ଠକେଇ ଅଭିଯୋଗରେ ଯୁବକ ଗିରଫ
କେନ୍ଦୁଝର: ମହିଳାମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ଥିବା ଜଣେ ଯୁବକଙ୍କୁ ଟାଉନ ପୋଲିସ ଗିରଫ କରିଛି । ଗିରଫ ଯୁବକଙ୍କ ନାମ ରଞ୍ଜନ କୁମାର ଦେହୁରୀ (୪୩) ଏବଂ ତାଙ୍କ ଘର ଜାମୁନାଳିଆ ଗ୍ରାମରେ ବୋଲି ଜଣାପଡିଛି । ରଞ୍ଜନ କୁମାର ଦେହୁରୀ, ତାଙ୍କ ସ୍ତ୍ରୀ ସୁଭଦ୍ରା ମହାକୁଡ ଏବଂ ତାଙ୍କ ଶାଶୁ ଝୁନାରାଣୀ ମହାକୁଡ ଠକି ଥିବା ନେଇ ୩ଜଣ ମହିଳା ଟାଉନ ଥାନାରେ ଅଭିଯୋଗ କରିଥିଲେ । ୨ବର୍ଷ ତଳେ ସେ ଜାମୁନାଳିଆ ଗ୍ରାମର ନିବେଦିତ ମହାକୁଡଙ୍କ ଠାରୁ ୨ ଲକ୍ଷ ୪୦ ହଜାର ଟଙ୍କା, ନିବେଦିତାଙ୍କ ମା’ କୁମୁଦିନୀ ବାରିକଙ୍କ ଠାରୁ ୧ ଲକ୍ଷ ୨୦ହଜାର ଟଙ୍କା ଏବଂ ପ୍ରତିମା ମହାକୁଡଙ୍କ ଠାରୁ ୧୭ ହଜାର ଟଙ୍କା ଧାର ନେଇ ଫେରାଇ ନଥିଲା । ଧାର ନେବା ବେଳେ ସୋମାନଙ୍କୁ ଅଧିକ ସୁଧ ଦେବେ ବୋଲି କହିଥିଲା । ୩ଜଣ ମହିଳା ଏକ ବେସରକାରୀ ଫାଇନାନ୍ସରୁ ଋଣ ନେଇ ରଞ୍ଜନ କୁମାର ଦେହୁରୀଙ୍କୁ ଦେଇଥିଲେ । ବାରମ୍ବାର ଧାର ଅର୍ଥ ମାଗିଲେ ସେ ଧମକଚମକ ଦେଇ ଆସୁଥିଲା । ଗତ ୮ ତାରିଖ ଦିନ ନିବେଦିତା ମହାକୁଡ ଧାର ଅର୍ଥ ମାଗିବାରୁ ରଞ୍ଜନ କୁମାର ଦେହୁରୀ ତାଙ୍କୁ ମାରପିଟ କରି ଖରାପ ଭାଷାରେ ଗାଳିଗୁଲଜ କରିଥିଲା । ଏନେଇ ନିବେଦିତା ଏବଂ ଅନ୍ୟ ୨ଜଣ ମହିଳାଙ୍କ ଅଭିଯୋଗ କ୍ରମେ ଟାଉନ ପୋଲିସ କେସ ନମ୍ବର ୧୪୬/୨୦୨୫ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରଞ୍ଜନ କୁମାର ଦେହୁରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ସବଇନ୍ସପେକ୍ଟର ଗୌରାଙ୍ଗ ବେହେରା ପ୍ରକାଶ କରିଛନ୍ତି ।