୍ଧା ଜିଲ୍ଲା ସଭାପତି ଶିବ ମଲ୍ଲିକ ବି ଦଳରୁ ନିଲମ୍ବିତ ହୋଇଛନ୍ତି  । 

ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ ବେଳେ ବାଳକାଟିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା  । କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନଥିବାରୁ ଅପରାଜିତାଙ୍କ ଗୋଷ୍ଠୀ ଗଣ୍ଡଗୋଳ ଭିଆଇଥିଲେ  । ସବୁଠାରୁ ବଡ଼ କଥା ହେଉଛି ସେହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ରହିଥିଲେ  । ସେଠାରେ ଦଳର ସାଧାରଣ ସମ୍ପାଦକ ସାରଦା ଶତପଥିଙ୍କୁ ମଧ୍ୟ ଧକ୍କା ମରାଯାଇଥିଲା  । ଯାହାକୁ ନେଇ ବିଜେପିର ତୁଙ୍ଗ ନେତାମାନେ କ୍ଷୁବ୍ଧ ହୋଇଯାଇଥିଲେ  । ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତୋମାର ମଧ୍ୟ କହିଥିଲେ  । ତେଣୁ ରାଜ୍ୟ ସଭାପତି ମନମୋହନ ସାମଲ ସେମାନଙ୍କୁ ଦଳରୁ ନିଲମ୍ବନ କରିଛନ୍ତି  । ସେହିପରି ଅପରାଜିତାଙ୍କ ପରୋକ୍ଷ ନିର୍ଦ୍ଦେଶରେ ଗଣ୍ଡଗୋଳ ହୋଇଥିବାରୁ ଅପରାଜିତାଙ୍କୁ ନେଇ ମଧ୍ୟ ରାଜ୍ୟ ବିଜେପି କ୍ଷୁବ୍ଧ ଥିବା ଚର୍ଚ୍ଚା ହେଉଛି  । ଏନେଇ କିନ୍ତୁ ଅପରାଜିତା ଓ ତାଙ୍କ ସମର୍ଥକମାନେ ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହୋଇଛନ୍ତି  । ଚବିଶ ନିର୍ବାଚନ ପରେ ପରେ ଅପରାଜିତାଙ୍କ ଦବଦବା ରାଜ୍ୟ ବିଜେପିରେ କମିଯାଇଛି  । ଏକଦା ସେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିବାବେଳେ ତାହା ଭାଙ୍ଗି ଯାଇଛି  । ବଡ଼ ବଡ଼ ନେତାମାନେ ଲୋକସଭାକୁ ନିର୍ବାଚିତ ହୋଇଥିବାରୁ ତାଙ୍କର କେନ୍ଦ୍ରମନ୍ତ୍ରୀ ହେବାର ସ୍ୱପ୍ନ ବି ଧୂଳିସାତ ହୋଇଯାଇଛି  ।  ଆଗାମୀ ଦିନରେ ଅପରାଜିତାଙ୍କ ରାଜନୀତିକ ଗତି କେଉଁ ମୋଡ଼ ନେବ ତାହା ଦେଖିବାକୁ ବାକି ରହିଲା  ।