ସାର୍ଥକ ମାର୍ଗ
ପାଞ୍ଚ ଝିଅଙ୍କ ପରେ ଆମ ଘରେ ପ୍ରଣବର ଜନ୍ମ । ସେଥିପାଇଁ ପ୍ରଣବର ସ୍ଥାନ ଆମ ଘରେ ସ୍ୱତନ୍ତ୍ର ଥିଲା । ମୋର ପିତାମାତା ତାକୁ ଖୁବ ଭଲ ପାଉଥିଲେ ମୁଁ କୋଡ଼ପୋଛା ଝିଅ ହୋଇଥିବାରୁ ପ୍ରଣବର ଜନ୍ମ ପୂର୍ବରୁ ମୋର ବାପା ମା ଓ ବଡ଼ଭଉଣୀଙ୍କ ଠାରୁ ଅଧିକ ସ୍ନେହ ପାଉଥିଲି । ପ୍ରଣବ ଜନ୍ମ ହେବାପରେ ମୋ ଜୀବନରେ ସତେ ଯେପରି ସବୁକିଛି ଓଲଟ ପାଲଟ ହୋଇଗଲା । ଘରେ ମହାଆଡ଼ମ୍ବରରେ ପ୍ରଣବର ଜନ୍ମଦିନ ପାଳିତ ହେବାକୁ ଲାଗିଲା ଓ ଆମ ଭଉଣୀ ମାନଙ୍କର ଜନ୍ମଦିନ ପାଳନ ବନ୍ଦ ହୋଇଗଲା । ମୁଁ ଏହାର କାରଣ ବୁଝିବାକୁ ଯାଇ ଅତ୍ୟନ୍ତ କ୍ଷୋଭର ସହ ମୋର ମାମୁ ସରଞ୍ଜନଙ୍କୁ ପଚାରିବାରୁ ସେ କହିଲେ "ସଂସାରରେ ଆମେ ସମ୍ମୁଖୀନ ହେଉଥିବା ଉତ୍ଥାନ, ପତନ ହିଁ ସୁଖ ଓ ଦୁଃଖର କାରଣ । ଦୁଃଖ ନିବୃତ୍ତିକୁ ସୁଖ ହିସାବରେ ସ୍ୱାଗତ କରାଯାଏ ଓ ସୁଖ ନମିଳିଲେ ତାହା ଦୁଃଖଦ ବିଳାପ ପାଲଟିଯାଏ । ସୁଖ ଓ ଦୁଃଖ ସଂସାରରୂପୀ ମୁଦ୍ରାର ଦୁଇଟି ପାଶ୍ୱର୍ । ସଂସାରରେ ଅଣୁମାତ୍ର ସତ୍ୟ ଅଛି । ଏହା ଅଶ୍ୱତ୍ଥ ବୃକ୍ଷ ଭାବେ ଭାଗବତ ଗୀତାରେ ବର୍ଣ୍ଣନା କରାଯାଇଛି । ଏହାର ଅର୍ଥ କାଲିକି ଯାହା ନଥିବ । ମାମୁ କହିଲେ ତତେ ସଂସାର ଚିରସ୍ଥାୟୀ ବା ସତ ଲାଗୁଛି । ଏହା ପ୍ରକୃତରେ ଏକ ମୋହ ଓ ବିଶାଳ ବୃକ୍ଷ ସଦୃଶ । ଜ୍ଞାନାଗ୍ନି ଦ୍ୱାରା ଏ ବିଶାଳ ବୃକ୍ଷକୁ ନଷ୍ଟ କରାଯାଇପାରିବ ।'
ମୋର ଜ୍ଞାନ ତୁଳନାରେ ମାମୁଙ୍କ କଥା ମୁଁ ବୁଝିପାରିନଥିଲି । ବଡ଼ ହେବା ସହିତ ଜଗନ୍ନାଥ ଚେତନାରେ ନିମଗ୍ନ ହେଲି । ସାଂସାରିକ ଜିନିଷରେ ଅଧିକ ମୁଣ୍ଡ ଖେଳାଇ ଲାଭ ନାହିଁ । ଦିନେ ମୋର ଜଣେ ବାନ୍ଧବୀ ମୁକ୍ତି ସହିତ ପୁରୀରେ ଦେଖାହେଲା । ମୁକ୍ତି କହିଲା ତୋର ସଂସାର କିପରି ଚାଲିଛି? ମୁଁ କହିଲି ଜଗନ୍ନାଥଙ୍କ କୃପାରୁ ସବୁ ଠିକ ଠାକ ଚାଲିଛି । ମୁଁ ତା’ ପରିବାର ବିଷୟରେ ପଚାରିବାରୁ ସେ ପରିବାର ତ୍ୟାଗ କରି ଏକ ମଠରେ ରହୁଥିବାର କହିଲା । ମୁକ୍ତି କହିଲା ଚେତନାର ଅଗ୍ନି ଉତ୍ପନ୍ନ କରିବାକୁ ହେଲେ ଆଧ୍ୟାତ୍ମିକ ଶୃଙ୍ଖଳା ଆବଶ୍ୟକ । ଏହା ହିଁ ଏକମାତ୍ର ମାର୍ଗ । ଚେତନାରେ ଚେର ବିସ୍ତାର କରିଥିବା ଅହଂକାରକୁ ଅତିକ୍ରମ କରିବା ଅତ୍ୟନ୍ତ ଜରୁରି । ପ୍ରତିଟି କର୍ମ ଈଶ୍ୱରଙ୍କୁ ଅର୍ପିତ ହେବା ଆବଶ୍ୟକ । ସତକର୍ମ, ସତସଙ୍ଗ, ଗୁଣ ମଣ୍ଡିତ ପ୍ରେମରେ ଉବୁଟୁବୁ ହେବା ଦରକାର । ଏହି ଗୁଣ ଗୁଡ଼ିକ ମଣିଷର ଅନ୍ତର୍ନିହିତ ଶୋଭା । ଭଗବାନଙ୍କ ପ୍ରତି ଭକ୍ତି ପାଇଁ ମୁଁ ମଠରେ ରହୁଛି । ସାଂସାରିକ ବିବାଦ, କଳହ ମୋର ଶୃଙ୍ଖଳାକୁ ଭାଙ୍ଗି ନଦେଉ, ସେ ନିମନ୍ତେ ପ୍ରାର୍ଥନା ପାଇଁ ପୁରୀ ଜଗନ୍ନାଥଙ୍କ ପାଖକୁ ଆସିଛି । ମୁଁ କହିଲି ଠିକ କହିଲୁ । ଧର୍ମ ନାମରେ ବିଭିନ୍ନ ସଂପ୍ରଦାୟର ଲୋକ, ଯେଉଁମାନେ କେବେ ବି ଭଗବାନଙ୍କୁ ଦର୍ଶନ କରିନଥାନ୍ତି, ସେମାନେ ବିବାଦୀୟ କଳହ ସୃଷ୍ଟି କରିଥାନ୍ତି । ଶୁକୁବାଇ ପଥରମୂର୍ତ୍ତିକୁ ଏକ ସାକାର ପ୍ରତିମାର ପରିଣତ କରିପାରିଥିଲେ । ଆମେ ନିଜର ବିଶ୍ୱାସକୁ ବଢ଼ାଇବା ଅନ୍ୟର ବିଶ୍ୱାସକୁ ବିଚଳିତ କରିବା ନାହିଁ । ଦୁଇବନ୍ଧୁ ମିଶି ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବାକୁ ଗଲୁ । ମୁଁ ପଚାରିଲି ତୁ ଘର ଛାଡ଼ିଲୁ କାହିଁକି? ସେ କହିଲା ଆଧ୍ୟାତ୍ମିକ ଶୃଙ୍ଖଳା ପାଇଁ ଚାଲାକି, ଆଡ଼ମ୍ବରପୂର୍ଣ୍ଣ ଜୀବନ ଓ ବାକଚାତୁରୀ କାମ କରେ ନାହିଁ ।
