ମଧ୍ୟପ୍ରାଚ୍ୟ ଯୁଦ୍ଧ ସଙ୍କଟ ଓ ଭାରତ  

ଡ.ଅମୂଲ୍ୟ କୁମାର ପଣ୍ଡା : ଯୁଦ୍ଧ କୌଣସି ପରିସ୍ଥିତିରେ କୌଣସି ବି ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ । ଏକଥା ଉଭୟ ଇରାନ୍‌ ଏବଂ ଇସ୍ରାଏଲ ଜାଣି ବି ମୃତ୍ୟୁ ସହ ଖେଳ ଖେଳୁଛନ୍ତି । ନିଜ ନିଜର ଅହଂକାର ପାଇଁ ନିରୀହ ଲୋକ ବଳି ପଡ଼ୁଛନ୍ତି । ଇରାନର ପରମାଣୁ କେନ୍ଦ୍ରଗୁଡ଼ିକ ଉପରେ ଆମେରିକାର ଅତର୍କିତ ଆକ୍ରମଣ ପରେ ଇରାନ ଓ ଇସ୍ରାଏଲ ମଧ୍ୟରେ ଅନିଶ୍ଚିତ ଯୁଦ୍ଧବିରତି ସହିତ ସାମାଜିକ ଗଣମାଧ୍ୟମ ଓ ମୁଖ୍ୟସ୍ରୋତ ଗଣମାଧ୍ୟମରେ ମଧ୍ୟ ନାନା ପ୍ରକାର ବିଭ୍ରାନ୍ତିକର ତଥ୍ୟ ପ୍ରସାରିତ ହେବାରେ ଲାଗିଛି ।  ଇରାନର ପରମାଣୁ ଶସ୍ତ୍ର ସମ୍ବନ୍ଧୀୟ କ୍ଷମତାରେ ହୋଇଥିବା କ୍ଷତିର ଆକଳନରେ  ମଧ୍ୟ ବହୁତ ମିଥ୍ୟା ଦାବି ଓ ଦୁଷ୍ପ୍ର·ର ହେଉଛି ।  ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଇରାନର ମିଶାଇଲ୍‌ ଆକ୍ରମଣରେ ଧ୍ୱଂସ ହୋଇଥିବା ବାଟ ୟାମ ସହର ପରିଦର୍ଶନ କରିଥିଲେ । ପରିଦର୍ଶନ କରିସାରିବା ପରେ କହିଛନ୍ତି ଗୋଟି ଗୋଟି କରି ଏହାର ହିସାବ ନେବୁ । ଆମକୁ ବି ଧ୍ୱଂସ କରି ଆସେ ।  ଇସ୍ରାଏଲ ଓ ଇରାନ୍‌ ଭିତରେ ଯୁଦ୍ଧ ଆରମ୍ଭ ହେବା ପରେ ଏବେ ବିଶ୍ୱରେ ଜାରି ରହିଥିବା ଯୁଦ୍ଧ ତାଲିକାରେ ଆଉ ଏକ ବଡ ଲଢେଇ ସାମିଲ ହୋଇଯାଇଛି  । ପୂର୍ବରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧର ପରିଣତି ଦେଖିଛି ବିଶ୍ୱ  । ହମାସ ଆତଙ୍କୀ ଇସ୍ରାଏଲରେ ଆକ୍ରମଣ କରିବା ପରଠାରୁ ଜାରି ରହିଛି ଏ ଯୁଦ୍ଧ  । ସେହିପରି ଫେବ୍ରୁଆରୀ ୨୦୨୨ରୁ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧର ବି ବର୍ତ୍ତମାନ ସୁଦ୍ଧା କୌଣସି ସମାଧାନ ହୋଇପାରିନାହିଁ  । ଏବେ ବି ଦୁଇ ଦେଶ ଭିତରେ ଯୁଦ୍ଧ ଜାରି ରହିଛି  । ସେହିପରି ସାଉଦି ଆରବ ଓ ଇରାନ ମଧ୍ୟରେ ବି ଯୁଦ୍ଧ ସ୍ଥିତି ଲାଗି ରହିଛି  । ଗୋଟିଏ ପରେ ଗୋଟିଏ ଯୁଦ୍ଧ ବିଶ୍ୱକୁ ଏକ ଭୟଙ୍କର ଦିଗକୁ ନେଇଯାଉଛି  । ଆଉ ଜାତିସଂଘ ଏ ଦିଗରେ କୌଣସି ସ୍ଥାୟୀ ସମାଧାନ ବାହାର କରିବା କି ଶାନ୍ତି ପ୍ରତିଷ୍ଠା କରିବାରେ ସକ୍ଷମ ହୋଇ ପାରିନଥିବା କୁହାଯାଉଛି  । ବାରମ୍ବାର ବାରମ୍ବାର ଯୁଦ୍ଧ ଭଳି ସ୍ଥିତିରେ ୟୁଏନ୍‌ଏସସି କାହିଁକି କୌଣସି ପଦକ୍ଷେପ ନେଉ ନାହିଁ, ସେନେଇ ପ୍ରଶ୍ନ ଉଠିଛି  । 
 

