ରାସନକାର୍ଡ ନ କାଟିବାକୁ ଦାବି
ଭଣ୍ଡାରିପୋଖରୀ : ବ୍ଲକର ବିଭିନ୍ନ ଜନସେବା କେନ୍ଦ୍ର ଓ ଗ୍ରାହକସେବା କେନ୍ଦ୍ର ପରିଚାଳକମାନେ ଆୟକରଦାତା ହୋଇଥିବା ଆଳରେ ରାସନକାର୍ଡ ନକାଟିବା ପାଇଁ ଗତ ସୋମବାର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି । ଜନସେବା କେନ୍ଦ୍ର ଓ ଗ୍ରାହକସେବା କେନ୍ଦ୍ର ପରିଚାଳନା ବାବଦକୁ ୧୦ ପ୍ରତିଶତ କମିଶନ ପାଇବା ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବା ବାଧ୍ୟତାମୂଳକ ହୋଇଥିବାରୁ ପରିଚାଳକମାନେ ଆୟକର ରିଟର୍ଣ୍ଣ ଦାଖଲ କରିଆସୁଥିଲେ । ସଂପୃକ୍ତ ପରିଚାଳକମାନଙ୍କ ଆୟ କମିଶନ ଭିତ୍ତିକ ଅଟେ । ଏବେ ଗ୍ରାହକମାନେ ଡିଜିଟାଲ କାରବାରକୁ ପ୍ରାଧାନ୍ୟ ଦେଉଥିବାରୁ ଜନସେବା କେନ୍ଦ୍ର ଓ ଗ୍ରାହକସେବା କେନ୍ଦ୍ର କାରବାର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଫଳରେ କମିଶନ ଅର୍ଥରେ ପରିବାର ପୋଷଣ ସମ୍ଭବ ହେଉନାହିଁ । ଏଭଳି ପରିସ୍ଥିତିରେ ଆୟକରଦାତା ଆଳରେ ଜନସେବା କେନ୍ଦ୍ର ଓ ଗ୍ରାହକସେବା କେନ୍ଦ୍ର ପରିଚାଳକଙ୍କ ରାସନ କାର୍ଡ କଟାଯିବା ଅନ୍ୟାୟ ଅଟେ । ଏହାର ପୁର୍ନବିଚାର ପାଇଁ ଚିତ୍ତରଞ୍ଜନ ନାୟକ, ସ୍ୱାଗତିକା ଜେନା, ମନୋଜ କୁମାର ସାହୁ, ପ୍ରଦୀପ୍ତ ସାମଲ, ଦିବାକର ସାହୁ, ପ୍ରଭାସ କୁମାର ନାୟକ, ଧିରେନ୍ଦ୍ର ସ୍ୱାଇଁ, ସଞ୍ଜୟ ମିଶ୍ର, ଦେବପ୍ରସନ୍ନ ମହାପାତ୍ର, ଗଣେଶ ପ୍ରସାଦ ସାହୁ, କମଳାକାନ୍ତ ପରିଡା, ପ୍ରଶାନ୍ତ କୁମାର ସେଠୀ, ଚିନ୍ମୟ ପାତ୍ର ପ୍ରମୁଖ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ସୁପାରିଶ ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ।