ବିଜୁବାବୁଙ୍କ ପାଇଁ ବିଜେଡିର ବିକ୍ଷୋଭ 

 ହିଞ୍ଜିଳିକାଟୁ : ଚଳିତ ବର୍ଷ ପଞ୍ଚାୟତ ରାଜ ଦିବସରେ ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ଶାସିତ ରାଜ୍ୟ ସରକାରଙ୍କ ଅସମ୍ମାନ ପ୍ରତିବାଦରେ ହିଞ୍ଜିଳି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା ଓ ଧାରଣା ଦିଆଯାଇଥିଲା । ଚଳିତ ବର୍ଷ ମାର୍ଚ୍ଚ ୫ ତାରିଖ ପଞ୍ଚାୟତ ରାଜ ଦିବସକୁ ବାତିଲ କରିବା ବିଜେପି ସରକାରଙ୍କ ହୀନ ମାନ୍ୟତା ଓ ଟଲମ୍ୟାନ୍ ବିଜୁବାବୁଙ୍କ ପ୍ରତି ତଥା ସମସ୍ତ ଜନସାଧାରଣଙ୍କୁ ଅସମ୍ମାନ ବୋଲି ବିଜେଡି କହିଛି । ଏହି ପରିପ୍ରେକ୍ଷୀରେ ବରିଷ୍ଠ ନେତା ସୁରେନ୍ଦ୍ରନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀ ତଳେ ଶତାଧିକ ବିଜୁ ପ୍ରେମୀ ଧାରଣା ଦେବା ସହ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ପ୍ରବାଦ ପୁରୁଷ ବିଜୁବାବୁ ଜଣେ ବରିଷ୍ଟ ସ୍ୱାଧିନତା ସଂଗ୍ରାମୀ ସହ ନବନିର୍ମାଣ ଓଡିଶାର ନିର୍ମାତା । ଦେଶର ଓଡିଶା ଏକମାତ୍ର ରାଜ୍ୟ ଯାହାକି ପଞ୍ଚାୟତକୁ କ୍ଷମତା ଦେବା ସହ ତ୍ରୀସ୍ତରୀୟ ପଞ୍ଚାୟତ ସ୍ଥାପନା ଓ ମହିଳା ମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରି ମହିଳା ମାନଙ୍କୁ ରାଜନୈତିକ ଅଧିକାରୀ ପ୍ରଦାନ କରିଥିଲେ । ବିଜୁବାବୁଙ୍କ ଏପରି ଐତିହାସିକ ଓ ଦୁରଦୃଷ୍ଟି ପଦକ୍ଷେପକୁ ଭାରତର ଅନ୍ୟ ରାଜ୍ୟର ସରକାର ମାନେ ଅନୁସରଣ କରିବା ସହ ବାଧ୍ୟହୋଇ ଭାରତ ସରକାର ସମ୍ବିଧାନ ସଂଶୋଧନ କରି ପଞ୍ଚାୟତରାଜର ବ୍ୟବସ୍ଥା କରିଥିଲେ । ବିଜେପି - ବିଜେଡି ମେଣ୍ଟ ସରକାର ସମୟରେ ମଧ୍ୟ ବିଜୁବାବୁଙ୍କ ଜୟନ୍ତୀକୁ ପଞ୍ଚାୟତରାଜ ଦିବସ ଭାବେ ପାଳନ କରାଯାଉଥିଲା । ରାଜ୍ୟ ସରକାର ୨୦୨୫ ମସିହା ସରକାରଙ୍କ କ୍ୟାଲେଣ୍ଡରରେ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତ ରାଜ ଦିବସ ଓ ଛୁଟିଦିନ ଘୋଷଣା କରିଥିଲେ । ୫ ମାର୍ଚ୍ଚକୁ ପଞ୍ଚାୟତ ରାଜ ଦିବସ ଓ ଛୁଟିଦିନ ବାତିଲ କରିଦେଲେ । ଏହା ସ୍ୱାଧିନତା ସଂଗ୍ରାମୀ ମାନଙ୍କୁ ଘୋର ଅପମାନ ଦେବା ସହ ସମସ୍ତ ଓଡିଶାବାସୀଙ୍କୁ ଅପମାନ ଓ ହୃଦୟକୁ ଶକ୍ତ ଆଘାତ ଦେଇଛନ୍ତି ବୋଲି ଉପସ୍ଥିତ ବିଜେଡି ନେତାମାନେ କହିଥିଲେ । ସଂପୃକ୍ତ ଘଟଣାର ସରକାର ପୁନଃ ବିଚାର, ନକରିବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରୀ ରହିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳି ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ବ୍ଳକ ସଭାପତି ଦୁର୍ଗାମାଧବ ମହାନ୍ତି, ନଗର ସଭାପତି ହୃଦୟାନନ୍ଦ ମହାପାତ୍ର, ବ୍ଳକ ପ୍ରତିନିଧି ଏ ସୁଦର୍ଶନ, ପୈାର ପରିଷଦ ପ୍ରତିନିଧି ପ୍ୟାରୀମୋହନ ପାଢି, ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି, ପୈାରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟା ଓ ବହୁ ବିଜୁ ପ୍ରେମୀ ଯୋଗ ଦେଇଥିଲେ ।