ଘାଟ ନିଲାମ ହୋଇନି : ଦିନକୁ ଉଠୁଛି ଚାରି ଶହ ଟ୍ରାକ୍ଟର ବାଲି

 ଦାନଗଦୀ ତହସିଲ୍ ଅଧୀନସ୍ଥ ଖପୁରିଆପଦା ବେଆଇନ ଘାଟରୁ ବେଧଡ଼କ ବାଲି ଲୁଟ ହେବାରେ ଲାଗିଛି । ଖପୁରିଆପଦା ବାଲି ଘାଟଟି ସରକାରୀ ନିଲାମ ବାଲିଘାଟ ନୁହେଁ । ବିନା ଅନୁମତିରେ ପ୍ରତିଦିନ ସେହି ବେନାମୀ ଘାଟରୁ ତିନି ଶହରୁ ଚାରି ଶହ ବାଲି ଟ୍ରିପ ଉଠାଣ ହେଉଛି । ବେନାମୀ ବାଲି ଘାଟରୁ ଚୋରା ବାଲି ଉଠୁଥିବା ବେଳେ ପ୍ରଶାସନର ନିଘା ନାହିଁ । ଯେବେ ଠୁ ବାଲି, ମୋରମ, ମାଟି ପରି ଲଘୁ ଖଣିଜ ପଦାର୍ଥର ତଦାରଖ ଦାଇତ୍ୱ ଲଘୁ ଖଣିଜ ବିଭାଗକୁ ହସ୍ତାନ୍ତର କରାଯାଇଛି ସେବେ ଠୁ ବାଲି, ମୋରମର ଚୋରା ଚାଲାଣ ଅଧିକ ହେଉଛି ।  ପ୍ରଶାସନ ଆଖିରେ ଧୂଳି ଦେଇ ବାଲି ଉଠାଣ କରାଯାଉଛି । ପ୍ରତି ଦିନ ଶହ ଶହ ଟ୍ରାକ୍ଟର ବାଲି ଉଠାଣ ହେଉଛି । ବାଲି ଗାଡ଼ି ଯିବା ଦ୍ୱାରା ରାସ୍ତା ଘାଟ ନଷ୍ଟ ହେଉଛି । ବନ୍ଧ ରାସ୍ତାରେ ଏତେ ପରିମାଣ ଗାଡ଼ି ଯାଉଥିବାରୁ ସାଧାରଣ ଲୋକ ଚଳ ପ୍ରଚଳ କରିବା କଷ୍ଟ ହେଉଛି । ବାଲି ପାଣି ସବୁ ରାସ୍ତାରେ ପଡୁଥିବାରୁ ରାସ୍ତା ଘାଟ ସବୁ କାଦୁଅ ହେଉଛି । ନଦୀ ବନ୍ଧ ରାସ୍ତା ଅଣଓସାରିଆ ଥିବାରୁ ଟ୍ରାଫିକ ସମସ୍ୟା ହେଉଛି । ଏତେ ସଂଖ୍ୟକ ଗାଡ଼ି ଯିବାରୁ ରାସ୍ତା ନଷ୍ଟ ହେଉଛି । ରାସ୍ତାରେ ବଡ଼ ବଡ ଖାଲ ସୃଷ୍ଟି ହେଉଛି । ଏହାକୁ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉନାହିଁ । ପ୍ରତି ଦିନ ଏତେ ସଂଖ୍ୟକ ବାଲି ଗାଡ଼ି ଯାଉଥିବା ବେଳେ ପ୍ରଶାସନ ନିକଟରେ କିପରି ଖବର ନାହିଁ ତାହା ପ୍ରଶ୍ନ ସୃଷ୍ଟି କରୁଛି । ଖପୁରିଆପଦାରେ କୌଣସି ବାଲି ଘାଟ ନଥିବା ସତ୍ତ୍ୱେ ସେଠାରେ କିପରି ଘାଟ ସୃଷ୍ଟି କରି ବାଲି ଲୁଟ କରାଯାଉଛି ତାହା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ରାଜସ୍ୱ ବିଭାଗ ଏଥି ପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନର ବ୍ୟାପକ ବାଲି ଲୁଟ ହେବାର ଅନୁମାନ କରାଯାଉଛି । ଦାନଗଦୀ ତହସିଲ୍, ଯାଜପୁର ରୋଡ ପୁଲିସ, ଡିଡିଏମ୍ ଯାଜପୁର ବାଲି ଚାଲାଣକୁ କିପରି ରୋକିପରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।