ନବୀନଙ୍କୁ ନିରସ୍ତ୍ର କରିଦେବେ ମୋହନ
Mohan Charan Majhi
ଭୁବନେଶ୍ୱର : ପାଞ୍ଚ ମାସ ଭିତରେ ମୋହନ ସରକାର ଟ୍ରେଲର ଦେଖାଇ ସାରିଲେଣି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିରସ୍ତ୍ର କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବେ ପଣ କରିଛନ୍ତି । ଯେଉଁ ଯେଉଁ ଅସ୍ତ୍ର ଧରି ନବୀନ ଲୋକପ୍ରିୟତାର ବାନା ଉଡ଼ାଇଥିଲେ ସେହିସବୁ ଅସ୍ତ୍ରକୁ ଶାଣ ଦେଇ ମୋହନ କାଉଣ୍ଟର ଆଟାକ୍ କରିବାକୁ ରଣନୀତି କରିଛନ୍ତି । ଖାଲି ସେତିକିନୁହେଁ ନବୀନଙ୍କ ଦୁର୍ବଳତାକୁ ପରଖି ସରକାରଙ୍କ ଲୋକପ୍ରିୟତା ବଢ଼ାଇବାକୁ ବି ସୁଚିନ୍ତିତ ଯୋଜନା କରାଯାଇଛି ।
୨୦୦୦ରେ ନବୀନ ପ୍ରଥମ ଥର ପାଇଁ କ୍ଷମତାକୁ ଆସିବା ପରେ ଦୁର୍ନୀତି ବିରୋଧରେ ଲଢେ଼ଇ ଆରମ୍ଭ କରିଥିଲେ । ନବୀନଙ୍କୁ ଦୁର୍ନୀତି ମୁକ୍ତର ମସିହା ଭାବେ ବି ଚିତ୍ରଣ କରାଯାଉଥିଲା । ନବୀନଙ୍କ ଧୋବ ଫରଫର ପୋଷାକ ଭଳି ଦୁର୍ନୀତି ମୁକ୍ତର ଚେହେରା ତାଙ୍କୁ ରାଜ୍ୟବାସୀଙ୍କ ନିକଟରେ ଲୋକପ୍ରିୟ କରାଇଥିଲା । ମୋହନ ସରକାର ବି ଅନୁରୂପ ରଣନୀତି କରିଛନ୍ତି । ଶାସନର ମଙ୍ଗ ଧରିବା କ୍ଷଣି ମୋହନ ବଡ଼ ବଡ଼ ବାବୁଙ୍କ ଉପରେ ଚଢ଼ାଉ ଆରମ୍ଭ କରିଦେଇଛନ୍ତି । ପ୍ରଭାବଶାଳୀ ଓ କ୍ଷମତାଶାଳୀ ବଡ଼ ବଡ଼ ଯନ୍ତ୍ରୀମାନଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଉଛି । ୫ ମାସ ଭିତରେ ଏତେ ବଡ଼ ବଡ଼ ଅଫିସରଙ୍କ କଳା କାରବାର ପଦାକୁ ଆସିବା ପରେ ବିଜେପି ସରକାରଙ୍କ ଲୋକପ୍ର୍ରିୟତା ବଢ଼ିଯାଇଛି ।
ନବୀନ ଓ ବିଜେଡ଼ିର ଶକ୍ତି ହେଉଛନ୍ତି ମହିଳା । ରାଜ୍ୟର ମହିଳା ଭୋଟ ବ୍ୟାଙ୍କର ସିଂହଭାଗ ନବୀନଙ୍କୁ ଯାଉଥିଲା । କିନ୍ତୁ ନବୀନ ସରକାରଙ୍କ ଅମଳରେ ଚାଲିଥିବା ଯୋଜନା ପୂର୍ବଭଳି ଜାରି ରହିଥିବାବେଳେ ନୂତନ ଭାବେ ସୁଭଦ୍ରା ଯୋଜନା ଏବେ ଆଲୋଡ଼ନ ସୃଷ୍ଟିକରିଛି । ଅଧିକରୁ ଅଧିକ ମହିଳାଙ୍କୁ ଯୋଜନାର ସୁଫଳ ଦେବା ପାଇଁ ମାନଦଣ୍ଡ ବି କୋହଳ କରାଯାଉଛି । ମୋହନଙ୍କ ନିର୍ଦ୍ଦେଶରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଜେପିର ମହିଳା ଭୋଟ ବ୍ୟାଙ୍କ ବଢ଼ାଇବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଯେଉଁ ସବୁ ଏସଏଚଜି ମହାସଂଘଗୁଡ଼ିକ ବିଜେଡ଼ିର ହସ୍ତମୁଦି ମାହାଲ ଥିଲା ସେଗୁଡ଼ିକ ଏବେ ବିଜେପି ମୁହାଁ ହେବା ଆରମ୍ଭ କଲେଣି । ବିଜେଡ଼ିର ଅନେକ ଏସଏଚଜି ଲିଡ଼ର ବିଜେପି ସହ ହାତ ମିଳାଇ ସଭ୍ୟ ସଂଗ୍ରହରେ ବି ଲାଗି ପଡ଼ିଲେଣି ।
ନବୀନଙ୍କ ଜନଶୁଣାଣୀର ବି କ୍ରେଜ୍ ରହିଥିଲା । ଯଦିଓ ନବୀନ ଯାଉନଥିଲେ, ତଥାପିବି ସିଏମଓ ଜନଶୁଣାଣୀକୁ ନେଇ ତତ୍କାଳୀନ ବିଜେଡ଼ି ସରକାର ବ୍ରାଣ୍ଡିଂ କରିଥିଲା । କିନ୍ତୁ ମୋହନ ସରକାର ନୂଆ ତରିକା ଆପଣାଇଥିଲେ । ମୁଖ୍ୟମନ୍ତ୍ରୀ ନିଜର ସହଯୋଗୀ ମନ୍ତ୍ରୀମାନଙ୍କୁ ଧରି ସିଧାସଳଖ ଲୋକଙ୍କର ଅଭିଯୋଗ ଶୁଣୁଛନ୍ତି । ସିଏମଓ ଅଭିଯୋଗ ଶୁଣାଣୀ ପୋର୍ଟାଲରେ ଅଭିଯୋଗ ଆସିବାର ୧୫ ଦିନ ଭିତରେ ଉତ୍ତର ବି ମିଳିଯାଉଛି । ସେହିପରି ନବୀନ କୌଣସି ଯାଗାକୁ ଗଲେ ସୁରକ୍ଷା ବଳୟ ଭିତରେ ରହିବାକୁ ପସନ୍ଦ କରୁଥିଲେ । ଲୋକଙ୍କୁ କେବଳ ଦୂରରୁ ହାତ ହଲାଉଥିଲେ । ତେବେ ମୋହନ ନିଜେ ଲୋକଙ୍କ ସହ ମିଶୁଛନ୍ତି । ଫଳରେ ତାଙ୍କର କ୍ରେଜ୍ ଧିରେଧିରେ ବଢ଼ିବାରେ ଲାଗିଛି ।
ବାତ୍ୟା ମୁକାବିଲାରେ ନବୀନଙ୍କ ସୁନାମ ରହିଥିଲା । ସରକାରକୁ ଆସୁ ଆସୁ ମୋହନଙ୍କୁ ବି ‘ବାତ୍ୟା’ ପରୀକ୍ଷା ଦେବାକୁ ପଡ଼ିଥିଲା । ‘ଦାନା’ ଛୋଟକାଟର ବାତ୍ୟା ହୋଇଥିଲେବି ମୋହନ ଯେଭଳି ତ୍ୱରିତ ଢଙ୍ଗରେ ପ୍ରଶାସନକୁ ଚଳଚଞ୍ଚଳ କଲେ ତାହାକୁ ବି ସାଧାରଣରେ ପ୍ରଶଂସା କରାଯାଉଛି । ଗାଏମୋଟ ଦେଖିଲେ ନବୀନ ପ୍ରଶାସନ ଠାରୁ ମୋହନ ପ୍ରଶାସନ ସୁଶାସନ ଦେଇପାରିବ ବୋଲି ଏକ ବାର୍ତ୍ତା ଲୋକମାନଙ୍କୁ ଯାଇସାରିଛି ।
ଓଡ଼ିଶାରେ ନବୀନ ଶିଳ୍ପ ବିପ୍ଳବ କରିଥିଲେ ବୋଲି ଚର୍ଚ୍ଚା ହୁଏ । ତେବେ ତାଙ୍କଠାରୁ ଆଉ ପାଦେ ଆଗେଇବାକୁ ମୋହନ ବି ଯୋଜନା କରିଛନ୍ତି । ଦିଲ୍ଲୀ, ମୁମ୍ବାଇ ଯାଇ ସେ ବଡ଼ବଡ଼ ଶିଳ୍ପପତିଙ୍କୁ ଭେଟି ଆଲୋଚନା କରିଛନ୍ତି । କେନ୍ଦୁଝରରେ ଜିନ୍ଦଲ ଓ ପୋସ୍କୋ ମିଳିତ ଭାବେ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବା ନେଇ ଘୋଷଣା କରିଛନ୍ତି ।
