ଚାଷୀଙ୍କୁ କ୍ଷତିପୂରଣ ଦାବିରେ କିଷାନ କଂଗ୍ରେସର ବିକ୍ଷୋଭ
ଛତ୍ରପୁର: କୃଷି ଋଣ ଛାଡ଼ କରିବା, ମଣ୍ଡି ଖୋଲି ସମସ୍ତ ଚାଷୀଙ୍କ ଧାନ କ୍ରୟ କରିବା ସହିତ ଚାଷୀଙ୍କୁ ଉପଯୁକ୍ତ କ୍ଷତପୂରଣ ଯୋଗାଇ ଦେବା ଦାବିରେ ଗଞ୍ଜାମ ଜିଲ୍ଲା କିଷାନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ । ଏହାସହ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ୬୧ ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ଆକଳନ କରାଯାଇଛି । ସରକାରଙ୍କ ପକ୍ଷରୁ ଫସଲ କ୍ଷୟକ୍ଷତି ସଠିକ ଭାବେ ଆକଳନ କରାଯାଇ ନାହିଁ ଏବଂ ଯେଉଁ ଇନପୁଟ୍ ସବସିଡ ଘୋଷଣା କରାଯାଇଛି ତାହା ସମୁଦ୍ରକୁ ଶଙ୍ଖେ । କିନ୍ତୁ ଏ ଦିଗରେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଫସଲ କ୍ଷୟକ୍ଷତିର ସଠିକ ଭାବେ ପୁନଃ ଆକଳନ କରିବା, କ୍ଷତିଗ୍ରସ୍ତ ଚାଷୀଙ୍କୁ ସଠିକ୍ ଭାବେ ଇନପୁଟ ସବସିଡି ପ୍ରଦାନ କରିବା, ରିଲିଫ୍ କୋଡର ସଂଶୋଧନ କରାଯାଇ ଭାଗ ଚାଷୀଙ୍କୁ ସହାୟତା ପ୍ରଦାନ କରିବା, ବୀମାଭୁକ୍ତ ଚାଷୀଙ୍କୁ ସହାୟତା, ପନିପରିବା ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ, ରବି ଚାଷ ପାଇଁ କୃଷକଙ୍କୁ ଇନପୁଟ ଯୋଗାଣ, ଏଫ୍ଏକୁ୍ୟ ମାନ କୋହଳ କରି ଧାନ କ୍ରୟ, କୃଷି ଋଣ ଛାଡ, କୃଷି କ୍ଷେତ୍ରରେ ମନରେଗା କାର୍ଯ୍ୟକୁ ତ୍ୱରାନ୍ୱିତ ସହ ଦାଦନ ଶ୍ରମିକ ରୋକିବାକୁ ସୁ ବନ୍ଦବୋସ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ଭାଗିରଥୀ ବେହେରା, ଭୋକାଲି ସେଠୀ, ଡି. ରାମସ୍ୱାମୀ ରେଡ୍ଡୀ ଓ ଗଣପତି ବାରିକଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।