ଗ୍ରାମ୍ୟ ରାସ୍ତାଦେଇ ହେଉଛି ଅବାଧ ଗୋ-ଚାଲାଣ

 ଭଣ୍ଡାରିପୋଖରୀ : ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ବ୍ଲକ ଛତାବର ଟୋଲ୍ଗେଟ୍ ସହ ଆଖୁଆପଦା ଠାରେ ପୁଲିସ ବାରମ୍ବାର ଚେକିଂ କରୁଥିବା ଯୋଗୁଁ  ଅନେକ ବେଆଇନ୍ ଗାଡ଼ି ଏବେ ବିଭିନ୍ନ ଗ୍ରାମ ରାସ୍ତା ଦେଇ ଛୁ ମାରୁଛନ୍ତି  । ସେଥିମଧ୍ୟରୁ ପ୍ରାୟ ଅଧିକାଂଶ ବେଆଇନ ଗୋରୁ ବୋଝେଇ ପିକପ୍ ରାଜପଥରେ ନଯାଇ ଗ୍ରାମ୍ୟ ରାସ୍ତା ଦେଇ ଯାଉଛନ୍ତି  । ସୂଚନା ଅନୁସାରେ ଛତାବର ବଳିଘାଇ ରାସ୍ତା ସମେତ ତିନି ନମ୍ବର ହାଇଲେବୁଲ କେନାଲ ଦେଇ ଅନେକ ସମୟରେ ଗୋରୁ ବୋଝେଇ ଗାଡ଼ି ଯାଉଛି  । ଯାଜପୁର ଓ କଟକ ପଟରୁ ପିକ୍ଅପ ଏବଂ ଟାଟାଏସିରେ ଅତି ଅମାନୁଷିକ ଭାବେ ଗୋରୁ ବୋଝେଇ ହୋଇ ଆସୁଥିବା ବେଳେ ଗାଡ଼ି ଗୁଡିକ ଅନାୟାସରେ ଏହି ରାସ୍ତା ଦେଇ ଭଦ୍ରକ ଏବଂ ବାଲେଶ୍ୱର ଅଭିମୁଖେ ଯାଉଥିବା ଜଣାପଡିଛି  । ବିଶେଷ କରି ଶନିବାର ଓ ମଙ୍ଗଳବାରରେ ଗୋଚାଲାଣ ଅଧିକ ହେଉଥିବା ସୂଚନା ମିଳିଛି  । କେବଳ ସେତିକି ନୁହେଁ ଉକ୍ତ ରାସ୍ତାକୁ ଛାଡ଼ି ଦେଲେ ଆଖୁଆପଦା ଠାରୁ ମଞ୍ଜୁରୀ ରୋଡ଼ ପର୍ଯ୍ୟନ୍ତ ଲମ୍ବିଥିବା ବୈତରଣୀ ନଦୀ ବନ୍ଧ ରାସ୍ତାରେ ମଧ୍ୟ ଗୋରୁ ବୋଝେଇ ଗାଡ଼ି ଚଳାଚଳ କରୁଛି  । ଏହାଛଡ଼ା ମାଳଦା ମଣୀନାଥପୁର ପୂର୍ତ୍ତ ରାସ୍ତା, କଣ୍ଟି କୋରିଗାଁ ଗ୍ରାମ୍ୟ ଉନ୍ନୟନ ରାସ୍ତା, ସରସଦା ଧାମନଗର କେନାଲ ରାସ୍ତା, ବଲ୍ଲଭିଘାଟ ଆନନ୍ଦପୁର ଦାଣ୍ଡ କୂଳ ରାସ୍ତାଦେଇ ମଧ୍ୟ ବିଭିନ୍ନ ସମୟରେ ଅନେକ ଗୋରୁ ଗାଡ଼ି ଯାଉଥିବା ଜଣାପଡ଼ିଛି  । ତେବେ ସ୍ଥାନୀୟ ପୁଲିସ ରାଜପଥ ଉପରେ ନଜର ରଖିଥିବା ବେଳେ ଗୋଚାଲାଣକାରୀମାନେ ଅତି ଚତୁରତାର ସହ ଗ୍ରାମ୍ୟ ରାସ୍ତାଦେଇ ପାର ହୋଇ ଯାଉଛନ୍ତି  ।