‘ପାଣ୍ଡିଆନ୍‌ ଥିବା ଯାଏଁ, ବିଜେଡ଼ି କ୍ଷମତାକୁ ଆସିବନି’

VK pandian Naveen Pattanaik

‘ପାଣ୍ଡିଆନ୍‌ ଥିବା ଯାଏଁ, ବିଜେଡ଼ି କ୍ଷମତାକୁ ଆସିବନି’

ପାଣ୍ଡିଆନଙ୍କ ପାଇଁ ଲୋକପ୍ରିୟ ସରକାର ଚାଲିଗଲା : ପାଟ୍ଟଶାଣୀ

ଭୁବନେଶ୍ୱର : ଦିନ ଥିଲା, ଲୋକେ କହୁଥିଲେ; ‘ଯେଯାଏଁ ଥିବେ ନବୀନ, ସେଯାଏଁ କରୁଥିବେ ଶାସନ  ।’ ଏବେ କିନ୍ତୁ ଏହା ବଦଳିଯାଇଛି  । ଲୋକେ କହୁଛନ୍ତି, ଯେଯାଏଁ ଥିବେ ପାଣ୍ଡିଆନ୍‌, ସେଯାଏଁ ବିଜେଡ଼ି କରିବନି ଶାସନ  । ଏକଦା ରାଜ୍ୟ ରାଜନୀତି ଓ ପ୍ରଶାସନରେ କୋକୁଆ ଭୟ ସୃଷ୍ଟି କରିଥିବା ଭିକେ ପାଣ୍ଡିଆନଙ୍କୁ ନେଇ ନେତା ଓ ସାଧାରଣ ଜନତାଙ୍କର ଆଭିମୁଖ୍ୟ ବଦଳିଯାଇଛି  । ଚବିଶ ନିର୍ବାଚନରେ ବିଜେଡ଼ିର ପରାଜୟ ପାଇଁ ତାଙ୍କୁ ହିଁ ଭିଲିଆନ୍‌ ବୋଲି ଆଖ୍ୟାୟିତ କରାଯାଉଛି  । ପାଣ୍ଡିଆନଙ୍କ ଭାବମୂର୍ତ୍ତି ବଜାୟ ରଖିବା ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଯେତେଯାହା କହିଲେ ବି ସାଧାରଣରେ ତାହା ଗ୍ରହଣୀୟ ହୋଇପାରୁନାହିଁ  ।

ପାଣ୍ଡିଆନ୍‌ ଥିବା ଯାଏଁ ବିଜେଡ଼ି କ୍ଷମତାକୁ ଆସିବନାହିଁ  । ପାଣ୍ଡିଆନଙ୍କ ପାଇଁ ଲୋକପ୍ରିୟ ସରକାର ଚାଲିଗଲା  । ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ଏଭଳି ବିବୃତ୍ତି ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି  । 

ଭିକେ ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡ଼ି ଛାଡ଼ିଲି  । ପାଣ୍ଡିଆନଙ୍କ ପାଇଁ ଏକ ଲୋକପ୍ରିୟ ସରକାର କ୍ଷମତାରୁ ଚାଲିଗଳା  । ଯେପର୍ଯ୍ୟନ୍ତ ପାଣ୍ଡିଆନ୍‌ ଥିବେ ସେ ପର୍ଯ୍ୟନ୍ତ ବିଜେଡ଼ି କ୍ଷମତାକୁ ଆସିପାରିବନି  । ପ୍ରସନ୍ନ ପାଟ୍ଟଶାଣୀଙ୍କ ଏହି ମନ୍ତବ୍ୟ ଏବେ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟିକରିଛି  ।

ପାଟ୍ଟଶାଣୀ ଓଡ଼ିଶାର ଜଣେ ଲୋକପ୍ରିୟ ନେତା  । ତାଙ୍କ ଯାଦୁକରୀ ଭାଷଣ ଜନତାଙ୍କୁ ବିମୋହିତ କରେ  । ବିଜୁବାବୁଙ୍କ ଅମଳରୁ ପାଟ୍ଟଶାଣୀ ଦଳରେ ସଂଗଠନ କରି ଆସୁଛନ୍ତି  । ବିଜୁବାବୁ ବି ତାଙ୍କୁ ଭଲ ପାଉଥିଲେ  । ଖୋର୍ଦ୍ଧାରେ ବହୁବାର ସେ ବିଧାୟକ ହୋଇଥିବାବେଳେ ୧୯୯୮ରୁ ୨୦୧୪ ପର୍ଯ୍ୟନ୍ତ ଲଗାତର ସେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି  । ହେଲେ ୨୦୧୯ରେ ତାଙ୍କୁ ଟିକେଟ୍‌ ମିଳିଲାନି  । ରାଜ୍ୟସଭା ସାଂସଦ କରିବାର ପ୍ରତିଶ୍ରୁତି ବି ଦିଆଗଲା  । ୨୦୨୪ରେ ବି ତାଙ୍କୁ ଟିକେଟ ଦିଆଗଲାନି  । ଯଦି ବାବା ଲଢିଥା’ନ୍ତେ ତାହେଲେ ଅପରାଜିତା ଦୁଇ ଦୁଇ ଥର ସାଂସଦ ହୋଇପାରିନଥା’ନ୍ତେ ବୋଲି ଅନେକ ରାଜନୀତିକ ସମୀକ୍ଷକ ମତପୋଷଣ କରନ୍ତି  ।