ମାଷ୍ଟର କ୍ୟାଣ୍ଟିନ୍ରୁ ଯୁବତୀଙ୍କ ମୋବାଇଲ ଲୁଟ୍
ଭୁବନେଶ୍ୱର, ୧୩ା୪ : ମାଷ୍ଟର କ୍ୟାଣ୍ଟିନ୍ ଛକରେ ବସକୁ ଅପେକ୍ଷା କରିଥିବା ସମୟରେ ଯୁବତୀଙ୍କ ଠାରୁ ମୋବାଇଲ ଝାମ୍ପିନେଲା ଲୁଟେରା । ଏନେଇ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଜଣେ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଲୁଟେରା ହେଲା, ୟୁନିଟ୍-୬ ସଡ଼କ ବସ୍ତିର ସନ୍ତୋଷ କୁମାର ବେହେରା । ତାଠାରୁ ଏକ ବାଇକ ଓ ଏକ ମୋବାଇଲ ଜବତ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୨୭ ତାରିଖ ୩.୩୦ ସମୟରେ ଅଭିଯୋଗକାରିଣୀ ମାଷ୍ଟର କ୍ୟାଣ୍ଟିନ୍ ଛକ ନିକଟ ବାଟା ଶୋରୁମ ସାମ୍ନାରେ ବସକୁ ଅପେକ୍ଷା କରିଥିଲେ । ଏହି ସମୟରେ ୨ ଜଣ ଲୁଟେରା ଏକ ବାଇକରେ ଆସି ଯୁବତୀଙ୍କ ଠାରୁ ମୋବାଇଲ ଝାମ୍ପିନେଇ ଫେରାର ହୋଇଯାଇଥିଲେ । ଏନେଇ ଯୁବତୀ ଜଣଙ୍କ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଜଣେ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।