ବିଶୁଦ୍ଧ ପାନୀୟଜଳ ଯୋଗାଣ ଲୋକାର୍ପିତ

 ଧର୍ମଶାଳା : ଧର୍ମଶାଳା ଅଂଚଳରେ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ ଜାରକାସ୍ଥିତ ମହୋତ୍ସବ ପଡ଼ିଆ ଠାରେ ଲୋକାର୍ପିତ ହୋଇଯାଇଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ବିଧାୟକ ପୁର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ପାଣିର ଆବଶ୍ୟକତା ହେଉଥିବା ଗ୍ରାମ ଗୁଡିକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଯାହା ଫଳରେ ପାଣି ଟୋପାଏ ପାଇଁ ନାନା ସମସ୍ୟା ଭୋଗୁଥିବା ଲୋକମାନଙ୍କ ନିକଟରେ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ । ଏବେ ଧର୍ମଶାଳା ବ୍ଲକର ଉତରପ୍ରତାପ, ସୁନ୍ଦୁରିଆ, ପଟୁଣିଆ, ଅରାବଳ, ମଙ୍ଗଳପୁର, କୋତପୁର, ଜାରକା, କୁମାରୀ, ଗଙ୍ଗାଧରପୁର, ଥାନୁଆଳ, ଆରୁହା, ପାଖର, ଅଭୟପୁର, ନେଉଳପୁର, ମଧୁପୁରଗଡ, ହରିଦାସପୁର, ନେଉଳପୁର, ସାହାଣିଢିହ, ତାଳଜଙ୍ଗା, ମହିଶରା, ତରଞ୍ଜିଆ, ବୃନ୍ଦାଦେଇପୁର, ଏଣ୍ଡଳବା, ଅଞ୍ଜିରା, ପୁରୁଣାବଉଳମାଳ, ଚକ୍ରଧରପୁର ଅଦି ୨୬ ଗୋଟି ପଂଚାଯତ ପାଇଁ ପ୍ରଥମ ଦଫାରେ ୭୨ଟି ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଖରାଦିନରେ ଏହି ସବୁ ଅଂଚଳରେ ଜଳସ୍ତର ହ୍ରାସ ଯୋଗୁଁ ପୋଖରୀ, ଗାଡିଆ ସୁଖିଯିବା ସହ ଅନେକ ନଳକୁପ ଅଚଳ ହୋଇପଡିଥାଏ । ଏହାକୁ ନଜରରେ ରଖି ବିଧାୟକଙ୍କ ପ୍ରଚେଷ୍ଟାରେ ସରକାରଙ୍କ ପକ୍ଷରୁ ବ୍ଲକର ବିଭିନ୍ନ ପଂଚାୟତରେ ୩୯୦ଗୋଟି ନୂତନ ଗଭୀର ନଳକୂପ ବସାଯାଉଛି । ଏଥିସହିତ ଟ୍ୟାଙ୍କର ଯୋଗେ ଲୋକମାନଙ୍କ ପାଖରେ ପାଣି ପହଁଚାଇବାର ବ୍ୟବସ୍ଥା କରାଯାଇଛି । ତେବେ ପୁର୍ବ ସରକାର ଅମଳରେ ଧର୍ମଶାଳା ବ୍ଲକ ଅଂଚଳରେ କରାଯାଉଥିବା ମେଘା ପାନୀୟ ଜଳ ପ୍ରକଳ୍ପ ଅଧାପନ୍ତରିଆ ହୋଇପଡିରହିଥିବା ବେଳେ ଆଗାମୀ ଦିନରେ ଖୁବ୍ଶୀଘ୍ର ମେଘା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ବିଧାୟକ ଶ୍ରୀ ସାହୁ ସୂଚନା ଦେଇଥିଲେ ।