ପାଣ୍ଡିଆନଙ୍କ ପାଇଁ ନବୀନ ଢାଲ
pandian Biju Janata Dal
ଭୁବନେଶ୍ୱର : ଦଳକୁ ନେଇ ଯିଏ ଯାହା କହୁଛି କୁହ । ଚଳିବ, ପରବାୟ ନାହିଁ । ହେଲେ ପାଣ୍ଡିଆନଙ୍କ ବିରୋଧରେ ପଦିଏ ବି କୁହନାହିଁ । ପାଣ୍ଡିଆନଙ୍କ ବିରୋଧରେ କହିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବରଦାସ୍ତ କରିପାରୁନାହାନ୍ତି । ଅତୀତରେ ସେ ପାଣ୍ଡିଆନଙ୍କ ପାଇଁ ବାହାରିଥିବାବେଳେ ଏବେ ମଧ୍ୟ ସମାନ ଢଙ୍ଗରେ ପାଣ୍ଡିଆନଙ୍କ ପାଇଁ ବ୍ୟାଟିଂ ଆରମ୍ଭ କରିଦେଇଛନ୍ତି ।
ନିକଟରେ ବରିର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର, ପାଣ୍ଡିଆନଙ୍କୁ ନେଇ କଡ଼ା ଟିପ୍ପଣୀ ଦେଇଥିଲେ । ସିଧା ସିଧା କହିଥିଲେ, କଣ୍ଟାବାଞ୍ଜିରେ ନବୀନଙ୍କୁ ଠିଆ କରିବା ପଛରେ ଷଡ଼ଯନ୍ତ୍ର ଥିଲା । ସେଠାରେ ନବୀନ ବାବୁ ହାରିବା ନିଶ୍ଚିତ ବୋଲି ପାଣ୍ଡିଆନ୍ ଜାଣିଥିଲେ । ନବୀନ ହାରିଲେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଚକ୍ରାନ୍ତ କରାଯାଇଥିଲା । ଅବଶ୍ୟ ଦେବେନ୍ଦ୍ର କେବଳ ଚା’ କପରେ ଝଡ଼ ସୃଷ୍ଟି କରିବାକୁ ଏମିତି ବୟାନବାଜି କରିଥିଲେ । ତାଙ୍କ କଥାକୁ କେହିବି ଗୁରୁତ୍ୱ ଦେଉନଥିଲେ । ହେଲେ କଥାଟି ପାଣ୍ଡିଆନ୍ଙ୍କ ବିରୋଧରେ ହୋଇଥିବାରୁ ନବୀନ ତାହାକୁ ସହିପାରିନାହାନ୍ତି ।
ଅତୀତରେ ସାମାଜିକ ଗଣମାଧ୍ୟମରେ ବିଜେଡ଼ି ଓ ନବୀନଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଛି । ରାଜନେତା ଚର୍ଚ୍ଚାରେ ରହିବା ନୂଆ କଥା ନୁହେଁ । କିନ୍ତୁ ପାଣ୍ଡିଆନଙ୍କ ପାଇଁ ନବୀନ ଏହି ପ୍ରସଙ୍ଗରେ ବି ମଇଦାନକୁ ଡେଇଁପଡ଼ିଲେ । ନବୀନ କହିଛନ୍ତିଯେ, କିଛି ହୀନ ଏବଂ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଗତ ନିର୍ବାଚନ ସମୟରେ ମିଛ କାହାଣୀ ଶୁଣାଇଲେ । ଏଭଳି ବିଭ୍ରାନ୍ତ ସୃଷ୍ଟିକାରୀଙ୍କ ବିଷୟରେ ଓଡ଼ିଶାବାସୀ ସବୁ ଜାଣିଛନ୍ତି । ପ୍ରଭୁ ଜଗନ୍ନାଥ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ନବୀନ କହିଛନ୍ତି । ଗୋଟିଏ ପଟେ ସୋସିଆଲ ମିଡ଼ିଆ ଚର୍ଚ୍ଚାକୁ ନେଇ ନବୀନ ଏଭଳି ମନ୍ତବ୍ୟ ଦେଉଥିବାବେଳେ ତାଙ୍କ ଦଳର ସୋସିଆଲ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ମଧ୍ୟ ଅନେକ ମିଛ ଭାଇରାଲ୍ କରାଯାଉଛି । ଏକ୍ଷେତ୍ରରେ ବିଜେଡ଼ିକୁ ବି ପ୍ରଭୁ ସଦବୁଦ୍ଧି ଦିଅନ୍ତୁ ବୋଲି ନବୀନ କହିବେ କି ?
ତେବେ ସେ ଯାହାହେଉନା କାହିଁକି ନବୀନଙ୍କ ପାଣ୍ଡିଆନ ପ୍ରୀତି ବିଜେଡ଼ି ପାଇଁ ଶୁଭଙ୍କର ନୁହେଁ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି । ଏବେ ମଧ୍ୟ ପ୍ରଚ୍ଛଦପଟରେ ରହି ପାଣ୍ଡିଆନ୍ ଗୋଟିଚାଳନା କରୁଥିବାରୁ ବିଜେଡ଼ିରେ ବି ଆଲୋଡ଼ନ ସୃଷ୍ଟିହୋଇଛି । ଯେଉଁ ଅସ୍ମିତା ପ୍ରସଙ୍ଗକୁ ନେଇ ବିଜେପି ନିର୍ବାଚନୀ ବୈତରଣୀ ପାର୍ ହୋଇଛି ସେହି ପ୍ରସଙ୍ଗକୁ ନବୀନ ଆହୁରି ମଜବୁତ୍ କରିଦେଇଛନ୍ତି । ଆଗାମୀ ଦିନରେ ଦଳ ଉପରେ ଏହାର କି ପ୍ରଭାବ ପଡ଼ିବ ତାହା ଦେଖିବାକୁ ବାକି ରହିଲା ।