ଇରାନ ପରମାଣୁ କାର୍ଯ୍ୟକ୍ରମ ଜୋରଦାର ଚଳାଇଥିବାରୁ ତାହାକୁ ପ୍ରତିରୋଧ କରିବା ଲାଗି ଆମେରିକା ବାରମ୍ବାର ସତର୍କ କରାଇଆସୁଥିଲା । ଏପରି କି ଚଳିତ ବର୍ଷ ପ୍ରାରମ୍ଭରୁ ଇରାନର ପରମାଣୁ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଆମେରିକା ଓ ଇରାନ ୫ ପର୍ଯ୍ୟାୟ ଆଲୋଚନା କରିସାରିଛନ୍ତି । ୧୫ ଜୁନ୍‌ରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ହେବାର ଥିଲା । ଇସ୍ରାଏଲ ଆକ୍ରମଣ ପରେ ଇରାନ ଏହି ଆଲୋଚନାକୁ ବାତିଲ କରିଦେଇଛି । ଠିକ୍‌ ଏହି ସମୟରେ ଇସ୍ରାଏଲ ଗୋଇନ୍ଦା ସଂସ୍ଥା ମୋସାଦ ଖବର ପାଇଲା ଯେ ଇରାନ୍‌ ତା’ର ପରମାଣୁ କାର୍ଯ୍ୟକ୍ରମକୁ ତ୍ୱରିତ ବେଗରେ କାର୍ଯ୍ୟ କରୁଥିବାରୁ ନିକଟ ଭବିଷ୍ୟତରେ ଅସ୍ୱାଭାବିକ ସ୍ଥିତି ଉତ୍ପନ୍ନ ହୋଇପାରେ । ଏଥିସହିତ ଚାଇନା ତା’ର ଏନ୍‌ରିଚଡ ୟୁରାନିୟମର ଏକ ବଡ଼ ଅଂଶ ଇରାନକୁ ନିକଟରେ ରପ୍ତାନି କରିଛି । ତେଣୁ ସମ୍ଭାବ୍ୟ ବିପଦ ଆଶଙ୍କା କରି ଇସ୍ରାଏଲ ଆଗତୁରା ‘ଅପରେସନ ରାଇଜିଂ ଲାୟନ’ ନାମରେ ସାମରିକ ଅଭିଯାନ ଆରମ୍ଭ କରିଦେଲା । ଇରାନ୍‌ ଛାଡ଼ିବାର ଦେଶ ନୁହେଁ । ଏହା ‘ଟ୍ରୁ ପ୍ରୋମିଜ୍‌’ ନାମରେ ଅପରେସନ କରି ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି । ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଜୁନ ୧୩ ତାରିଖରୁ ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ମଧ୍ୟ ଇରାନର ତିନୋଟି ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କଲା । ପ୍ରତ୍ୟୁତ୍ତରରେ ଇରାନ ଆମେରିକାର କେତେକ ସାମରିକ ଘାଟି ଉପରେ ଆକ୍ରମଣ କରିଛି ।  