ଦିନ ଦି ପହରେ ଛେଳି ଚୋରି; ପଚାରିବାରୁ ହତ୍ୟା ଧମକ
କୁଆଖିଆ : ଏହି ଥାନା ଅଞ୍ଚଳରେ ଏବେ ଅପରାଧୀ ମାନେ ଖୁଲମ ଖୁଲା ଅପରାଧ କରିବା ପାଇଁ ପଛାଉ ନଥିବା ଦେଖାଯାଉଛି । ଏଥିରେ ନାବାଳକ ମାନଙ୍କ ସମ୍ପୃକ୍ତିକୁ ନେଇ ଚିନ୍ତାର କାରଣ ହେଇଛି । ସୂଚନା ଅନୁଯାୟୀ ଏହି ଥାନା ଅନ୍ତର୍ଗତ. ବଡକଇଁଚି ପଞ୍ଚାୟତ ନାଉପାଳ ଗ୍ରାମର ଗୟାଧର ସାହୁ ତାଙ୍କର ଦୁଇଟି ଛେଳିକୁ ସକାଳ ସମୟରେ ଘର ନିକଟ ପଡିଆରେ ବାନ୍ଧି ଚରାଉ ଥିବା ବେଳେ ସେହି ଗ୍ରାମର ମଣି ମଳିକଙ୍କ ପୁଅ ଓ ତାଙ୍କ ପିଉସୀ ପୁଅ ମିଶି ଗୋଟିଏ ଛେଳି ଟେକିନେଇ ଚାଲି ଯାଇଥିଲେ । ଗୟାଧର ଛେଳିକୁ ଖୋଜି ନ ପାଇବାରୁ ସୋମ୍ୟରଞ୍ଜନ ପଟ୍ଟନାୟକ ବୋଲି ଜଣେ ସ୍ଥାନୀୟ ଯୁବକ ତାଙ୍କ ଛେଳିକୁ ଦୁଇଜଣ ପିଲା ଗୋଟିଏ ବାଇକରେ ନେଇ ଯାଉଥିବା ସୂଚନା ଦେଇଥିଲେ । ଗୟାଧର ସନ୍ଧାନ ନେଇ ଛେଳି ନେଇ ଯାଇଥିବା ପିଲାର ବାପା ମଣିଙ୍କୁ ଡାକି ତାଙ୍କ ପୁଅ ଛେଳି ନେଇଥିବା କଥା ପଚାରିଥିଲେ । ଏହି କଥାରେ ରାଗି ଯାଇ ମଣି ଓ ତାଙ୍କ ପୁଅ ଗ୍ରାମବାସୀଙ୍କ ଉପସ୍ଥିତିରେ ଗୟାଧରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।