ଖୋଲିନି ମଣ୍ଡି, ଖଳାରେ ପଡ଼ିଛି ଧାନ: ଲାଭ ଉଠାଉଛନ୍ତି ଦଲାଲ

 ପାଣିକୋଇଲି: ଚାଷୀ ଖରିଫ ଧାନ ଅମଳ କରି ମଣ୍ଡିରେ ମାପି ଦେବାକୁ ଅପେକ୍ଷାରେ ଅଛନ୍ତି । ମଣ୍ଡିଖୋଲିବାରେ ଆହୁରି ବିଳମ୍ବ ରହିଛି । ଆସନ୍ତା ମାସରୁ ମଣ୍ଡିଖୋଲିବାକୁ ଥିବା ବେଳେ ଚାଷୀ ବିଲରୁ ଅମଳ କରିଥିବା ଧାନ ଖଳାରେ କାଣ୍ଡି କରି ରଖିଛି । ଧାନ ଅମଳ ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚôଥିବା ବେଳେ, ଅଧିକାଂଶ ଚାଷୀ କିନ୍ତୁ ଅମଳ ଶେଷ କରି ମଣ୍ଡି ଖୋଲିବାକୁ ଅପେକ୍ଷା କରିଛନ୍ତି । ତେବେ ସରକାରୀ ମଣ୍ଡି ଖୋଲିବାରେ ବିଳମ୍ବ ଘଟୁଥିବାରୁ ଅଭାବୀ ବିକ୍ରିର ଆଶଙ୍କା ପ୍ରକାଶ ପାଇଛି । ସରକାରୀ ମଣ୍ଡି ଖୋଲିବାରେ ବିଳମ୍ବ କାରଣରୁ ଧାନ ଚାଷ ଆରମ୍ଭ ପୂର୍ବରୁ ଧାର କରଜ କରିଛି ଚାଷୀ ଅମଳ ଧାନ ବିକ୍ରି କରିବାକକୁ ମନ ବଳାଉଛନ୍ତି । ସୁଯୋଗକୁ ହାତଛଡା ନକରିବାକୁ ଦଲାଲ ଗାଁରେ ବୁଲିବାରେ ଲାଗିଛନ୍ତି । ଧାରକରଜକୁ ମେସିନରେ ଧାନ କଟା ଖର୍ଚ୍ଚ ସହିତ ପରିବାର ପ୍ରତିପୋଷଣ ଚିନ୍ତାରେ ଥିବା ଚାଷୀ ବାହାର ବେପାରୀଙ୍କୁ ଧାନ ବିକ୍ରି କରିବାକୁ ଲାଗିଲେଣି । ସରକାରୀ ଦର କ୍ୱିଣ୍ଟାଲ ପିଛା ୩୧ ଶହଟଙ୍କା ଘୋଷଣା ହୋଇଥିଲା ବେଳେ, ଦଲାଲ ୧୯ଶହରୁ ୨୨ ମଧ୍ୟରେ ଧାନ କିଣୁଛନ୍ତି । ସରକାରୀ ମଣ୍ଡିରେ ଧାନ ଦେବାର ବ୍ୟବସ୍ଥାକୁ ଶୁଣି ମଧ୍ୟ ଚାଷୀ ମଣ୍ଡିରେ ଧାନ ଦେବାକୁ କୁନ୍ଥୁ କନ୍ଥୁ ହେଉଛି । ଯେଭଳିଭାବେ ଦଲାଲ ଧାନ ଉଠାଉଛନ୍ତି ମଣ୍ଡି ଖୋଲିବା ବେଳେକୁ ଧାନ ଥିବ କି ନାହିଁ ତାହା ସନେ୍ଦହ । ଚାଷୀର ଆର୍ଥିକ ସ୍ଥିତି ଓ ବର୍ଷ ସାରାର ପ୍ରରିଶ୍ରମର ଫଳ ଧାନକୁ ଦେଖିଲେ ସରକାରୀ ମୂଲ୍ୟରେ ଧାନ ବିକ୍ରି କରିବା ନେଇ ସନେ୍ଦହ ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଜାନୁଆରୀ ପରିବର୍ତେ ଅବିଳମ୍ବେ ସରକାରୀ ମଣ୍ଡି ଖୋଲିବାକୁ କୋରେଇ କୃଷକ ମଞ୍ଚ ସଭାପତି ବଳରାମ ସାହୁ ଦାବି କରିଛନ୍ତି ।