ପଞ୍ଚାୟତସ୍ତରୀୟ ନେତା ହେଉଛନ୍ତି ବିଜେଡ଼ିର ଶକ୍ତି । ଏବେ ବିଜେଡ଼ିକୁ ଶକ୍ତି ହୀନ କରିବାକୁ ମଧ୍ୟ ସରକାର ଓ ବିଜେପି ଦଳ ଯୋଜନାବଦ୍ଧ ଭାବେ କାମ ଆରମ୍ଭ କରିଦେଇଛନ୍ତି । ପ୍ରତିଦିନ ବିଜେଡ଼ି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟମାନେ ବିଜେପିରେ ମିଶୁଥିବାନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ଚାଷୀମାନଙ୍କ ପାଇଁ ନବୀନ ସରକାର ଅନେକ ଯୋଜନା କରିଥିଲେ । ଏଥିରେ ଦ୍ୱିମତ ହେବାର ନାହିଁ । କିନ୍ତୁ ମୋହନ ସରକାର ସବୁ ଭଲ ଯୋଜନା ଜାରି ରଖିବା ସହ ନୂଆ ଯୋଜନା କରି ଚାଷୀଙ୍କ ମନଜିଣିବାରେ ସମର୍ଥ ହୋଇଛନ୍ତି । ନଭେମ୍ବରରୁ ଚାଷୀମାନେ ୩୧ ଶହ ଟଙ୍କା ପାଇବା ପରେ ବିଜେପି ସରକାରର ଲୋକପ୍ରିୟତା ଆହୁରି ବଢ଼ିଯିବ ବୋଲି ନିଃସନ୍ଦେହରେ କୁହାଯାଇପାରିବ । ଗୋଟିଏ ପଟେ ଆମ ଯୋଜନାର ନାଁ ବଦଳାଯାଉଛି ବୋଲି କହି ବିଜେଡ଼ି ସମାଲୋଚନା କରୁଛି । କିନ୍ତୁ ଲୋକଙ୍କ ପାଇଁ ଯାହା ଭଲ ସେହି ଯୋଜନା ଚାଲୁ ରହିବ ବୋଲି ମୋହନ ସରକାର ବାର୍ତ୍ତା ଦେଇଛନ୍ତି । ଅର୍ଥାତ୍ ବିକାଶକୁ ନେଇ ରାଜନୀତିକୁ ତାଙ୍କ ସରକାର ପସନ୍ଦ କରନ୍ତି ନାହିଁ ।
ନବୀନଙ୍କ ଅମଳରେ ହିତାଧିକାରୀ ଚୟନକୁ ନେଇ ସବୁବେଳେ ଅସନ୍ତୋଷ ଲାଗି ରହୁଥିଲା । ବିଜେଡ଼ି କର୍ମୀମାନେ ମନମାନି କରି ଥିଲାବାଲାଙ୍କୁ ଯୋଜନାର ସୁଫଳ ଦେଉଥିବାବେଳେ ଅନେକ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଥିଲେ । ଏବେ ମୋହନ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରିବା ପାଇଁ ଇ-କେୱାଇସି, ଆଧାର ଲିଙ୍କ ଭଳି ବ୍ୟବସ୍ଥାକୁ ସଠିକ୍ ଢଙ୍ଗରେ ଉପଯୋଗ କରୁଛନ୍ତି । ଯେଉଁଥିପାଇଁ ସୁଭଦ୍ରା ଯୋଜନାକୁ ନେଇ ଗାଁଗାଁରେ ସେଭଳି ଅସନ୍ତୋଷ ପରିଲକ୍ଷିତ ହେଉନାହିଁ । ରାସନ୍ କାଡର଼୍ ଯୋଜନାରେ ବାଟମାରଣା ରୋକିବାକୁ ବି ମୋହନ ସରକାର ସଫଳ ହୋଇଛନ୍ତି । ଧିରେଧିରେ ମୋହନଙ୍କ ଏଭଳି ଆଭିମୁଖ୍ୟ ନବୀନଙ୍କୁ ନିରସ୍ତ୍ର କରିଦେବ ବୋଲି କହିଲେ ଭୁଲ୍ ହେବନାହିଁ ।