ବାଲି ଚାଲାଣ ଅଭିଯୋଗରେ ଗାଡ଼ି ଅଟକ

 ହିଞ୍ଜିଳିକାଟୁ : ବେଆଇନ ଭାବେ ବାଲି ଚାଲାଣ ଅଭିଯୋଗରେ ହିଞ୍ଜିଳିକାଟୁ ତହସିଲଦାରଙ୍କ ଦ୍ୱାରା ହିଞ୍ଜିଳି ଥାନାରେ ଅଟକ ୭ ବାଲି ବୋଝେଇ ହାଇୱାକୁ ୨୪ ଘଣ୍ଟ ନ ପୂରଣ ହେଉଣୁ ଥାନାରୁ ରିଲିଜ ହୋଇଛି  । ହିଞ୍ଜିଳିକାଟୁ ରାଜସ୍ୱ ବିଭାଗ ପକ୍ଷରୁ ଯାଞ୍ଚ ପରେ ହିଞ୍ଜିଳି ଥାନାକୁ ହାଇୱା ରିଲିଜ ପାଇଁ ଚିଠି କରିଛନ୍ତି ହିଞ୍ଜିଳିକାଟୁ ତହସିଲଦାର ।  ବାଲି ଚାଲାଣ ଅଭିଯୋଗରେ ଅଟକ ହାଇୱା ଗୁଡିକ (ଓଡି୦୧ଟି ୬୪୭୧, ଓଡି୦୭ଏୱାଇ ୬୭୪୮, ଓଡି୦୨ସିଜି ୫୧୨୪, ଓଡି୩୨କେ ୦୭୮୦, ଓଡି୦୨ସିଡବ୍ଲୁ୍ୟ ୧୭୧୨, ଓଡି୦୨ସିଜେଡ୍ ୯୦୨୮, ଓଡି୦୨ ସିଜେଡ ୯୦୪୬ ନିୟମ ଅନୁସାରେ ଯାଉଥିଲା କି ବେନିୟମ ଭାବେ ଚାଲାଣ ହେଉଥିଲା ତାହା ସ୍ପଷ୍ଟ ହୋଇନି । ହାଇୱା ରିଲିଜ ପାଇଁ ଫାଇନ ଆଦାୟ ହୋଇଛି କି ନାହିଁ ଯଦି ଆଦାୟ ହୋଇଛି କେତେ ଟଙ୍କା ଆଦାୟ ହୋଇଛି ସେଥି ନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ ।
ହିଞ୍ଜିଳିକାଟୁ ଓ ନିକଟବର୍ତ୍ତୀ ଘୋଡାହାଡ ଓ ଋଷିକୂଲ୍ୟା ନଦୀରୁ ଦୈନିକ ଶହ ଶହ ଗାଡିରେ ନଦୀ ବାଲି ଜିଲ୍ଲାର ବିଭିନ୍ନ ସ୍ଥାନ ଓ ପଡୋଶୀ ଆନ୍ଧ୍ର ପ୍ରଦେଶକୁ ଚାଲାଣ ହେଉଛି । ବହୁ ସ୍ଥାନରେ ବାଲି ମାଫିଆମାନେ ଅସାଧୁ ସରକାରୀ କର୍ମଚାରୀଙ୍କୁ ହାତବାରିସ କରି ଭିତିରି ବୁଝାମଣାରେ ନିୟମ ବର୍ହିଭୁତ ଭାବେ ବାଲି ଉତ୍ତୋଳନ କରୁଛନ୍ତି । ଲିଜ୍ ହୋଇ ନଥିବା ବହୁ ଘାଟରୁ ବାଲି ମାଫିଆ ଭାରୀଯାନରେ ଚୋରା ବାଲି ଚାଲାଣ କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଚୋରା ବାଲି ଚାଲାଣ ନେଇ ବିଭିନ୍ନ ଗାଁ ରେ ଗଣ୍ଡଗୋଳ ଓ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେଉଛି । ଏଥି ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଅଶାନ୍ତ ରହୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ବେଆଇନ ଭାବେ ବାଲି ଚୋରାଚାଲାଣ  ଘଟଣା ସମ୍ପର୍କରେ ବିଭିନ୍ନ ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସ୍ଥାନୀୟ ପୁଲିସ ଓ  ପ୍ରଶାସନ ଚଢ଼ଉ କରିଥିଲା । ହିଞ୍ଜିଳି ପୁଲିସ ସ୍ଥାନୀୟ ଥାନା ସିକିରି ନିକଟସ୍ଥ ଲିଜ୍ ହୋଇ ନଥିବା ଋଷିକୂଲ୍ୟା ନଦୀ ଘାଟରୁ  ବେଆଇନ ବାଲି ଚାଲାଣ ହେଉଥିବା ବେଳେ, ୭ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା ଓ ଅନ୍ୟମାନେ ଫେରାଇ ହୋଇଯାଇଥିଲେ ।  ହିଞ୍ଜିଳିକାଟୁ ରାଜସ୍ୱ ବିଭାଗ ପକ୍ଷରୁ ଶ୍ୟାମଳାଇ ମନ୍ଦିର ନିକଟରେ ୭ ହାଇୱାକୁ ବେଆଇନ ବାଲି ଚାଲାଣ ଅଭିଯୋଗରେ ହିଞ୍ଜିଳି ଥାନାରେ ଅଟକରଖାଯାଇଥିଲା ।