ବୁଲା ବିକାଳି ଦେବେ ଟ୍ୟାକ୍ସ!


ଇତିମଧ୍ୟରେ ବିଏମ୍ସିର ମାସିକିଆ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ପ୍ରକାରର ପ୍ରସ୍ତାବ ଗୃହୀତ ହେବା ସହିତ ବୁଲା ବିକାଳି ମାନଙ୍କ ଠାରୁ ଟ୍ୟାକ୍ସ ଆଦାୟ କରାଯିବା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ହାଟ, ଭେଣ୍ଡିଂ ଜୋନ୍, ରାସ୍ତାକଡ଼ ଆଦିରେ ବୁଲି ବୁଲି ବିଭିନ୍ନ ପଦାର୍ଥ ବିକ୍ରି କରୁଥିବା ବୁଲା ବିକାଳିଙ୍କ ଠାରୁ ଟ୍ୟାକ୍ସ ଆଦାୟ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଏ ପ୍ରକାରର କାର୍ଯ୍ୟ ପାଇଁ ବୈଠକରେ ଅନୁମୋଦନ ମଧ୍ୟ ଦିଆଯାଇସାରିଛି । ଏହି ନିଷ୍ପତ୍ତି ଅନୁଯାୟୀ ବୁଲା ବିକାଳିମାନଙ୍କ ନିମିତ୍ତ ଏକ ସ୍ୱତନ୍ତ୍ର ଡ଼୍ୟାସ୍ବୋର୍ଡ୍ ପ୍ରସ୍ତୁତ କରାଯିବ । ଏହି ଡ଼୍ୟାସ୍ବୋର୍ଡ୍ ମାଧ୍ୟମରେ ସମସ୍ତ ପ୍ରକାରର ବ୍ୟବସାୟୀ ତଥା ବୁଲା ବିକାଳିଙ୍କୁ ପଞ୍ଜୀକରଣ କରାଯିବ ।  ଅନ୍ଲାଇନ୍ ମାଧ୍ୟମରେ ସେମାନଙ୍କ ଠାରୁ ଟ୍ୟାକ୍ସ ସଂଗ୍ରହ କରାଯିବ । ବିଏମ୍ସି ଅଞ୍ଚଳରେ ଥିବା ହାଟ, ଭେଣ୍ଡିଂ ଜୋନ୍, ରାସ୍ତା ପାଖରେ ବସି ବ୍ୟବସାୟ କରିବା, ବୁଲି ବୁଲି ଖାଦ୍ୟ ପଦାର୍ଥ ବିକ୍ରି କରିବାରେ ସଂପୃକ୍ତ ଥିବା ବ୍ୟକ୍ତି ଏବଂ ସେମାନଙ୍କର ସଂଖ୍ୟା ସମ୍ପର୍କରେ ଏକ ସ୍ୱଳ୍ପ ଚିତ୍ର ମିଳିଯିବ । ମହାନଗର ନିଗମରେ ରାଜସ୍ୱ ଆଦାୟ ମଧ୍ୟ ବୃଦ୍ଧି ପାଇବ । 
ତେବେ ପ୍ରଶ୍ନ ଉଠୁଛି ବୁଲା ବିକାଳି ମାନଙ୍କର ପୁଞ୍ଜି କେତେ? ରାସ୍ତାକଡ଼ରେ ବସି କିଏ ପରିବା ବିକ୍ରି କରୁଛି ତ ଆଉ କିଏ ବରା, ଘୁଗୁନୀ, ଇଡ୍ଲି, ଟାଟ୍ ଆଦି ବିକ୍ରି କରୁଛନ୍ତି । ସକାଳ ଦୁଇ, ଚାରି ଘଣ୍ଟା ପରେ ଘରକୁ ଫେରି ଯାଉଛନ୍ତି । କିଏ ଦଶ, ପନ୍ଦରଟି ଗାମୁଛା ଧରି ଗଳି କନ୍ଦିରେ ବୁଲି ବିକ୍ରି କରୁଛି । ଏ ପ୍ରକାରର ବ୍ୟବସାୟୀଙ୍କର ଦୈନିକ ରୋଜଗାର ଆଖିଦୃଶିଆ ହେଉନାହିଁ । ନିଜର ଖର୍ଚ୍ଚକୁ ଯାଇ ଦୁଇଶହ, ତିନିଶହ ଟଙ୍କା ଦୈନିକ ପାଇବା ସେମାନଙ୍କ ପକ୍ଷରେ ଏକ ବଡ଼ ସଫଳତା ହୋଇଥିବ । ଏଭଳି  ବ୍ୟକ୍ତିମାନଙ୍କ ଠାରୁ ବିଏମ୍ସି ବର୍ତ୍ତମାନ ଟ୍ୟାକ୍ସ ଆଦାୟ କରିବାକୁ ଯାଉଛି । ଏଭଳି ବ୍ୟବସାୟୀମାନଙ୍କୁ ପୁଞ୍ଜି ଯୋଗାଇବା କ୍ଷେତ୍ରରେ ମହାନଗର ନିଗମର ସାମାନ୍ୟତମ ଅବଦାନ ନାହିଁ । 