ଥରେ ଆମ ଘର ପୋଷା ବିଲେଇ ମତେ ରାମ୍ପୁଡ଼ି ଦେଲା । ମୁଁ ତାକୁ ଗୋଟିଏ କଣ୍ଟାବାଡ଼ିରେ ପିଟିଲି । ମୋର ଭାଇ ପ୍ରଣବ ବାପାଙ୍କୁ ଏକଥା ଜଣାଇଲା । ବାପା କହିଲେ ନିଜକୁ ବଞ୍ଚାଇବା ପାଇଁ ତୁ କଣ ଗୋଟିଏ କଣ୍ଟା ନଥିବା ବାଡିରେ ବିଲେଇକୁ ବାଡ଼େଇ ପାରିନଥାନ୍ତୁ । ମୁଁ କହିଲି ଜୀବନ ବଞ୍ଚାଇବା ସମୟରେ ବାଡ଼ି ବାଛିବା ଓ ତାକୁ ପସନ୍ଦ କରି ଜୀବନ ରକ୍ଷା କରିବାକୁ ବେଳ ନଥିଲା । ସେ ତାର ମୁନିଆ ଦାନ୍ତ ଦେଖାଇ ମତେ ରାମ୍ପୁଡ଼ି ନଥିଲେ ଓ ତାର ରୁମୁରୁମିଆ ଲାଞ୍ଜ ମୋ ଦେହରେ ବଜାଇ ନଥିଲେ ମୁଁ ଏପରି କରିନଥାନ୍ତି । କଥା ଚାତୁରୀରେ ବାପାଙ୍କ ଠାରୁ ଗାଳି ଖାଇବାରୁ ମୁଁ ବଞ୍ଚôଗଲ । କିନ୍ତୁ ମୋର କାର୍ଯ୍ୟରେ ଶୃଙ୍ଖଳା ନଥିଲା । ମୁକ୍ତି କହିଲା ତୁ ଠିକ କହିଲୁ । ସିଧାସଳଖ କଥାରେ ଆମ ମନ ଭରେ ନାହିଁ । ଏହି ସମୟରେ ମନ୍ଦିର ଭିତରୁ ଓଁକାର ଧ୍ୱନି ଶୁଣାଗଲା । ମୁକ୍ତି କହିଲା "ଓଁ ସୃଷ୍ଟିର ମୂଳ । ଏହା ହିଁ ଜୀବନ ଶକ୍ତି, ଏହା ହିଁ ବଳ । ପ୍ରତ୍ୟେକ ଜୀବର ପ୍ରାଣ ହେଉଛି ଓଁ । ଗୀତାରେ ଭଗବାନ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯିଏ ପ୍ରଣବ ଧ୍ୱନି (ଓଁ) ସହ ଶେଷ ନିଶ୍ୱାସ ତ୍ୟାଗ କରେ ସେ ନିଶ୍ଚୟ ମୁକ୍ତିଲାଭ କରେ । ମୁଁ କହିଲି ଏହା କଣ ସ୍ତ୍ରୀଲୋକଙ୍କ ପକ୍ଷେ ସମ୍ଭବ ? ମୁକ୍ତି କହିଲା ନିଶ୍ଚୟ । ଯାଜ୍ଞବଳ୍କଙ୍କ ସ୍ତ୍ରୀ ମୈତ୍ରେୟୀ ବ୍ରହ୍ମବିଦ୍ୟା ଲାଭ କରିଥିଲେ । ଗାର୍ଗୀ ଜଣେ ବିଦୁଷୀ ନାରୀ ଥିଲେ ଯେ ନିଜକୁ ଜନକଙ୍କ ରାଜଦରବାରେ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ମହାନ ପଣ୍ଡିତ ଭାବେ ପ୍ରମାଣିତ କରିଥିଲେ । ପ୍ରଣବ ହିଁ ଓଁ । ଓଁ ଏକାକ୍ଷର ବ୍ରହ୍ମ । ତେଣୁ ପାଠପଢ଼ା ଆରମ୍ଭ କରିବା ପୂର୍ବରୁ ଓଁ ଲେଖାଯାଏ । ମୁଁ ସେହି ଦିନ ବୁଝିପାରିଲି ବାପା ଭାଇର ନାଁ କାହିଁକି ପ୍ରଣବ ରଖିଛନ୍ତି । ମୁଁ ମଧ୍ୟ ମୋର ବାନ୍ଧବୀ ମୁକ୍ତିକୁ ପ୍ରତିଶ୍ରୁତି ଦେଲି ମୁଁ ମଧ୍ୟ ସେହି ମାର୍ଗରେ ବ୍ରତୀ ହେବି । ସେ ମତେ ଆନନ୍ଦରେ କୁଣ୍ଢାଇ ପକାଇଲା ।