ଦୁର୍ଘଟଣା: କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ 

 ଗୋଲାମୁଣ୍ଡା  : ନୂଆପଡ଼ା ଜିଲ୍ଲା ସିନାପାଲି ସହର  ଥାନା ପଛ ପଟେ ବସ ଧକ୍କାରେ ଜଣେ ଶ୍ରମିକଙ୍କ ମୃତୁ୍ୟ ଘଟିଛି । ମୃତକ ବ୍ୟକ୍ତି ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗ ଗ୍ରାମର ପାର୍ଥବ କେତକୀ (୪୦)  । ରାସ୍ତାପାଶରେ ଠିଆ ହୋଇଥିବା ଏକ ପିକ ଅପ୍ ଭ୍ୟାନରେ କାର୍ଯ୍ୟରତ ଶ୍ରମିକକୁ ସିନାପାଲି-ସମ୍ବଲପୁର ଯାଉଥିବା ବିଜୟଲକ୍ଷ୍ମୀ ବସ(ଓଡି ୦୮ଏମ୍ ୩୮୯୯) ଆଘାତ ଦେବା ଫଳରେ ଶ୍ରମିକଟିର ମୃତୁ୍ୟ ଘଟିଥିବା ଜଣାପଡିଛି  । ପ୍ରାପ୍ତ ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗର ପବନ ଅଗ୍ରୱାଲଙ୍କ ପିକ୍ ଅପ୍ ଭ୍ୟାନ ( ଓଡି ୦୮ ସି ୧୦୩୪) ଏକ ଦୋକାନରେ ସାମଗ୍ରୀ ଅନଲୋଡ କରି ଠିଆ ହୋଇଥିଲା  । ମୃତକ ଜଣକ ଭ୍ୟାନ୍ର ପଛ ଗେଟ୍ ବନ୍ଦ କରୁଥିବା ବେଳେ ବସ୍ ମାଡ଼ି ଆସିଥିଲା  । ଶ୍ରମିକ ବେକରେ ବସର ଡିକି କବାଟ ଲାଗିଯିବାରୁ ଗଲା କଟିଯାଇ ରକ୍ତ ସ୍ରାବ ହୋଇଥିଲା ଏବଂ ଘଟଣା ସ୍ଥଳରେ ମୃତୁ୍ୟ ହୋଇଥିବା ସୁଚନା ମିଳିଛି  । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ  ହସ୍ତାନ୍ତର ପରେ ପରିବାର ଲୋକ ଧୁଙ୍ଗିଆମୁଣ୍ଡା ଠାରେ ଶବ ରଖି ସିନାପାଲି ରୁ ଧର୍ମଗଡ କୁ ସଂଯୋଗ କରୁଥିବା ବିଜୁ ଏସ୍କପ୍ରେସ ୱେ କୁ ଅବରୋଧ କରି କ୍ଷତିପୂରଣ ଦାବିରେ ବସିଥିବା ଦେଖିବାକୁ ମିଳିଥିଲା  । ଯାହା ଫଳରେ ଯିବାଆସିବାରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ  । ଖବର ଲେଖା ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ  ଘଟଣା ସ୍ଥଳରେ କେହି ମଧ୍ୟ ଉପସ୍ଥିତ ହୋଇନଥିବା ବେଳେ ସିନାପାଲି ପୁଲିସ ଆସି ପରିବାର ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳୁଛି ।