ଗୋପାଳପୁର ବନ୍ଦର ସମ୍ପ୍ରସାରଣ ପାଇଁ ଓଡ଼ିଶା ଷ୍ଟିଭେଡୋରସ୍‌ ପ୍ରତିବଦ୍ଧ : ମହିମା ମିଶ୍ର

Mahima Mishra, OSL Group

ଗୋପାଳପୁର ବନ୍ଦର ସମ୍ପ୍ରସାରଣ ପାଇଁ ଓଡ଼ିଶା ଷ୍ଟିଭେଡୋରସ୍‌ ପ୍ରତିବଦ୍ଧ : ମହିମା ମିଶ୍ର

ଆଦାନୀ ବନ୍ଦର ସହଯୋଗରେ ହେବ ବିକାଶ

ଭୁବନେଶ୍ୱର : ଗୋପାଳପୁର ବନ୍ଦର ସମ୍ପ୍ରସାରଣ ପାଇଁ ଓଡ଼ିଶା ଷ୍ଟିଭେଡୋରସ୍‌ ତାହାର ପ୍ରତିବଦ୍ଧତା ଜାରିରଖିଛି ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ମହିମାନନ୍ଦ ମିଶ୍ର କହିଛନ୍ତି  ।

ସେ କହିଛନ୍ତିଯେ, ରାଜ୍ୟର ଅର୍ଥନୀତି ବୃଦ୍ଧି ସହ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ଦେବାକୁ ଗୋପାଳପୁର ବନ୍ଦରର ସମ୍ପ୍ରସାରଣ ନିହାତି ଅପରିହାର୍ଯ୍ୟ ଥିଲା  । ବନ୍ଦର ପରିଚାଳନା, ବନ୍ଦର ସମ୍ପ୍ରସାରଣ, ଦେଶ ଓ ରାଜ୍ୟର ଅର୍ଥନୀତି ବୃଦ୍ଧି ଓ ସର୍ବୋପରି ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ଅଦାନୀ ଗ୍ରୁପର ବିଶ୍ୱରେ ଖ୍ୟାତି ରହିଛି  । ବନ୍ଦର ପରିଚାଳନା କ୍ଷେତ୍ରରେ ଆଦାନୀ ବନ୍ଦର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି  । ଆଦାନୀ ସହଯୋଗରେ ଗୋପାଳପୁର ବନ୍ଦରର ସମ୍ପ୍ରସାରଣ ପାଇଁ ଓଡ଼ିଶା ଷ୍ଟିଭେଡୋରସ ଏହାର ୩୪% ଅଂଶଧନରୁ ୨୯% ଅଂଶଧନ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି  । ଏବେ କମ୍ପାନୀ ହାତରେ ଗୋପାଳପୁର ବନ୍ଦରର ୫% ଅଂଶଧନ ରହିଛି  । ଅନ୍ୟ ଦୁଇ ପୂର୍ବ ସହଯୋଗୀ କମ୍ପାନୀ ନୋବଲେ ଗ୍ରୁପ ଲିମିଟେଡ଼ ଓ ସାରା ଇଣ୍ଟରନାସନାଲ ଏହାର ସମସ୍ତ ଅଂଶଧନ ବିକ୍ରି କରିଦେଇଛନ୍ତି  । ସମ୍ପ୍ରତି ଆଦାନୀ ବନ୍ଦରର ସହଯୋଗରେ ଗୋପାଳପୁର ବନ୍ଦରର ବାଣିଜ୍ୟିକ କାରବାର ଅନେକ ଗୁଣା ବୃଦ୍ଧି ପାଇବ ବୋଲି ଆଶା ରଖିଛୁ  । ୨୦୨୩-୨୪ରେ ରାଜ୍ୟ ସରକାରଙ୍କୁ ଗୋପାଳପୁର ବନ୍ଦର ପକ୍ଷରୁ ୩୮ କୋଟି ଟଙ୍କା ଦିଆଯାଇଥିଲା  । ସମ୍ପ୍ରସାରଣ ପରେ ରାଜ୍ୟ ରାଜକୋଷକୁ ଆହୁରି ଅନେକ ଗୁଣା ଅର୍ଥ ଆସିପାରିବ  । ସମ୍ପ୍ରତି ଗୋପାଳପୁର ବନ୍ଦର ୪ ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ଦେଇପାରିଛି  । ଆଗାମୀ ଦିନରେ ଓଡ଼ିଆମାନେ କିଭଳି ଅଧିକ ନିଯୁକ୍ତି ପାଇପାରିବେ ସେଦିଗରେ ଓଡ଼ିଶା ଷ୍ଟିଭେଡୋରସ୍‌ ଧ୍ୟାନ କେନ୍ଦ୍ରୀଭୂତ କରିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି  ।