ବାକି ଟଙ୍କା ପାଇଁ କଳି, ୧ ମୃତ

 ଖଇରା  : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଖଇରା ବଜାର ଠାରୁ ଅନତିଦୁରରେ  ଭୋଜି ବେଳେ ପୁରୁଣା ବାକି ଟଙ୍କା ଦିଆନିଆକୁ ନେଇ ପ୍ରଥମେ ପାଟିତୁଣ୍ଡ ଓ ପରେ ଠେଲାପେଲା ଯୋଗୁଁ ଜଣକର ମୃତୁ୍ୟ ଘଟିଛି । ମୃତକ ଜଣକ ହେଲେ ଜୟକୃଷ୍ଣ ସାହୁ(୫୧) । ଘର ଖଇରା ବଜାର ସଂଲଗ୍ନ ପୁରୁଷୋତ୍ତମପୁର ଗ୍ରାମରେ । ପୁରୁଣା ବାକି ୪୦ ହଜାର ଟଙ୍କା ମାଗିବାକୁ ନେଇ ଜୟକୃଷ୍ଣଙ୍କୁ  ଠେଲାପେଲା କରାଯିବା ଓ ଏଥିଯୋଗୁଁ ସ୍ୱାମୀ ମୃତୁ୍ୟବରଣ କରିଥିବା ନେଇ ପତ୍ନୀ ସଞ୍ଜୁରାଣୀ ଖଇରା ଥାନାରେ ଅଭିଯୋଗ କରିବା ପରେ ଖଇରା ପୁଲିସ ବଣପାରିଆ ଗ୍ରାମର ବସନ୍ତ ବେହେରା ଓ ଅନ୍ୟଜଣେ ସହଯୋଗୀଙ୍କ ନାମରେ ଏକ ମାମଲା(୧୯୩/୨୫) ରୁଜୁ କରି ଖଇରା ଥାନାରେ ଅଟକ ରଖିଛି । ବସନ୍ତଙ୍କର ଖଇରା ହାଇସ୍କୁଲ ନିକଟରେ ଏକ ପାନ ଦୋକାନ ଥିବା ବେଳେ ଏହି ଦୋକାନ ଠାରୁ କିଛି ଦୁରତାରେ ବସନ୍ତ, ଜୟକୃଷ୍ଣ ଓ ଅନ୍ୟ କିଛି ସହଯୋଗୀ ଭୋଜିର ଆୟୋଜନ କରିଥିଲେ । ଭୋଜି ପରେ ଗଣ୍ଡଗୋଳ ମାରପିଟ ଯୋଗୁଁ ଜୟକୃଷ୍ଣ ଗୁରୁତର ହୋଇ ପଡିଥିଲେ । ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ ।