ପେନସନ ଅଦାଲତ ଓ ଅଭିଯୋଗ ସମାଧାନ ସମୀକ୍ଷା
ଢେଙ୍କାନାଳ: ପୁରୁଣା ଜିଲ୍ଲା ପରିଷଦ କକ୍ଷରେ ସଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ପେନ୍ସନ ଅଦାଲତ ଏବଂ ଅଭିଯୋଗ ସମାଧାନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର (ଓଏସଡି) ସ୍ୱତନ୍ତ୍ର ସଚିବ ସତ୍ୟରଞ୍ଜନ ସାହୁ, ସ୍କୁଲ ଓ ଗଣ ଶିକ୍ଷା ବିଭାଗର (ଏଫଏ) ସ୍ୱତନ୍ତ୍ର ସଚିବ ରତିକାନ୍ତ ମହାପାତ୍ର, ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଅତିରିକ୍ତ ସଚିବ ବବିତା ରାଣୀ ଦଳ ବେହେରା ଯୋଗ ଦେଇଥିଲେ । ଅବସର ଗ୍ରହଣ ପରେ ପରିବାର ଭରଣପୋଷଣ ପାଇଁ ପେନସନର ନିତ୍ୟାନ୍ତ ଆବଶ୍ୟକ ଥିବାରୁ ଅଧିକାରୀମାନେ ପେନସନ ପ୍ରଦାନକୁ ନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି । ପୂର୍ବରୁ ବିଭିନ୍ନ କାରଣରୁ ସ୍ଥଗିତ ରହିଥିବା ସମସ୍ତ ପେନ୍ସନ୍ ସମ୍ପର୍କିତ ଅଭିଯୋଗକୁ ଯଥାଶୀଘ୍ର ସମାଧାନ କରି ପେନ୍ସନ ପ୍ରଦାନ କରିବାର ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏହି ଅବସରରେ ବିଭିନ୍ନ କାରଣ ଯୋଗୁଁ ପେନ୍ସନ୍ ପାଇନଥିବା ୨୪୫ଟି ଅଭିଯୋଗର ବ୍ୟକ୍ତି ବିଶେଷ ଏବଂ ପରିବାର ସଦସ୍ୟଙ୍କ ସହ ଆଲୋଚନା କରି ତୁରନ୍ତ ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ୧୦ ଦିନ ମଧ୍ୟରେ ପୁନଃ ସମାପ୍ତ କରି ପେନସନ ପ୍ରଦାନ କରିବାକୁ କହିଥିଲେ । ସେହିଭଳି ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗର ସ୍ୱତନ୍ତ୍ର ସଚିବ ଜନଶୁଣାଣି ପୋର୍ଟାଲ, ସିପିଡିଆରଏଏମଏସ ଓ ମୁଖ୍ୟମନ୍ତ୍ରୀ ଅଭିଯୋଗ ସେଲ୍ ଅଧିନରେ ରହିଥିବା ଅଭିଯୋଗ ଗୁଡିକର ଶୁଣାଣି କରିବାକୁ ଗୁରୁତ୍ୱ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି (ସାଧାରଣ ), ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲଳିତ ମୋହନ ବେହେର, ଡେପୁଟି କଣ୍ଟ୍ରୋଲର ଆକାଉଣ୍ଟ ଜ୍ୟୋତିରେକ୍ଷା ଦାସ, ଡେପୁଟି କଲେକ୍ଟର ବିନୀତ ଦାଶଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।