ବିଜେପି ଯିବେ କି ସୌମ୍ୟ ଓ ପାଟ୍ଟଶାଣୀ ?

Odisha Politics, Biju Janata Dal, Odisha BJP

ବିଜେପି ଯିବେ କି ସୌମ୍ୟ ଓ ପାଟ୍ଟଶାଣୀ ?

ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ଏବେ ଦୁଇ ଟାଣୁଆ ନେତାଙ୍କୁ ନେଇ ଚର୍ଚ୍ଚା ଜୋରଧରିଛି  । ବିଜେଡ଼ିରୁ ବିଦା ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଦଳରୁ କୋଣଠେସା ହୋଇଥିବା ପ୍ରସନ୍ନ ପାଟ୍ଟଶାଣୀ ବିଜେପିକୁ ଯିବେ ବୋଲି ରାଜନୀତିକ ଅଳିନ୍ଦରେ ଚର୍ଚ୍ଚା ଘୂରିବୁଲୁଛି  । ଏହି ଦୁଇ ନେତା ବିଜେପିକୁ ଗଲେ ବିଜେଡ଼ି ଘାଟାରେ ପଡ଼ିବାର ଆଶଙ୍କା ରହିଛି  । ତେଣୁ ଏମାନଙ୍କ ଗତିବିଧି ଉପରେ ବିଜେଡ଼ିର ବି ନଜର ରହିଛି  ।

୨୦୧୯ରେ ଟିକେଟ ନପାଇବା ପରେ ପ୍ରସନ୍ନ ପାଟ୍ଟଶାଣୀ ରାଜ୍ୟସଭାକୁ ଯିବା ପାଇଁ ଆଖେଇ ଥିଲେ  । ପରେ ତାଙ୍କୁ ପୁରୀରୁ ଲୋକସଭା ପ୍ରାର୍ଥୀ କରାଯିବ ବୋଲି ବି ଚର୍ଚ୍ଚା ହେଉଥିଲା  । ପୁରୀର ବିଜେଡ଼ି ନେତାଙ୍କ ସହ ମଧ୍ୟ ପାଟ୍ଟଶାଣୀ ଏନେଇ ଆଲୋଚନା କରିଥିଲେ  । କିନ୍ତୁ ସେଭଳି କିଛି ହୋଇନଥିଲା  । ଶେଷରେ ତାଙ୍କୁ ଚିଲିକାରୁ ପ୍ରାର୍ଥୀ କରାଯିବ ବୋଲି ପାଟ୍ଟଶାଣୀ ଗଣମାଧ୍ୟମରେ କହିବାକୁ ପଛେଇନଥିଲେ  । ଏହାକୁ ନେଇ ଚିଲିକା ଆଶାୟୀ ରଘୁନାଥ ସାହୁ ନିଜର ହଜାର ହଜାର ସମର୍ଥକଙ୍କୁ ନେଇ ଶଙ୍ଖ ଭବନରେ ହାଲାବୋଲ କରିଥିଲେ  । ଏବେବି ଚିଲିକା ଆସନ ପାଇଁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିପାରିନାହିଁ  ।

ସେପଟେ ଖଣ୍ଡପଡ଼ା ଆସନ ପାଇଁ ବି ବିଜେଡ଼ି ପ୍ରାର୍ଥୀ ଦେଇନାହିଁ  । ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେବି ଖଣ୍ଡପଡ଼ାକୁ ଝୁଲାଇ ରଖିଛି  । ସୌମ୍ୟ ବନାମ ବିଜେଡ଼ି ଲଢେ଼ଇ ବେଳେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଟିକେଟ ପାଇବାକୁ ଅଙ୍କ କଷିଥିଲେ  । ଏପରିକି ତାଙ୍କ ଟିକେଟ ଫାଇନାଲ ବୋଲି ସେ କହି ବୁଲୁଥିଲେ  । କିନ୍ତୁ ଏଯାଏଁ ଖଣ୍ଡପଡ଼ା କାହିଁକି ଝୁଲିରହିଛି ତାହା ବୁଝାପଡ଼ୁନାହିଁ  । ମଝିରେ ସୌମ୍ୟଙ୍କ ଝିଅ ତନୟାଙ୍କୁ ବିଜେଡ଼ି ଟିକେଟ ଅଫର କରିଥିବା ନେଇ ବି କୁହାଯାଉଥିଲା  । ଖଣ୍ଡପଡ଼ାରୁ ଗତଥର ଭର୍ତ୍ତୃହରି ମହତାବ ୫୦ ହଜାରରୁ ଅଧିକ ଲିଡ଼୍‌ ନେଇଥିଲେ  । ଏବେ ଭର୍ତ୍ତୃହରି ବିଜେପିରୁ ଲଢ଼ୁଛନ୍ତି  । ଖାଲି ବିଧାୟକ ନୁହଁନ୍ତି, ସାଂସଦ ଅଙ୍କକୁ ଦେଖି ବିଜେଡ଼ି ପ୍ରାର୍ଥୀ ଦେବ  ।  ଯଦି ସୌମ୍ୟ ବିଜେପିକୁ ଯାଆନ୍ତି ତେବେ ତାଙ୍କର ପକେଟ ଭୋଟ ମହତାବଙ୍କୁ ଖଣ୍ଡପଡ଼ାରେ ଲିଡ଼ ଦେଇପାରେ  । ଅପରପକ୍ଷରେ ସୌମ୍ୟ ନିର୍ବାଚନୀ ରାଜନୀତିରୁ ଦୂରେଇ ରହିବା ସହ ମୌନବ୍ରତ ଅବଲମ୍ବନ କରୁଥିବାରୁ ଏନେଇ ସ୍ପଷ୍ଟ ସୂଚନା ମିଳିପାରୁନାହିଁ  ।