ଯାଜପୁର ରୋଡ–ଧାମରା ରେଳପଥ ଦାବିକୁ ରାଜ୍ୟସ୍ତରକୁ ନିଆଯାଉ
ଯାଜପୁର ଟାଉନ: ଯାଜପୁର ରୋଡ–ଧାମରା ରେଳପଥ ପ୍ରକଳ୍ପ ଦାବି ହାସଲ ପାଇଁ ସଂଗ୍ରାମକୁ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲା ଭିତରେ ସିମିତ ନରଖି ରାଜ୍ୟସ୍ତରକୁ ନେବାକୁ ପଡିବ ।
ରବିବାର ମିଶନ ଶକ୍ତି ଭବନ ଯାଜପୁରରେ ସଂଗ୍ରାମ ସମିତିର ଆବାହକ ସନ୍ତୋଷ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ସିଦ୍ଧାନ୍ତ ନିଆଯାଇଛି । ବୈଠକରେ ସଂଗ୍ରାମ ସମିତିର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡାଇ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ଯାଜପୁର ବିଧାୟିକା ସୁଜାତା ସାହୁ ଓ ପୂର୍ବତନ ଜିଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ଦେବେନ୍ଦ୍ର ପଣ୍ଡା, ମଳୟ ପଣ୍ଡା, ସତ୍ୟପ୍ରକାଶ ବେହୁରିଆ, ଦିଲ୍ଲୀପ ଦଲାଇ, ଦେବେନ୍ଦ୍ର କୁମାର ନାୟକ, ଦିବ୍ୟସିଂହ ନାୟକ, କାଳିପ୍ରସାଦ ନାୟକ, ପ୍ରଫୁଲ୍ଲ ନାୟକ, ଧନଞ୍ଜୟ ରାଉତରାୟ, ସୁରେନ୍ଦ୍ର ରାୟ, ଚନ୍ଦ୍ରଶେଖର ନାୟକ, ପ୍ରଫୁଲ୍ଲ ପାଢୀ, ରାଧାନାଥ ଦାସ, ହରିଶଚନ୍ଦ୍ର ପଣ୍ଡା, ଭାଗୀରଥୀ ସାହୁ, ବିଜୟ ନାୟକ, ଡାକ୍ତର ନିର୍ମଳ ରଥ, ଗଣେଶ ସାହୁ, ରବୀନ୍ଦ୍ର କୁମାର ପହି, ସୁରେଶ ସାହୁ ଓ ମାଧବ କୁଣ୍ଡ, ଦେବବ୍ରତ ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରି ସଂଗ୍ରାମ ସମିତିର ଆନେ୍ଦାଳନ ଫଳରେ ଏହାର ଚୁଡାନ୍ତ ସର୍ଭେ କରାଯାଇ ରେଳବାଇ ବୋର୍ଡ ପାଖରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ସମ୍ପ୍ରତି ରେଳବାଇ ବୋର୍ଡ ପକ୍ଷରୁ ଏହି ରିପୋର୍ଟର ପର୍ଯ୍ୟାଲୋଚନା ପର୍ବ ଶେଷ ହୋଇଛି । ଏବେ ଚୁଡାନ୍ତ ନିଷ୍ପତି ନିର୍ଭର କରେ କେନ୍ଦ୍ର ସରକାର ତଥା ତାଙ୍କ ଅଧିନସ୍ଥ ନୀତି ଆୟୋଗ ଓ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ଉପରେ । ଏହି ପରିସ୍ଥିତିରେ ପ୍ରକଳ୍ପ ମଞ୍ଜୁରୀ ତଥା ନିର୍ମାଣର ଦାବି ହାସଲ ପାଇଁ ସଂଗ୍ରାମକୁ ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡା ଜିଲା ମଧ୍ୟରେ ସୀମାବଦ୍ଧ ନରଖି ଏହାକୁ ରାଜ୍ୟସ୍ତରୀୟ ଆନେ୍ଦାଳନର ରୂପ ଦେବାକୁ ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ଏହି ଲକ୍ଷ୍ୟରେ ଓଡିଶା ବିଧାନସଭାର ରେଳବିକାଶ ସଂକ୍ରାନ୍ତୀୟ ଗୃହ କମିଟିର ଅଧ୍ୟକ୍ଷାଙ୍କ ସମେତ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ତଥା ଅନ୍ୟାନ୍ୟ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ସଂଗ୍ରାମ ସମିତିର ପ୍ରତିନିଧି ଦଳ ସାକ୍ଷାତ କରିବାକୁ ନିଷ୍ପତି ନିଆଯିବା ସହ ପ୍ରକଳ୍ପକୁ ତୁରନ୍ତ ମଞ୍ଜୁରୀ ପ୍ରଦାନ ସହ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି ଜଣାଇ କେନ୍ଦ୍ର ସରକାର ଓ ରେଳମନ୍ତ୍ରୀଙ୍କ ପାଖକୁ ପତ୍ର ଲେଖିବା ପାଇଁ ସେମାନଙ୍କୁ ନିଷ୍ପତି ହୋଇଥିଲା । ଏହା ସହିତ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ମଧ୍ୟ ସଂଗ୍ରାମ ସମିତି ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯିବ । ଜାନୁଆରୀମାସରେ ରେଳ ପ୍ରକଳ୍ପ ଦାବିକରି ଯାଜପୁର, ମଙ୍ଗଳପୁର, ନନ୍ଦୀପୁର, ଆରଡି, ଚାନ୍ଦବାଲି, ଧାମରା ଓ ଯାଜପୁର ରୋଡରେ ସମାବେଶମାନ କରାଯିବ । ଆସନ୍ତା କେନ୍ଦ୍ର ବଜେଟରେ ଯଦି ଏହି ପ୍ରକଳ୍ପ ପାଇଁ ବ୍ୟୟ ବରାଦ କରାନଯାଏ ତେବେ ସଂଗ୍ରାମ ସମିତି ପକ୍ଷରୁ ଜନ ଆନେ୍ଦାଳନକୁ ତୀବ୍ରତର କରାଯିବ ବୋଲି ନିଷ୍ପତି ହୋଇଛି ।