ରାଜନେତା-ପ୍ରଶାସନ ଦୃଷ୍ଟି ଆଢୁଆଳରେ ଗୋକର୍ଣ୍ଣେଶ୍ୱର ମନ୍ଦିର  ପାଣି ପାଇଁ କଲବଲ ହେଉଛନ୍ତି ତୀର୍ଥଯାତ୍ରୀ

 ଯାଜପୁର: ବିକଶିତ ଧର୍ମଶାଳା । ଧର୍ମଶାଳାରେ ଯାହା ବିକାଶ ହୋଇଛି, ତାହା ଅନ୍ୟ କୋଉଠି ହୋଇନି । ଧର୍ମଶାଳା ବିକାଶ ପାଇଁ ଆମ ବିଧାୟକ ଦିନ ରାତିକୁ ଏକକରି ଦେଇଛନ୍ତି । ବିକାଶର ଲମ୍ବା ତାଲିକା ରହିଛି । ବିରୋଧୀ କେବଳ ମିଛ ପ୍ରଚାର କରୁଛନ୍ତି । ନିର୍ବାଚନ ସମୟରେ ବିରୋଧୀଙ୍କୁ ଜବାବ ଦେବାକୁ ଶାସକ ଦଳର କର୍ମୀ କାର୍ଯ୍ୟକର୍ତ୍ତା ଏଭଳି କହିଥାନ୍ତି । କିନ୍ତୁ ଧର୍ମଶାଳା ବିକାଶ କେତେ ଆଗରେ ତାହା ଜିଲା ଏବଂ ରାଜ୍ୟ ବାହାରୁ ୧୬ନଂ ଜାତୀୟ ରାଜପଥ କଡ଼େ ଥିବା ଗୋକର୍ଣ୍ଣେଶ୍ୱର ମନ୍ଦିରକୁ ଆସୁଥିବା ତୀର୍ଥଯାତ୍ରୀ ମର୍ମେ ମର୍ମେ ଅନୁଭବ କରୁଛନ୍ତି । ପାଣି ପାଇଁ ଏଠାକାକୁ ଆସୁଥିବା ତୀର୍ଥଯାତ୍ରୀ ଯେଉଁ ଭଳି କଲବଲ ହେଉଛନ୍ତି, ତାହା କିଭଳି ରାଜନେତା ଏବଂ ପ୍ରଶାସନ ଦୃଷ୍ଟି ଆଢୁଆଳରେ ରହିଯାଇଛି, ତାହା ବିରାଟବଡ଼ ପ୍ରଶ୍ନ ସୃଷ୍ଟି କରିଛି । ରାଜ୍ୟ ସରକାର ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ମଠ ମନ୍ଦିରବିକାଶ ପାଇଁ ଲକ୍ଷଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି । ପର୍ଯ୍ୟଟନ ସ୍ଥଳ ବିକାଶ ପାଇଁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି । ହେଲେ ବିଭିନ୍ନ ବାଟରେ ଅର୍ଥ ଯୋଗାଇ ଦିଆଯାଉଥିଲେ ହେଁ ଜାତୀୟ ରାଜପଥ କଡ଼େ ଥିବା ଗୋକର୍ଣ୍ଣେଶ୍ୱର ମନ୍ଦିରକୁ ଆସୁଥିବା ତୀର୍ଥଯାତ୍ରୀ ଏବଂ ଭକ୍ତଙ୍କ ପାଇଁ ଆବଶ୍ୟକ ପାଣିର ବ୍ୟବସ୍ଥା ହୋଇନପାରିବା ଘଟଣା ବୁଦ୍ଧିଜୀବୀଙ୍କୁ ଚକିତ କରିଛି । ଧର୍ମଶାଳା ବ୍ଲକର ପ୍ରସିଦ୍ଧ ଶୈବ ପୀଠ ଗୋକର୍ଣ୍ଣେଶ୍ୱର ମନ୍ଦିରକୁ ଦୈନିକ ସହସ୍ରାଧିକ ଭକ୍ତ ଆସୁଥିବା ବେଳେ ବିଭିନ୍ନ ସ୍ଥାନରୁ ତୀର୍ଥଯାତ୍ରୀ ଆସିଥାନ୍ତି । ଯେଉଁ ମାନେ ବର୍ତମାନର ଗ୍ରୀଷ୍ମସମୟରେ ପାଣି ପାଇ କଲବଲ ହେଉଛନ୍ତି । ପ୍ରବଳ ଗ୍ରୀଷ୍ମ ସାଙ୍ଗକୁ ପାନୀୟ ଜଳର ଅଭାବ ଆସୁଥିବା ଭକ୍ତ ଓ ଯାତ୍ରୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ପାଣିର ସୁବେନ୍ଦାବସ୍ତ ପାଇଁ ଟାଙ୍କିର ବ୍ୟବସ୍ଥା ରହିଥିଲେ ହେଁ ପାଣି କିନ୍ତୁ ଟାଙ୍କିକୁ ଉଠାଉନି । ଲୋ-ଭୋଲଟେଜ କାରଣରୁ ମଟର ଚାଲୁନଥିବାରୁ ଟାଙ୍କି  ଅଧିକାଂଶ ସମୟରେ ଖାଲି ପଡ଼ୁଛି । ଆସୁଥିବା ଭକ୍ତ ଏବଂ ଯାତ୍ରୀ ମନ୍ଦିର ନିକଟରେ ଥିବା ଏକାମାତ୍ର ନଳକୂୂପ ଉପରେ ନିର୍ଭର କରିଥାନ୍ତି । ହେଲେ ଗୋଟେ ପଟେ ପାଣି ନଉଠାଇବାରୁ ଟାଙ୍କି ଖାଲି ରହୁଥିବା ବେଳେ ଅନ୍ୟପଟେ ନଳକୂପଟି ଅଚଳ କାରଣରୁ ଯାତ୍ରୀ ଏବଂ ଭକ୍ତଙ୍କୁ ଅଧିକାଂଶ ସମୟରେ କଲବଲ ହେବାକୁ ପଡ଼ୁଛି । ବହୁ ସମୟରେ ଶହଶହ ସଂଖ୍ୟାର ଭକ୍ତ ଏବଂ ତୀର୍ଥଯାତ୍ରୀ ହାତମୁହଁ ଧୋଇବା କି ବୋତଲେ ପାଣି ପାଇଁ ଘଣ୍ଟାଘଣ୍ଟା ଧରି ନଳକୂପ ପାଖରେ ଠିଆ ହୋଇଥାନ୍ତି । ଏଭଳି ଚିତ୍ର ବାରମ୍ବାର ଦେଖିବାକୁ ମିଳୁଥିଲେ ହେଁ କାହାକୁ ଚିନ୍ତା ଘାରୁନି ।  ନିରୁପାୟ ଭକ୍ତ ଓ ତୀର୍ଥଯାତ୍ରୀ ବ୍ରାହ୍ମଣୀ ନଦୀରୁ ପାଣି ଆଣି ବ୍ୟବହାର କରୁଥିବା ବେଳେ ପିଇବା ପାଇଁ ପାଖରେ ଖୋଲିଥିବା ଦୋକାନରୁ ବୋତଲ ପାଣି କିଣି ଆଣୁଛନ୍ତି ।ମନ୍ଦିର ପରିସରରେ ଜଳ ଯୋଗାଣ ପାଇଁ  ବୋରିଙ୍ଗ ରହିଥିବା ବେଳେ ସରକାରୀ ଅର୍ଥରେ ମଧ୍ୟ ଏକ ବୋରିଙ୍ଗ କରାଯାଇଛି । ମଟର ଦ୍ୱାରା ଦୁଇଟି ସ୍ଥାନରେ ଥିବା ପାଣି ଟାଙ୍କିକୁ ପାଣି ଯୋଗାଣ ହୋଇଥାଏ । ପାଣି ଟ୍ୟାପ୍ ଯୋଗେ ଲୋକମାନେ ପାଣି ବ୍ୟବହାର କରିଥାନ୍ତି । କିନ୍ତୁ ଗତ କିଛି ଦିନ ହେଲା ସବୁକିଛି ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି । ଆଉ କାରଣ ଲୋ-ଭୋଲଟେଜ ବୋଲି କୁହାଯାଉଛି । ମନ୍ଦିରର ଉନ୍ନତି କରଣ ଦିଗରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଆସୁଥିବା ଭକ୍ତ ଏବଂ ତୀର୍ଥଯାତ୍ରୀଙ୍କ ପାଇଁ ସାମାନ୍ୟ ପାଣିର ସୁ-ବନେ୍ଦାବସ୍ତ ହୋଇନପାରିବା ଦିଗରେ ଯାହାବି କାରଣ ଥାଉନା କାହିଁକି ଅସନ୍ତୋଷ କିନ୍ତୁ ବଢୁଛି । ଯାହା ଫଳରେ ଗୋକର୍ଣ୍ଣେଶ୍ୱର ପୀଠକୁ ତୀର୍ଥଯାତ୍ରୀ ଆସିବା କମ ହେବାର ସମ୍ଭାବନା ରହିଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।