ଜାତୀୟସ୍ତରରେ ଯୁବ ପ୍ରତିଭାଙ୍କ ପାରଦର୍ଶିତା
ନୟାଗଡରୁ ସ୍ୱତନ୍ତ୍ର ପ୍ରତିନିଧି : ରବୀନ୍ଦ୍ର କୁମାର ପଟ୍ଟନାୟକ
ନୟାଗଡ଼ ଜିଲ୍ଲାର ଯୁବ ପ୍ରତିଭା ଜାତୀୟସ୍ତରରେ ବିଭିନ୍ନ କ୍ଷେତ୍ରରେ ସୁନାମ ଓ ପାରଦର୍ଶିତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସଙ୍ଗୀତ, କଳା, ଭାସ୍କର୍ଯ୍ୟ, କ୍ରୀଡ଼ା, ସିନେମା, ରାଜନୀତି, ସାହିତ୍ୟ, ବିଜ୍ଞାନ ପ୍ରଭୃତି କ୍ଷେତ୍ରରେ ଜିଲ୍ଲାର ଏହି ପ୍ରଥିତଯଶା ଯୁବ ପ୍ରତିଭାମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପନ୍ତିଖାରୀଶାସନର ବର୍ଣ୍ଣାଳୀ ହୋତା କଣ୍ଠଶିଳ୍ପୀ ଭାବେ ଜାତୀୟସ୍ତରରେ ସୁନାମ ଅର୍ଜନ କରିଛନ୍ତି । ସେହିଭଳି କଳା ଓ ଭାସ୍କର୍ଯ୍ୟରେ ଭାପୁର ବ୍ଲକ ପଦ୍ମାବତୀ ଗ୍ରାମର କାଶୀନାଥ ତ୍ରିପାଠୀ ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରି ବହୁ ଅନେକ ସମ୍ମାନ ଅର୍ଜନ କରିଛନ୍ତି । କଠିନ କଳାମୁଗୁନି ପଥରକୁ ନିହାଣ ମୁନରେ ରୂପସୀ ନାରୀରେ ପରିଣତ କରିବାର ଦକ୍ଷତା ତାଙ୍କ ଠାରେ ରହିଛି । ପଥରରେ ଡ଼ଙ୍ଗା ତିଆରି କରି ଏହାକୁ ମହାନଦୀରେ ଭସାଇବା ଦିଗରେ ତାଙ୍କ କାର୍ଯ୍ୟ ଚାଲୁ ରହିଛି । କ୍ରୀଡ଼ା କ୍ଷେତ୍ରରେ ଦଶପଲ୍ଲା ବ୍ଲକ ମକରପ୍ରସାଦ ଗ୍ରାମର ଝିଲ୍ଲି ଦଳବେହେରା ଜାତୀୟ ଏବଂ ଆନ୍ତର୍ଜାତୀକ କ୍ଷେତ୍ରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଯଥେଷ୍ଟ ଖ୍ୟାତି ଅର୍ଜନ କରିଛନ୍ତି । ସେହିଭଳି ନୟାଗଡ଼ ସହରର ସୌଭାଗ୍ୟ ରଥ ଆନ୍ତର୍ଜାତୀକ ଆଇରନ ମ୍ୟାନ ପ୍ରତିଯୋଗୀତାରେ କୃତିତ୍ୱ ପ୍ରଦର୍ଶନ କରିଛନ୍ତି । ଅନ୍ୟପକ୍ଷରେ ଦୀପାଲି ମହାପାତ୍ର ମଧ୍ୟ ଜାତୀୟସ୍ତରରେ ବିଭିନ୍ନ ଆୟୋଜିତ କ୍ରୀଡ଼ା ପ୍ରତିଯୋଗୀତାରେ ନୈପୁଣ୍ୟତା ପ୍ରଦର୍ଶନ କରିଛନ୍ତି । ସେହିଭଳି ସିନେମା କ୍ଷେତ୍ରରେ ନୂଆଗାଁ ବ୍ଲକ ଦେଉଳି ଗ୍ରାମର ପୀତବାସ ତ୍ରିପାଠୀଙ୍କ ଜାତୀୟସ୍ତରରେ ସୁନାମ ରହିଛି । ସେ ଅନେକ କଳାତ୍ମକ ହିନ୍ଦୀ ସିନେମା ଅଭିନୟ କରି ଏଭଳି ଖ୍ୟାତି ଅର୍ଜନ କରିଛନ୍ତି । ବିଜ୍ଞାନର ପ୍ରଚାର, ପ୍ରସାର ଏବଂ ଗବେଷଣା କ୍ଷେତ୍ରରେ ଏହି ଜିଲ୍ଲାର ଭାପୁର ବ୍ଲକ ଜହରକୋଟ ଗ୍ରାମର ଶାନ୍ତିବିହାର ଡ଼ଃ.