ପ୍ଲଟ୍ ଠକେଇ, ପୂର୍ବତନ ଯନ୍ତ୍ରୀ ଗିରଫ
ବ୍ରହ୍ମପୁର : ପ୍ଲଟ ବିକ୍ରି ନାଁରେ ବ୍ରହ୍ମପୁରର ଏକାଧିକ ଲୋକଙ୍କ ଠାରୁ ୩୫ ଲକ୍ଷ ଟଙ୍କା ଠକେଇ କରିଥିବା ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ପି. ଶ୍ୟାମବାବୁ ପାତ୍ର(୫୮)ଙ୍କୁ ଟାଉନ ଥାନା ପୁଲିସ ଗିରଫ କରିଛି । ସୂଚନାଯେ, ଭୁବନେଶ୍ୱର ଖଣ୍ଡଗିରିରେ ରହୁଥିବା ନୟାଗଡ ରାଜାବଗିଚାର ମୂଳବାସିନ୍ଦା ଶ୍ରୀ ପାତ୍ର ୨୦୧୭ରୁ ୨୦୧୯ ଯାଏଁ ବ୍ରହ୍ମପୁର ମହାନଗର ନିଗମରେ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ସେ ୨୦୧୯ରେ ଭିଆରଏସ ନେଇଥିଲେ । ହେଲେ ବ୍ରହ୍ମପୁରରେ ଯନ୍ତ୍ରୀଭାବେ କାର୍ଯ୍ୟ କରୁଥିବା ବେଳେ ସେ ଏଠାରେ ପ୍ଲଟ ବ୍ୟବସାୟ ମଧ୍ୟ କରୁଥିଲେ । ୨୦୧୬ରେ ଗାନ୍ଧୀନଗର ଅଞ୍ଚଳର ମହତଳା ରଶ୍ମୀତା ସାହୁ ଲୋଚପାଡା ଅଞ୍ଚଳରେ ୬ଟି ପ୍ଲଟ କିଣିବାକୁ ଶ୍ରୀ ପାତ୍ରଙ୍କ ସହ ଯୋଗାଯୋଗ କରିଥିଲେ । ଏଥିପାଇଁ ମୋଟ ୭୧ ଲକ୍ଷ ଟଙ୍କା ନେଣଦେଣ ପାଇଁ ଶ୍ରୀ ପାତ୍ର ଓ ରଶ୍ମୀତାଙ୍କ ମଧ୍ୟରେ ଚୁକ୍ତିନାମା ହୋଇଥିଲା । ପ୍ଲଟ କିଣିବା ପାଇଁ ଅଗ୍ରୀମ ଟଙ୍କା ବାବଦକୁ ରଶ୍ମୀତା ବିଭିନ୍ନ ପର୍ଯ୍ୟାୟରେ ଶ୍ରୀ ପାତ୍ରଙ୍କୁ ୨୫ ଲକ୍ଷ ଟଙ୍କା ଦେଇଥିଲେ, ହେଲେ ଅନେକ ମାସ ପରେ ମଧ୍ୟ ଶ୍ରୀ ପାତ୍ର ପ୍ଲଟ ବିକ୍ରି କରି ନ ଥିଲେ କିମ୍ବା ରଶ୍ମୀତାଙ୍କ ନାମରେ ପଞ୍ଜୀକରଣ କରାଇ ନଥିଲେ । ରଶ୍ମୀତା ଓ ତାଙ୍କ ସ୍ୱାମୀ ସୁମନ୍ତ ଏ ବିଷୟରେ ଶ୍ରୀ ପାତ୍ରଙ୍କୁ ପଚାରିବାରୁ ସେ ଉଭୟଙ୍କୁ ଗାଳିଗୁଲଜ କରିବା ସହ ନାନା ଧମକଚମକ ଦେଇଥିଲେ । ସେପଟେ ଦମ୍ପତି ଥାନାରେ ମାମଲା ପାଇଁ ପାଲଟା ଧମକ ଦେବାରୁ ସେ ୫ ଲକ୍ଷ ଫେରାଇ ଦେଇଥିଲେ । ଆଉ ୧୦ ଲକ୍ଷ ଟଙ୍କା ଫେରସ୍ତ କରିନଥିଲେ । ବାଧ୍ୟ ହୋଇ ରଶ୍ମୀତାଙ୍କ ସ୍ୱାମୀ ଟାଉନ ଥାନାରେ ଅଭିଯୋଗ କରିଥିଲେ ।
ସେହିପରି ଅଷ୍ଟ୍ରେଲିଆରେ ରହୁଥିବା ବ୍ରହ୍ମପୁରର ସନ୍ତୋଷ ମୁନିଙ୍କୁ ଗୋସାଇଁନୂଆଗାଁ ଅଞ୍ଚଳରେ ଏକ ପ୍ଲଟ ଦେବାକୁ କହି ୨୫ ଲକ୍ଷ ଟଙ୍କା ନେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ପ୍ଲଟ ପଞ୍ଜିକରଣ କରାଇନଥିଲେ କିମ୍ବା ଟଙ୍କା ଫେରସ୍ତ କରିନଥିଲେ । ଠକେଇର ଶିକାର ହୋଇଥିବା ଜାଣିବା ପରେ ଶ୍ରୀ ମୁନି ଗୋସାଇଁନୂଆଗାଁ ଥାନାରେ ଶ୍ରୀ ପାତ୍ରଙ୍କ ନାଁରେ ଅଭିଯୋଗ କରିଥିଲେ । ଉଭୟଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଶ୍ରୀ ପାତ୍ରଙ୍କ ନାଁରେ ୨ ଟି ମାମଲା ରୁଜୁ କରିବା ସହ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।