ଗୋଟିଏ ଦେଶ ନରମ ମନୋଭାବ ପୋଷଣ ନ କରିବା ପର୍ଯ୍ୟନ୍ତ ଏ ଯୁଦ୍ଧ ଚାଲିଥିବ । ଇରାନ ଉପରେ ଇସ୍ରାଏଲ ଆକ୍ରମଣ କରିଛି । ଇସ୍ରାଏଲ ଇରାନ ଉପରେ ବହୁ ଦୂରରୁ ଆକ୍ରମଣ କରୁଛି । ଇସ୍ରାଏଲର ବାୟୁସେନା ଦ୍ୱାରା ଇରାନର ବିମାନ ଉପରେ ଆକ୍ରମଣ କରାଯାଇଛି  । ଇରାନ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରୁଛି । ଏବେ ଏ ଦୁଇ ଦେଶର ଯୁଦ୍ଧ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ଓ ପାକିସ୍ତାନର ଭୂମିକା ବିଶ୍ୱକୁ ଏକ ବଡ଼ ସମର ଆଡକୁ ଟାଣି ନେଉଛି  । ଇରାନକୁ ପାକିସ୍ତାନର ସମର୍ଥନ କରିବା କଥାରେ ପାକିସ୍ତାନ ଅନେକ ରାଷ୍ଟ୍ରକୁ ଯୁଦ୍ଧ ପାଇଁ ଉସ୍‌କାଇଥାଏ  । ଏହା ତାର ପୁରୁଣା ଅଭ୍ୟାସ । ଏଇ କ୍ରମରେ ଇରାନ ଆଉ ଇସ୍ରାଏଲ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବାବେଳେ ଇରାନକୁ ପାକିସ୍ତାନ ସମର୍ଥନ ଦେଇଛି  । ପାକିସ୍ତାନ ସମର୍ଥନ ଦେବା ପଛରେ ନିଜର ସ୍ୱାର୍ଥ ବି ରହିଛି । ବିନା ସ୍ୱାର୍ଥରେ ପାକିସ୍ତାନ ପରି ଏକ ବିଶ୍ୱାସଘାତକ ରାଷ୍ଟ୍ର କେବେ କାହାକୁ ବି ସମର୍ଥନ ଦେଇନପାରେ । ଯଦି ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆହୁରି ତୀବ୍ର ହୁଏ, ତେବେ ପାକିସ୍ତାନ ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ । ଏଥିରେ ଯଦିବି ଇସ୍ରାଏଲ ଉତ୍ତ୍ୟକ୍ତ ହୋଇ କିଛି ବି ପାକିସ୍ତାନର କ୍ଷତି କରିବାକୁ ଚେଷ୍ଟା କରେ ପାକିସ୍ତାନ ମଧ୍ୟ ଇସ୍ରାଏଲ ଉପରେ ପରମାଣୁ ଆକ୍ରମଣ କରିବ । ଅନ୍ୟପକ୍ଷରେ ପାକିସ୍ତାନ ଇସ୍ରାଏଲ ବିରୁଦ୍ଧରେ ମୁସଲିମ ଦେଶମାନଙ୍କୁ ଏକତ୍ରିତ କରିବା ପାଇଁ ଓଆଇସି ଦେଶ ଗୁଡ଼ିକୁ ତୁରନ୍ତ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛି । 

ଇରାନ ଉପରେ କାହିଁକି ଆକ୍ରମଣ କଲା  ଇସ୍ରାଏଲ? ଇରାନର ପରମାଣୁ ବୋମା ତିଆର କରିବାକୁ ବିରୋଧ କରି ଇସ୍ରାଏଲ ଇରାନକୁ ଆକ୍ରମଣ କରିବା ସହ  ଚେତାବନୀ ଦେବା ସତ୍ତେ୍ୱ ଜବାବୀ ଆକ୍ରମଣ ଜାରି ରଖିଛି ଇରାନ । ଇରାନ ଭଳି ଏକ ମୌଳବାଦୀ ଦେଶ ହାତରେ ପରମାଣୁ ଅସ୍ତ୍ର ରହିବା ସମଗ୍ର ମାନବଜାତି ସକାଶେ ବିପଦଜନକ ।  ଘନଘନ ମିସାଇଲ ଓ ଡ୍ରୋନ୍‌ ବର୍ଷା କରି ଚାଲିଛି ଇରାନ୍‌  । ଇରାନର ସଂସଦ ପରମାଣୁ ଅପ୍ରସାର ଚୁକ୍ତି (ଏନପିଟି)ରୁ ବାହାରିବା ଏକ ବିଲ ପ୍ରସ୍ତୁତ କରିଛି । ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ଏନପିଟିରୁ ବାହାରିବାକୁ ଇରାନ ଘୋଷଣା କରିଛି  । ଏହା ଫଳରେ ପରମାଣୁ ଅସ୍ତ୍ର ତିଆରି ଦିଗରେ ଇରାନକୁ କେହି ବାଧାଦେବାକୁ ନ ଥିବେ । ନିଜ ଇଛା ଅନୁସାରେ ସେ ପରମାଣୁ ବୋମା ତିଆରି କରିପାରିବ । ଯାହାକୁ ହଜମ କରି ପାରି ନାହିଁ ଇସ୍ରାଏଲ ଆଉ ଯୁଦ୍ଧ ଆଗକୁ ଆଗକୁ ବଢ଼ିବାର ଲାଗିଛି  । ଇରାନର ସର୍ବୋଚ୍ଚ଼ ନେତା ଆୟାତୋଲ୍ଲା ଅଲି ଖାମେନି ବାରମ୍ବାର ଇସ୍ରାଇଲକୁ ଶତ୍ରୁ ରାଷ୍ଟ୍ର ଭାବେ ବିବେଚିତ କରି ଆସୁଛନ୍ତି । ଏପରିକି ଅନେକ ଥର ଖୋଲାଖୋଲି କହିଛନ୍ତି -ବିଶ୍ୱ ମାନଚିତ୍ରରୁ ଇସ୍ରାଏଲର ନାଁକୁ ନିଶ୍ଚିହ୍ନ କରିଦେବୁ । ୧୯୭୯ ମସିହାରୁ ଇରାନ ସ୍ୱପ୍ନ ଦେଖିଆସୁଥିଲା ଇସ୍ରାଏଲକୁ ଧ୍ୱଂସ କରିବା । କିନ୍ତୁ ସମୟଚକ୍ରରେ ଇସ୍ରାଏଲ ଇରାନର ପରମାଣୁ ଅସ୍ତ୍ରକରଣକୁ ରୋକିବାକୁ ଚେଷ୍ଟା କରିଥିଲା । ମାତ୍ର ଇରାନ ଏହାର ପାଲଟା ଜବାବ ଦେଲା । ଦୁଇ ଦେଶ ମଧ୍ୟରେ ଶାନ୍ତି ପାଇଁ ଆଲୋଚନା ଚାଲିଥିବାବେଳେ ଯୁଦ୍ଧର ରୂପ ନେଲା । ଯଦି ଇରାନ ପରମାଣୁ ବୋମା ତିଆରି କରେ, ଏହା ଇସ୍ରାଏଲ ପାଇଁ ଘାତକ ସାଜିବ । ତେଣୁ ବାଧ୍ୟ ହୋଇ ଆକ୍ରମଣର ପନ୍ଥା ବାଛିଲା । ଅନ୍ୟପକ୍ଷରେ ୧୯୭୯ ଫେବୃଆରୀ ପରଠାରୁ, ଆମେରିକା ଏବଂ ଇସ୍ରାଏଲ ସେଠାରେ ଶାସନ ପରିବର୍ତ୍ତନ ପାଇଁ ଅତି କମରେ ୨୫ରୁ ୩୦ ଥର ଏକାଠି ଚେଷ୍ଟା କରିଛନ୍ତି । କିନ୍ତୁ ତାହା ହୋଇପାରୁନାହିଁ । ଇରାନ କହିବା କଥା ହେଲା- ଯଦି କୌଣସି ବାହ୍ୟ ଶକ୍ତି ସାମିଲ ହୁଏ, ତେବେ ସେମାନେ ଆହୁରି କ୍ରୋଧିତ ହୋଇ ଯୁଦ୍ଧକୁ ଆହୁରି ଭୟଙ୍କର କରିବେ । ଫ୍ରାନ୍ସ ଏବଂ ଆମେରିକା ମଧ୍ୟ ଏହି ଯୁଦ୍ଧ ବୃଦ୍ଧି ପାଉ ବୋଲି ଚାହୁଁନାହାନ୍ତି । ସେହିପରି ଇରାନକୁ ମଧ୍ୟ ରୁଷ ଏବଂ ଚୀନ ସମର୍ଥନ ନଦେଇପାରନ୍ତି । କାରଣ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧର ପରିଣତି ସାରା ବିଶ୍ୱ ଦେଖିଛି ଓ ଏବେ ମଧ୍ୟ ଦେଖୁଛି ଏବଂ ଆଗକୁ ଏହା ଆହୁରି କେତେ ଦିନ ଚାଲିବ ତାହା କହି ହେଉନାହିଁ  । 