ଭୂପାଳ ଦେବଙ୍କ ଆନ୍ତର୍ଜାତୀୟସ୍ତରରେ ଯଥେଷ୍ଟ ଖ୍ୟାତି ରହିଛି । ଏହି ପ୍ରଖ୍ୟାତ ଯୁବ ବୈଜ୍ଞାନିକ ପୃଥିବୀର ୨୦୦ରୁ ଊଦ୍ଧ୍ୱର୍ ଦେଶର ବହୁ ବିଶ୍ୱବିଦ୍ୟାଳୟକୁ ଭିଜିଟିଂଗ ପ୍ରଫେସର ଭାବେ ନିମନ୍ତ୍ରିତ ହୋଇ ବିଜ୍ଞାନ ସମ୍ବନ୍ଧୀୟ ଗବେଷଣା ଲବ୍ଧ ଗୁରୁତ୍ୱ ତଥ୍ୟ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରିଛନ୍ତି । ଅସାଧାରଣ ପ୍ରତିଭା ସମ୍ପନ୍ନ, ଗୁଣଗ୍ରାହୀ ଅଧ୍ୟାପକ ଡ଼ଃ.ଭୂପାଳ ମଧ୍ୟ ବିଜ୍ଞାନରେ ଅନେକ ପୁସ୍ତକ ରଚନା କରି ବେଶ ସୁନାମ ଅର୍ଜନ କରିପାରିଛନ୍ତି । ଆମେରିକା, ଜର୍ମାନୀ, ଲଣ୍ଡନ ପ୍ରଭୃତି ଦେଶରେ ସେ ବିଜ୍ଞାନରେ ଉଚ୍ଚତର ଗବେଷଣା କରି ନିଜର ପ୍ରଚଣ୍ଡ ବୁ୍ୟତ୍ପତ୍ତିର ପରାକାଷ୍ଠା ପ୍ରଦର୍ଶନ କରି ଆନ୍ତର୍ଜାତୀୟ ସମୁଦାୟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରାଜ୍ୟ ତଥା ଦେଶବିଦେଶର ବହୁ ସଂଭ୍ରାନ୍ତ ପତ୍ରପତ୍ରିକାରେ ତାଙ୍କର ଗବେଷଣା ମୂଳକ ଗୁରୁତ୍ୱପୂର୍ଣ୍ଣ ପ୍ରବନ୍ଧ ପ୍ରକାଶିତ ହୋଇଛି । ସେହିଭଳି ଜାତୀୟ ରାଜନୀତି କ୍ଷେତ୍ରରେ ଏହି ଜିଲ୍ଲାର ଯୁବକମାନଙ୍କ ସ୍ଥାନ କମ୍ ନୁହେଁ । ଭାପୁର ବ୍ଲକ ପଥରଚକଡ଼ା ଗ୍ରାମର ଅଭିଳାଷ ପଣ୍ଡା ପୂର୍ବରୁ ଏବିଭିପିର ସର୍ବଭାରତୀୟ ସାଧାରଣ ସମ୍ପାଦକ ଥିବାବେଳେ ଏବେ ବିଜେପି ଯୁବମୋର୍ଚ୍ଚା ରାଜ୍ୟସଭାପତି ଭାବେ କାର୍ଯ୍ୟ କରି ନିଜର ପାଣ୍ଡିତ୍ୱ ତଥା ପାରଦର୍ଶିତା ପ୍ରଦର୍ଶନ କରି ଆସିଛନ୍ତି । ଅନୁରୂପ ଭାବେ ଜାତୀୟସ୍ତରରେ ସାହିତ୍ୟ ଏବଂ ଗବେଷଣ କ୍ଷେତ୍ରରେ ଜିଲ୍ଲାର ଯୁବ ପ୍ରତିଭାମାନଙ୍କ ମଧ୍ୟ ବେଶ୍ ସୁନାମ ରହିଛି । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ମର୍ଯ୍ୟାଦାଜନକ ଯୁବ ସାହିତି୍ୟକ ପୁରସ୍କାର ଭାପୁର ବ୍ଲକ କେନ୍ଦୁପଲ୍ଲି ଗ୍ରାମର ଡ଼.ଭାରତ ଭୂଷଣ ରଥ ଏବଂ ଜହରକୋଟ ଗ୍ରାମ ଶାନ୍ତିବିହାର ଡ଼.ପରାମ୍ବା ଶ୍ରୀ ଯୋଗମାୟା ଲାଭ କରିଛନ୍ତି । ସଂସ୍କୃତ ଭାଷା ସାହିତ୍ୟର ଧୁରୀଣ ଯୁବପ୍ରତିଭା ଡ଼.ରଥ ଏବଂ ଡ଼.ଯୋଗମାୟା ଅଟନ୍ତି । ଏହି ଦୁଇ ଯୁବ ବିଦ୍ୱାନ ସଂସ୍କୃତ, ଇଂଗ୍ରାଜୀ ଏବଂ ଓଡ଼ିଆ ଭାଷାରେ ଅନେକ ପୁସ୍ତକ ରଚନା କରି ରାଜ୍ୟ, ଦେଶ ଏବଂ ଆନ୍ତର୍ଜାତୀୟସ୍ତରରେ ପାଠକୀୟ ଆଦରଲାଭ କରିଛି । ଉଲ୍ଲେଖନୀୟ ଯେ, ଡ଼.ଯୋଗମାୟା ବର୍ତ୍ତମାନ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସହ ପ୍ରାଧ୍ୟାପିକା ଭାବେ କାର୍ଯ୍ୟ କରୁଥିବା ବେଳେ ଡ଼.ରଥ ତିରୁପତି କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ସହ ପ୍ରାଧ୍ୟାପକ ତଥା ଦୂରଶିକ୍ଷା ନିଦେ୍ର୍ଦଶାଳୟର ଉପନିଦେ୍ର୍ଦଶକ ଭାବେ କାର୍ଯ୍ୟ କରୁଛନ୍ତି ।