ବର୍ତ୍ତମାନ ସମୟରେ ବେରୋଜଗାରୀ ସବୁଠାରୁ ବଡ଼ ସମସ୍ୟା ହୋଇ ଦେଖା ଦେଇଥିବା ବେଳେ କ୍ଷୁଦ୍ର ଏବଂ ନାମମାତ୍ର ବ୍ୟବସାୟୀମାନେ ସାପ୍ତାହିକ ହାଟ, ଛକ ଜାଗା, ଫୁଟ୍ପାଥ୍ ଆଦିରେ ଅଳ୍ପ କିଛି ଜିନିଷ ଧରି ବ୍ୟବସାୟ କରୁଛନ୍ତି । ସେଥିରେ ସେମାନଙ୍କର ପରିବାର ଓ ଗୁଜୁରାଣ ଅତି କଷ୍ଟରେ ଚଳୁଛି । ଏଭଳି ବ୍ୟବସାୟୀମାନଙ୍କ ଠାରୁ ଟ୍ୟାକ୍ସ ଆଦାୟ କରିବା ମାନବୀୟ ଦୃଷ୍ଟିକୋଣରୁ ଉଚିତ୍ ନୁହେଁ । ରାଜଧାନୀ ଭୁବନେଶ୍ୱରର ଅନେକ ଛକ ଜାଗାମାନଙ୍କରେ ଅନ୍ୟ ରାଜ୍ୟର ଯାଯାବର ଶ୍ରେଣୀର ଲୋକମାନେ ଆସି ବିଭିନ୍ନ ପ୍ରକାରର ପ୍ଲାଷ୍ଟିକ୍ ଫୁଲ, ଖେଳଣା ଆଦିର ବ୍ୟବସାୟ କରୁଛନ୍ତି । ଯେତିକି ସେମାନେ ବିକ୍ରି କରୁଛନ୍ତି ସେତିକିରେ ସେମାନଙ୍କର ପେଟ ପୋଷିବା କଷ୍ଟକର ହୋଇ ପଡୁଥିବାରୁ ସେହିମାନଙ୍କର ଛୁଆମାନେ ଟ୍ରାଫିକ୍ ଛକରେ ବୁଲି ବୁଲି ଭିକ ମଧ୍ୟ ମାଗୁଛନ୍ତି । ତେଣୁ ବୁଲା ବିକାଳିଙ୍କ ଉପରେ ଟିକସ ବୋଝ ଲଦିବା ପାଇଁ ଏବଂ ତାକୁ ଅନ୍ଲାଇନ୍ରେ ପୈଠ କରିବା ଆହୁରି କଷ୍ଟକର । କାରଣ ଏହି ଅନ୍ଲାଇନ୍ କାରବାର ସମସ୍ତଙ୍କୁ ଜଣାନାହିଁ । ଅନ୍ଲାଇନ୍ରେ ଟିକସ ପୈଠ କରିବା ନିଜକୁ ଜଣାନଥିବାରୁ ସେଥିପାଇଁ ସେମାନେ ଆଉ କାହାର ସାହାଯ୍ୟ ନେବେ । ସେଥିପାଇଁ ମଧ୍ୟ ସେମାନଙ୍କୁ କିଛି ଅର୍ଥ ଦେବାକୁ ପଡ଼ିବ । ମୋଟ୍ ଉପରେ ଦେଖିବାକୁ ଗଲେ ବୁଲା ବିକାଳିଙ୍କୁ ଟିକସ ପରିସର ଭିତରକୁ ଆଣିବା ଆଦୌ ଉଚିତ୍ ନୁହେଁ । 
ଭୁବନେଶ୍ୱର ରାଜଧାନୀ କ୍ଷେତ୍ର ଭିତରେ ଅନେକ ବରିଷ୍ଠ ନାଗରିକ ଏକୁଟିଆ ରହୁଛନ୍ତି । ଏହି ବୁଲା ବିକାଳିଙ୍କ ଯୋଗୁଁ ସେମାନଙ୍କ ଆବଶ୍ୟକୀୟ ପଦାର୍ଥ ହାତ ପାଖରେ ପାଉଛନ୍ତି । ତେଣୁ ଏଭଳି ଏକ ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପୂର୍ବରୁ ପୁର୍ନବାର ଏହା ଉପରେ ବିଚାର କରାଯିବା ଆବଶ୍ୟକ ।