ଦ୍ୱାରଶୁଣୀ ଘାଟି ଓ ଦୁର୍ଘଟଣା
ରାଜ୍ୟର ଜାତୀୟ ରାଜପଥ ଉପରେ ରହିଥିବା ବଡ଼ ବଡ଼ ଘାଟି ମଧ୍ୟରୁ ଦ୍ୱାରଶୁଣୀ ଘାଟି ଅନ୍ୟତମ । ବାରିପଦା-କେନ୍ଦୁଝର ଜାତୀୟ ରାଜପଥ ଉପରେ ମୟୁରଭ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ୍ ଅନ୍ତଗତ ଏହି ଘାଟି ବହୁ ବର୍ଷ ପୂର୍ବେ ବାଙ୍ଗିରିପୋଷି ଘାଟି ଭାବରେ ପରିଚିତ ଥିଲା । ଅନେକ ବର୍ଷ ତଳେ ଏହି ଘାଟି ମଝିରେ ଦ୍ୱାରଶୁଣୀଙ୍କ ଠାକୁରାଣୀ ସ୍ଥାପନ କରାଯାଇ ପୂଜାର୍ଚ୍ଚନା ଆରମ୍ଭ କରାଗଲା । ଦ୍ୱାରଶୁଣୀ ଠାକୁରାଣୀଙ୍କ ସ୍ଥାପନାର ମୂଳ ଉଦେ୍ଦଶ୍ୟ ଥିଲା ଏଠାରେ ଠାକୁରାଣୀଙ୍କ ନିକଟରେ ମଙ୍ଗଳ କାମନା କରି ଘାଟି ଚଢ଼ିଲେ କିମ୍ବା ଓହ୍ଲାଇଲେ ନିରାପଦରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ । ଦୁର୍ଘଟଣା କମାଇବା ଉଦେ୍ଦଶ୍ୟରେ ଗାଡ଼ି ଡ୍ରାଇଭରମାନେ ଏହି ଘାଟି ମଝିରେ ଗାଡ଼ି ଅଟକାଇ ପୂଜାର୍ଚ୍ଚନା କରିବା ସହିତ ଯାତ୍ରାପଥରେ ଆଗେଇ ଚାଲୁଥିଲେ । ଏବେ ବି ଏହିଭଳି ଏକ ବିଶ୍ୱାସ ନେଇ ଗାଡ଼ି ଚାଳକମାନେ ଏହି ଘାଟି ରାସ୍ତାରେ ଯିବା ଆସିବା କରୁଛନ୍ତି । ତେବେ ରାଜ୍ୟର ସଡ଼କ ଦୁର୍ଘଟଣା କ୍ଷେତ୍ରରେ ଅନ୍ୟାନ୍ୟ ଘାଟି ଗୁଡ଼ିକ ଠାରୁ ଏହି ଘାଟି କମ୍ ଦୈର୍ଘ୍ୟର ହୋଇଥିଲେ ମଧ୍ୟ ଏଠାରେ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି ।
ରାଜ୍ୟର ଲମ୍ବା ଘାଟି ଗୁଡ଼ିକ ମଧ୍ୟରେ କେନ୍ଦୁଝରର କାଣ୍ଟିପାଣି ଘାଟିର ଲମ୍ବ ୧୮ କିଲୋମଟିର ଥିବା କୋରାପୁଟର ଶୁଙ୍କି ଘାଟି କିଛି କମ୍ ଲମ୍ବର ନୁହେଁ । ଏହା ଆନ୍ଧ୍ରର ସାଲୁର ଘାଟି ସହିତ ଯୋଡ଼ି ହୋଇ ରହିଛି । ହେଲେ ଏହି ଘାଟି ଗୁଡ଼ିକରେ ବର୍ଷକୁ ଏତେ ସଂଖ୍ୟାରେ ଦୁର୍ଘଟଣା ଘଟୁନଥିବା ବେଳେ ବାଙ୍ଗିରିପୋଷି ଘାଟିରେ କାହିଁକି ଯେ ଏତେ ଦୁର୍ଘଟଣା ଘଟୁଛି ତାର ସଡ଼କ ନିରାପତ୍ତା ସମ୍ପର୍କିତ ଅନୁସନ୍ଧାନ କରାଯିବା ଆବଶ୍ୟକ । ଏ ସମ୍ପର୍କରେ କେବଳ ସଡ଼କର ଅନୁସନ୍ଧାନ କରାନଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଚାଳକମାନଙ୍କର ମାନସିକ ଓ ଶାରୀରିକ ଅବସ୍ଥାର ମଧ୍ୟ ଅନୁସନ୍ଧାନ ହେବା ଆବଶ୍ୟକ । ଦୁର୍ଘଟଣା