ବର୍ତ୍ତମାନ ଚାଲିଥିବା ଯୁଧ୍ୟରେ ଇସ୍ରାଏଲର ବଡ଼ ସାମରିକ ଅଭିଯାନରେ ଇରାନର ଗୁଇନ୍ଦା ମୁଖ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ନିହତ ହୋଇଛନ୍ତି  । ଇସ୍ରାଏଲୀ ବାୟୁସେନା ଆକ୍ରମଣରେ ଇରାନର ରେଭୋଲ୍ୟୁସନାରୀ ଗାର୍ଡସର ଗୁଇନ୍ଦା ମୁଖ୍ୟ ମହମ୍ମଦ କାଜେମୀ , ଉପମୁଖ୍ୟ ଓ ଅନ୍ୟ ଜେନେରାଲଙ୍କ ସମେତ ପରମାଣୁ ବୈଜ୍ଞାନିକ ମଧ୍ୟ ନିହତ ହୋଇଛନ୍ତି  । ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହାକୁ ‘ଅପରେସନ ରାଇଜିଂ ଲାୟନ’ ନାମ ଦେଇ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବାଧା ଦେବା ପାଇଁ ଏହା ଜାରି ରହିବ ବୋଲି କହିଛନ୍ତି  । ଇସ୍ରାଏଲ ଆକ୍ରମଣରେ ତେହେରାନର ତୈଳ ଓ ଗ୍ୟାସ କ୍ଷେତ୍ର, ମିସାଇଲ ନିର୍ମାଣ କେନ୍ଦ୍ର ଓ ରାଡାର ସିଷ୍ଟମ ଧ୍ୱଂସ ହୋଇଛି  । ଇରାନୀ ସୂତ୍ର ଅନୁଯାୟୀ, ଏହି ଆକ୍ରମଣରେ ବହୁ ଲୋକ ନିହତ ହୋଇଛନ୍ତି, ଯେଉଁଥିରେ ଅଧିକାଂଶ ନାଗରିକ । ଏଭଳି ସ୍ଥଳେ ଭୂ-ରାଜନୈତିକ ସ୍ଥିତିକୁ ଦେଖିଲେ ବିଶ୍ୱବ୍ୟାପୀ ଶକ୍ତି ସଙ୍କଟ ବଢ଼ିଯିବା ଥୟ ।  ଯୁକ୍ତରାଷ୍ଟ୍ର ଆମେରିକା ଇତିମଧ୍ୟରେ ଇରାନର ପରମାଣୁ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରିସାରିଲାଣି । ଅଶୋଧିତ ତେଲ ଦର ମଧ୍ୟ ବୃଦ୍ଧି ପାଇବା ଆରମ୍ଭ କଲାଣି । ଏହି ପରିପ୍ରେକ୍ଷୀରେ ଦେଖିଲେ ଇସ୍ରାଏଲ-ଇରାନ ଯୁଦ୍ଧ ଭାରତ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇବ । କାରଣ ଇରାନର ଚବାହାର ବନ୍ଦର ଦେଇ ଆଫଗାନିସ୍ତାନକୁ ଭାରତର ବାଣିଜ୍ୟ ପଥ ରହିଛି । ଆଜିର ସ୍ଥିତିରେ ଭାରତର କୂଟନୀତି ଏକ ବିରାଟ ଦ୍ୱନ୍ଦ୍ୱରେ ପଡ଼ିଛି । ପୂର୍ବରୁ ଘରୋଇ କମ୍ପାନୀକୁ ତୈଳ ଯୋଗାଇ ସାହାଯ୍ୟ କରିବାର ଆଭିମୁଖ୍ୟ ନେଇ ରୁଷିଆ ସାଙ୍ଗରେ ଅତ୍ୟଧିକ ଖୋଲାଖୋଲି ବନ୍ଧୁତ୍ୱ ଭାରତକୁ ଅସୁବିଧାରେ ପକାଇ ସାରିଛି । ପାକିସ୍ତାନ ସହିତ ୪ଦିନିଆ ଖଣ୍ଡା ବୁଲାଇବା ଅବସରରେ କୌଣସି ଦେଶ ଭାରତକୁ ସମର୍ଥନ ଜଣାଇ ନ ଥିଲେ । ରୁଷିଆ ମଧ୍ୟ ନୀରବ ରହିଥିଲା । ପୂର୍ବ ବିଫଳତାକୁ ଆଖିରେ ରଖି ଆଗାମୀ ଦିନଗୁଡ଼ିକରେ ଭାରତୀୟ କୂଟନୀତି ଅତ୍ୟନ୍ତ ସତର୍କ ହେବା ଆବଶ୍ୟକ ।
ଅରଙ୍ଗାବାଦ, ବରୀ.ଯାଜପୁର
ମୋବାଇଲ - ୮୨୪୯୫୦୨୭୭୬