ଶ୍ରମିକ ନେତାଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ତାଳଚେର: ତାଳଚେର ପ୍ରେସ୍ କ୍ଲବ୍ ପକ୍ଷରୁ ବିଶିଷ୍ଟ ଶ୍ରମିକ ନେତା ତଥା ସମାଜସେବୀ ସ୍ୱର୍ଗତ ଦ୍ୱାରିକା ମୋହନ ମିଶ୍ରଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଶ୍ରମିକ ନେତା ସ୍ୱର୍ଗତ ମିଶ୍ର କେବଳ ଜଣେ ବ୍ୟକ୍ତି ନଥିଲେ ସେ ଥିଲେ ଏକ ଅନୁଷ୍ଠାନ । ତାଙ୍କର ସାଲିସ୍ ବିହୀନ ସଂଗ୍ରାମ, ସ୍ପଷ୍ଟବାଦିତା, ନିର୍ଭିକତା ଓ ଶ୍ରମିକଙ୍କ ସ୍ୱାର୍ଥ ହାସଲ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ ବୋଲି ଅନୁଷ୍ଠିତ ଦ୍ୱିତୀୟ ବାର୍ଷିକୀ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୂର୍ବତନ ଢ଼େଙ୍କାନାଳ ସାଂସଦ ମହେଶ ସାହୁ ମତବ୍ୟକ୍ତ କରିଛନ୍ତି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦିଗମ୍ୱର ଗଡ଼ନାୟକ, ପୂର୍ବତନ ନଗରପାଳ କେଶବ ଭୂତିଆ, ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ପାତ୍ର, ଜିଲ୍ଲା ବିଜେପି ମିଡ଼ିଆ ସେଲ୍ ଅଧ୍ୟକ୍ଷ ପର୍ଶୁରାମ ବାରିକ, ପୂର୍ବତନ କାଉନସିଲର ପ୍ରକାଶ ମହାରଣା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ମିଶ୍ରଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଅତିଥିମାନେ ପ୍ରଥମେ ସ୍ୱର୍ଗତ ମିଶ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପ୍ରେସ୍ କ୍ଲବ୍ର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସଂପାଦକ ଡ. ରଶ୍ମିରଞ୍ଜନ ମିଶ୍ର ମଞ୍ଚ ପରିଚାଳନା ଏବଂ ଉପସଭାପତି ଦେବୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ, ଶ୍ରମିକ ନେତା, ଆଇନଜୀବୀ, ବୁଦ୍ଧିଜୀବୀ, କାଉନସିଲର ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ ।