ହାଇକୋର୍ଟ ବେଞ୍ଚକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
Mohan Charan Majhi, High Court Bench
ଭୁବନେଶ୍ୱର : ପଶ୍ଚିମ ହେଉକି ଦକ୍ଷିଣ ଅବା ଉତ୍ତର, ଏକଦା ସବୁଠି ହାଇକୋର୍ଟ ବେଞ୍ଚ ନେଇ ଆନ୍ଦୋଳନ ତେଜି ଉଠିଥିଲା । ବିଶେଷକରି ପଶ୍ଚିମ ଓଡ଼ିଶାର ସମ୍ବଲପୁର ଠାରୁ ନେଇ ବଲାଙ୍ଗୀର ଯାଏଁ ସବୁଠି ଆନ୍ଦୋଳନ ଭୟଙ୍କର ରୂପ ବି ନେଇଥିଲା । କୋର୍ଟ ବନ୍ଦ ହେଉ ଅବା ପୁଲିସ-ଆଇନଜୀବୀ ହାତାହାତି ହେଉ, ଏମିତି ଅନେକ ନଜିର ଦେଖିବାକୁ ମିଳିଥିଲା । ବେଶ୍ କିଛିଦିନ ଧରି ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଥମି ଯାଇଥିବାବେଳେ ଏବେ ସେହି ପ୍ରସଙ୍ଗ ପୁଣି ଥରେ କଡ଼ ଲେଉଟାଇବାକୁ ଯାଉଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉତ୍ତରକୁ ନେଇ ଏବେ ବିରୋଧୀ ରାଜନୀତିକ ରୁଟି ସେକିବାକୁ ସଜବାଜ ହେଉଛନ୍ତି ।
ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଏକ ପ୍ରଶ୍ନର ଉତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତିଯେ, ସୁପ୍ରିମକୋର୍ଟଙ୍କ ଦ୍ୱାରା ଏସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ, ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ହେବାର ଯଥାର୍ଥତା ନାହିଁ ।
ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ତେବେ ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର କହିଛନ୍ତିଯେ, ପଶ୍ଚିମ ଓଡିଶାରେ ଆମେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ଏବେ ବି କରୁଛୁ । ୟୁପିରେ ତିନିଟା ବେଞ୍ଚ୍ ଅଛି । ଓଡ଼ିଶାରେ କାହିଁକି ହେବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି କଳିକେଶ କହିଛନ୍ତିଯେ, ବଲାଙ୍ଗୀରରେ ସ୍ୱତନ୍ତ୍ର ହାଇକୋର୍ଟ ବେଞ୍ଚ ଦାବି ଦୀର୍ଘ ଦିନରୁ ରହିଆସିଛି । ସରକାର ଚାହିଁଲେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାରେ କୌଣସି ବାଧା ନାହିଁ । ୟୁପିରେ ତିନିଟି ହାଇକୋର୍ଟ ବେଞ୍ଚ ରହିଛି । ସ୍ୱତନ୍ତ୍ର ଭାବେ ପଶ୍ଚିମ ଓଡ଼ିଶାର ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପାଇଁ ପଦକ୍ଷେପ ନେବା ଦରକାର । ମୁଖ୍ୟମନ୍ତ୍ରୀ ଯଦି ମନା କରୁଛନ୍ତି ବିଜେପି ନେତାଙ୍କ ଦାବିର ମୂଲ୍ୟ କଣ ? ପଶ୍ଚିମ ଓଡ଼ିଶା ସହିତ ବିଶ୍ୱାସଘାତ ହୋଇଛି ବୋଲି ସେ କହିଛନ୍ତି ।
ଅନରୂପ ଭାବେ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ରାଜେନ ଏକା କହିଛନ୍ତିଯେ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପାଇଁ ଦାବି ହୋଇ ଆସୁଛି । ଲୋକଙ୍କୁ ୪ ଶହରୁ ଅଧିକ କଟକ ଆସିବାକୁ ପଡୁଛି । ପଶ୍ଚିମ ଓଡ଼ିଶା ପାଇଁ ଏହା ଅନ୍ୟାୟ । ଗରିବ ଆଦିବାସୀ ଏତେ ଟଙ୍କା ଖର୍ଚ୍ଚ କରି କାହିଁକି କଟକ ଆସିବେ? ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ ହୋଇ ଆଦିବାସୀଙ୍କ ଭାବନା ବୁଝିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ନେତାମାନଙ୍କ ଏଭଳି ବିତର୍କରୁ ଆଗକୁ ପୁଣିଥରେ ହାଇକୋର୍ଟ ବେଞ୍ଚ ଦାବି ଜୋରଦାର ହେବାର ସମ୍ଭାବନା ରହିଛି ।
ତେବେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ବିଧାନସଭାରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତିଯେ, ଜନସାଧାରଣଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ସରକାର ହାଇକୋର୍ଟ ବେଂଚ ପ୍ରତିଷ୍ଠା ପାଇଁ ଚାହୁଁଛନ୍ତି । ଏନେଇ ସରକାର ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ନେବେ । ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ସେ ବିଧାନସଭାରେ ଉତର ରଖିଥିଲେ ।