କଡାକଡି ଲାଗୁ ହେବ ଶିଶୁ ଓ କିଶୋରେ ଶ୍ରମ ନିଷେଧ ଅଧିନିୟମ

 ଯାଜପୁର ଟାଉନ୍: ଯାଜପୁର ଜିଲା ପ୍ରଶାସନ ଅଧୀନରେ ଥିବା ଜିଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ବନ୍ଧକ ଶ୍ରମିକ ଓ ଶିଶୁ ଶ୍ରମିକ ଆଇନ ଉପରେ ଜିଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଇନଗତ ବ୍ୟବସ୍ଥା, ପ୍ରବର୍ତନ ରଣନୀତି ଏବଂ ବହୁ-ଅଂଶୀଦାର ସମନ୍ୱୟ ଉପରେ ଆଲୋଚନାରେ ପ୍ରମୁଖ ଅଂଶୀଦାରମାନଙ୍କୁ ସାମିଲ କରି ଶିଶୁ ସୁରକ୍ଷା ଆଇନର କାର୍ଯ୍ୟକାରିତାକୁ ସୁଦୃଢ଼ କରିବା କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଥିଲା । ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ଯୋଗଦେଇ ଅତିରିକ୍ତ ଜିଲାପାଳ ନବକ୍ରୀଷ୍ଣା ଜେନା ଜିଲାକୁ ଶିଶୁ ଶ୍ରମ ମୁକ୍ତ ସହିତ ବନ୍ଧକ ଶ୍ରମ ମୁକ୍ତ ପାଇଁ ଅଂଶୀଦାର ମାନଙ୍କ ମଧ୍ୟରେ ସମନ୍ୱୟର ଆବଶ୍ୟକତା ରହିଛି । ବନ୍ଧକ ଶ୍ରମିକ ଏବଂ ଶିଶୁ ଶ୍ରମିକକୁ ହଟାଇବା ଆମର ସାମୂହିକ ଦାୟିତ୍ୱ । ଆମକୁ ମାର୍ଗଦର୍ଶନ କରିବା ପାଇଁ ଏସଓପି ଏବଂ ନିର୍ଦେଶାବଳୀ ରହିଛି । ପୀଡ଼ିତଙ୍କ ସଶକ୍ତୀକରଣକୁ ପ୍ରାଥମିକତା ଦେଇ ସମନ୍ୱୟ ଓ ସହଯୋଗରେ କାମ କରିବାକୁ ହେବ । ତେବେ ହିଁ ଆମର ପ୍ରୟାସ ସଫଳ ହେବ ବୋଲି ଏଡିଏମ୍ ଜେନା କହିଛନ୍ତି । ଆଲୋଚନା ହୋଇଥିବା ପ୍ରମୁଖ ବିଧାନଗୁଡ଼ିକ ଶିଶୁ ଓ କିଶୋର ଶ୍ରମ ନିଷେଧ ଓ ନିୟନ୍ତ୍ରଣ ଆଇନ, ୧୯୮୬, ବନ୍ଧକ ଶ୍ରମିକ ବ୍ୟବସ୍ଥା ଉଚ୍ଛେଦ ଆଇନ, ୧୯୭୬, ଅନୈତିକ ଚାଲାଣ (ନିରୋଧ) ଆଇନ ନିୟମଗୁଡିକ ଅନ୍ତର୍ଭୁକ୍ତ ଥିଲା । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲା ଶ୍ରମ ଅଧିକାରୀ ସୁଧୀର ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକଣ୍ଠ କାନୁନଗୋ, ଶିଶୁମଙ୍ଗଳ କମିଟିର ଅଧକ୍ଷା ରେକସୋନା ଜେନା, ସଦସ୍ୟ ଜୟନ୍ତ ଗୋସ୍ୱାମୀ, ତୃପ୍ତି ଜେନା, ଅତିରିକ୍ତ ପ୍ରକଳ୍ପ ଅଧିକାରୀ ମଧୁମିତା ପୃଷ୍ଟି,ସମାଜ କଲ୍ୟାଣ ଅଧିକାରୀ ସରୋଜିନୀ ଦାସ ଓ ସ୍ୱେଛାସେବୀ ମଂଟୁ ଦାସ ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ପ୍ରଥମ ବୈଷୟିକ ଅଧିବେଶନକୁ କଟକ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ଚିତରଞ୍ଜନ ମହାନ୍ତି ପରିଚାଳନା କରି ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ,୧୯୮୬ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଅନ୍ତର୍ଜାତୀୟ ନ୍ୟାୟ ମିଶନ(ଆଇଜେଏମ)ର ଡିଭିଜନ ମୁଖ୍ୟ ଅମିତ କୁମାର ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ବନ୍ଧକ ଶ୍ରମିକ ବ୍ୟବସ୍ଥା (ଉଚ୍ଛେଦ) ଆଇନ, ୧୯୭୬ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଦ୍ୱାରା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ୨୦୧୭ ରେ ସେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ । ଏନଏଚଆରସି ଆଡଭାଇଜରୀ (୨.୦) ୨୦୨୧ ଏବଂ ବନ୍ଧକ ଶ୍ରମିକଙ୍କ ଥଇଥାନ ପାଇଁ କେନ୍ଦ୍ରୀୟ କ୍ଷେତ୍ର ଯୋଜନା, ୨୦୨୧ । ମଲ୍ଟି ଏଜେନ୍ସି ସମନ୍ୱୟ ଜରିଆରେ ବନ୍ଧା ଶ୍ରମିକ ମାମଲାଚିହ୍ନଟ, ଉଦ୍ଧାର, ଥଇଥାନ ଏବଂ ଅଭିଯାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । କଟକ ସିଡବ୍ଲୁସିଅଧ୍ୟକ୍ଷ ପ୍ରମୋଦ କିଶୋର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅନୁଷ୍ଠିତ ବହୁବିଭାଗୀୟ ସମନ୍ୱୟ ଓ ପ୍ରତିକ୍ରିୟା ବ୍ୟବସ୍ଥା ଉପରେ ଏକ ଅଧିବେଶନରେ ଆନ୍ତଃବିଭାଗୀୟ ସମନ୍ୱୟ, ରିପୋର୍ଟିଂ ବ୍ୟବସ୍ଥା ଓ ସର୍ବୋତମ ଅଭ୍ୟାସ ଉପରେ ଆଲୋକପାତ କରାଯାଇଥିଲା । ଜିଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଆୟୋଜିତ ପ୍ରଶିକ୍ଷଣରେ ପ୍ରଶ୍ନୋତର ଅଧିବେଶନ ମାଧ୍ୟମରେ ଏହି ଓରିଏେଂଟସନ ଶେଷ ହୋଇଥିଲା ।  କାର୍ଯ୍ୟକ୍ରମରେ ସ୍ୱେଛାସେବୀ, ବ୍ଲକ ଶିକ୍ଷା ଅଧିକାରୀ, ପୁଲିସ, ମହିଳା ପରିଦର୍ଶିକା,ସ୍ୱେଛାସେବୀ ଅନୁଷ୍ଠାନ, ପାରା ଲିଗାଲ ସ୍ୱେଛାସେବୀ, ଟାଟା ଷ୍ଟିଲ ଫାଉଣ୍ଡେସନର କର୍ମକର୍ତା ପ୍ରମୁଖ ଯୋଗଦେଇଥିଲେ ।