ଘଟିଲେ ମୁଖ୍ୟତଃ ସଡ଼କର ନିର୍ମାଣଜନିତ ଶୈଳୀ, ଅଣଓସାରିଆ ରାସ୍ତା ଆଦିକୁ ନେଇ ଗବେଷଣା କିମ୍ବା ମତାମତ ଦିଆଯାଏ । ଦୁର୍ଘଟଣା ଘଟିବା ପୂର୍ବରୁ ଚାଳକ କେତେ ଘଣ୍ଟା ଧରି ଗାଡ଼ି ଚଳାଉଥିଲେ ସେ ସମ୍ପର୍କିତ ତଥ୍ୟକୁ ଅଣଦେଖା କରାଯାଉଛି । ଏକଥା ସତ୍ୟ ଯେ ବାଙ୍ଗିରିପୋଷି ଘାଟି ଜାତୀୟ ରାଜପଥର ମାନକୁ ନେଇ ଚଉଡ଼ା ହୋଇ ପାରୁନାହିଁ । ଏଠାରେ ରାସ୍ତାକୁ ଚଉଡ଼ା କରି ଦେଲେ ପର୍ବତର କିଛି ଅଂଶକୁ କାଟିବାକୁ ପଡିବ । ଏଭଳି କରିଲେ ବର୍ଷାଦିନରେ କିମ୍ବା ଅନ୍ୟ କୌଣସି ସମୟରେ ପର୍ବତ ଉପରୁ ପଥର ଖସିବାର ସମ୍ଭାବନା ଯଥେଷ୍ଟ ଅଧିକ ରହୁଛି । ତେଣୁ ଘାଟି ରାସ୍ତା ଅତିକ୍ରମ କରିବା ସମୟରେ ଓଭରଟେକିଂ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରି ଦିଆଗଲେ ଦୁର୍ଘଟଣା ମଧ୍ୟ ଅନେକ ପରିମାଣରେ କମିଯିବ । ବିଶେଷ କରି କାର୍ ଚାଳକମାନେ ସଡ଼କ ନିରାପତ୍ତା ନିୟମର ବାରମ୍ବାର ଉଲଙ୍ଘନ କରି ଘାଟି ରାସ୍ତାରେ ଓଭରଟେକ୍ କରିବା ପାଇଁ ବ୍ୟଗ୍ର ହୋଇଉଠନ୍ତି । ଏଭଳି ଓଭରଟେକ୍ କରୁଥିବା ଗାଡ଼ି ଗୁଡ଼ିକର ଡ୍ରାଇଭରମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବା ଆବଶ୍ୟକ । ଅନ୍ତତଃପକ୍ଷେ ସ୍ଥାନୀୟ ଲୋକଙ୍କ ଠାରୁ ଶୁଣାଯାଏ ଯେ କାର୍ ଏବଂ ଛୋଟ ଛୋଟ ଯାନ ଗୁଡ଼ିକ ଘାଟି ଉପରେ ଓଭରଟେକ୍ ଡ୍ରାଇଭିଂ କରୁଥିବାରୁ ଦୁର୍ଘଟଣା ଘଟୁଛି । ଦ୍ୱିତୀୟ କାରଣଟି ହେଲା ବର୍ତ୍ତମାନ ରାଜପଥ ଗୁଡ଼ିକରେ ଲମ୍ବା ଲମ୍ବା ଚେଚିସ୍ ଥିବା ଗାଡ଼ି ଅଧିକରୁ ଅଧିକ ପରିମାଣରେ ଚଳାଚଳ କରୁଛି । ସେ ପ୍ରକାରର ଗାଡ଼ି ଚାଳକମାନ ଏହି ଘାଟି ସହିତ ଅପରିଚିତ ଥିବାରୁ ଏବଂ ବୁଲାଣୀ ସ୍ଥାନ ଗୁଡ଼ିକରେ ଗାଡ଼ି ନେବା ସମ୍ପର୍କରେ ରାସ୍ତା ଆକଳନର ଭୁଲ୍ ନିଷ୍ପତ୍ତି ନେଉଥିବାରୁ ଦୁର୍ଘଟଣା ବଢୁଛି । ରାସ୍ତା ଚଉଡ଼ା କରି ଦେଲେ ଦୁର୍ଘଟଣା କମିଯିବ ବୋଲି ଭାବିବା ଭୁଲ୍ । କାରଣ, ଦେଶର ପାର୍ବତ୍ୟାଞ୍ଚଳ ଗୁଡ଼ିକ ରହିଥିବା ରାଜ୍ୟରେ ଏତେ ପରିମାଣରେ ଦୁର୍ଘଟଣା ଘଟେ ନାହିଁ । ଏଣୁ ଚାଳକମାନଙ୍କୁ ସତର୍କ କରାଇ ଦିଆଗଲେ ଦ୍ୱାରଶୁଣୀ ଘାଟିରୁ ଦୁର୍ଘଟଣା ବହୁ ପରିମାଣରେ କମିଯିବ ।